ରୋହିତ ଶର୍ମା ଇଫେକ୍ଟ: କିଛି ଘଣ୍ଟାରେ ମୁମ୍ବାଇ ହରାଇଲା ୧.୫ଲକ୍ଷ ଫଲୋୟର୍ସ

ଅର୍ଗସ ବ୍ୟୁରୋ: ଆଉ ଦିନ କେତେଟା ପରେ ଆରମ୍ଭ ହେବ ଦେଶର ସବୁଠୁ ଲୋକପ୍ରିୟ ଖେଳ। ମାନେ ଆଇପିଏଲ। ଆଇପିଏଲ ୨୦୨୪ ପାଇଁ ଖେଳାଳି ନିଲାମ ସରିଛି। ହେଲେ ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ହୋଇଛି ବଡ଼ ଧରଣର ପରିବର୍ତ୍ତନ। ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦ ଦେଇଛି। ଆଇପିଏଲର ଆଗାମୀ ସିଜନ ମାନେ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପଟେନଶିପରେ ଦଳ ଖେଳିବ ବୋଲି ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯାଇଛି। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଖାସ କରି ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ନିଜ ରୋଷ ଜାହିର କରିଛନ୍ତି।
ତେବେ ଏକ ରିପୋର୍ଟ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଏମଅଇ ଅଫିସିଆଲ ଇନଷ୍ଟାରେ ବିଶେଷ ସୂଚନା ଦିଆଯାଇଥିଲା। ଏହି ସୂଚନାରେ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକଙ୍କୁ କ୍ୟାପଟେନ ପଦ ଦିଆଯାଇଛି। ଯାହା ପରେ ସୋସିଆଲ ମିଡିଆରେ ଆରମ୍ଭ ହେଲା #shameonMI ଟ୍ରେଣ୍ଡ। ଏପରିକି କିଛି ଘଣ୍ଟାରେ ୧.୫ ଲକ୍ଷ ଫ୍ୟାନ୍ସ ହରାଇଥିବା ସୂଚନା ମିଳିଛି। ସମସ୍ତେ ଫ୍ୟାନ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ ମଧ୍ୟ କରିଛନ୍ତି। ସେହିପରି MIକୁ ବୟକଟ କରିବାକୁ ମଧ୍ୟ ଟ୍ରେଣ୍ଡ ଚାଲିଛି।
ସୂଚନା ଥାଉ କି ଯେ ଆଇପିଏଲ୍ ୨୦୧୩ ସିଜନରେ ପ୍ରଥମ ଥର ପାଇଁ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ। ଟୁର୍ଣ୍ଣାମେଣ୍ଟ ମଝିରେ ରିକି ପଣ୍ଟିଙ୍ଗଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଥିଲା।
ସେହି ବର୍ଷ ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଥିଲା। ଏଥିସହ ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍ସ ଲିଗର ବିଜେତା ହୋଇଥିଲା। ଏହା ପରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଥର ବିଜୟୀ କରିଥିଲେ। ରୋହିତ ଶର୍ମା ଆଇପିଏଲ୍ ୨୦୧୩ ରୁ ଆଇପିଏଲ୍ ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକତ୍ୱ ଜାରି ରଖିଥିଲେ, କିନ୍ତୁ ବର୍ତ୍ତମାନ ଷଷ୍ଠ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ କରିବାର ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର