Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରତିଷ୍ଠା ଦିବସରେ ବିଜେଡି ଫାଳଫାଳ

Odisha

ପ୍ରତିଷ୍ଠା ଦିବସରେ ବିଜେଡି ଫାଳଫାଳ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପ୍ରତିଷ୍ଠା ଦିବସରେ ବିଜେଡି ଫାଳଫାଳ

Key Points

  • ପ୍ରତିଷ୍ଠା ଦିବସରେ ବିଜେଡି ଫାଳଫାଳ
  • ଜଳଜଳ ଦିଶିଲା ଗୋଷ୍ଠୀ କନ୍ଦଳ
  • ରାୟଗଡାରେ ଯାହା, କେନ୍ଦ୍ରାପଡାରେ ତାହା

ଅର୍ଗସ ବ୍ୟୁରୋ: ବିଜେଡି ପାଳୁଛି ୨୭ ତମ ପ୍ରତିଷ୍ଠା ଦିବସ । ଦଳର ପ୍ରତିଷ୍ଠା ଦିବସ ହୋଇଥିବାରୁ ନେତାଙ୍କଠୁ କର୍ମୀ...ସମର୍ଥକ ସମସ୍ତେ ଖୁସି । ହେଲେ ଦଳ ଭିତରେ ତୀବ୍ର ହୋଇଥିବା ଗୋଷ୍ଠୀ କନ୍ଦଳ କିନ୍ତୁ ଏବେ ଜଳଜଳ ହୋଇ ଦିଶୁଛି । କେଉଁଠି ନେତାଙ୍କୁ ବିରୋଧ କରାଗଲା ତ ଆଉ କେଉଁଠି ଗୋଟିଏ ସ୍ଥାନରେ ପୃଥକ ପୃଥକ ଭାବରେ ପାଳନ ହେଲା ପ୍ରତିଷ୍ଠା ଦିବସ । ଯେତେ ଲୁଚେଇବାକୁ ଚେଷ୍ଟା କଲେ ବି ଲୁଚିଲାନି ବରଂ ପଦାରେ ପଡିଗଲା ବିଜେଡିର ଗୋଷ୍ଠୀ କନ୍ଦଳ ।

ରାୟଗଡାର ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସ୍ଥାନୀୟ ନେତା ତଥା ବିଜେଡିର ଉପ-ସଭାପତି ଏନ ଭାସ୍କର ରାଓଙ୍କ ଇଲାକା । ବଡ ନେତା ହୋଇଥିବାରୁ ବଡ କାର୍ଯ୍ୟକ୍ରମ ହେବା ସ୍ଵାଭାବିକ କଥା । ହେଲେ ଦଳ ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁ କିନ୍ତୁ ଗତକାଲି ଦାଉଦାଉ ହୋଇ ଜଳିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଗଣମାଧ୍ୟମରେ ଉପରେ ଖପ୍ପା ହୋଇଥିଲେ ଭାସ୍କର । 

ତେବେ ଅସନ୍ତୋଷ କଥା ପଚାରିବାରୁ ଗଣମାଧ୍ୟମ ଉପରେ ଗରଗର ହେଉଛନ୍ତି ଭାସ୍କର । ତେବେ ଏଠାରେ ପ୍ରଶ୍ନ ଦଳରେ ନିଆଁ ଲଗାଉଛି କିଏ ? ନିଆଁ ଲାଗିବାର ଖବର ବୋଧହୁଏ ଭାସ୍କରଙ୍କ ପାଖରେ ଅଛି ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ କାହିଁକି ରାୟଗଡାରେ ଏମିତି ଦୁଇଦଳ ହୋଇ ପ୍ରତିଷ୍ଠା ଦିବସ ପାଳନ ହେଲା ତାହାର ଉତ୍ତର କିନ୍ତୁ ମିଳୁନି ।

ମିଳିଥିବା ସୂଚନା ଅନୁସାରେ, ରାୟଗଡାରେ ବିଜୁ ଜନତା ଦଳ ପକ୍ଷରୁ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦଳ ପକ୍ଷରୁ ବିରାଟ ପଟୁଆର ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ସହର ପରିକ୍ରମା କରିଥିଲେ । ସହରର ବସଷ୍ଟାଣ୍ଡ ନିକଟରେ ଥିବା ସ୍ଵର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ଭାସ୍କର ରାଓଙ୍କ ପରମ ଶତ୍ରୁ ଭାବେ ଜଣାଶୁଣା ୱାଇ. ଭେଙ୍କେଟେଶ୍ଵର ରାଓ  ବିରାଟ ପଟୁଆରରେ ଆସି ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।  ତାଙ୍କ ସହ ସ୍ଵାଧୀନ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା-ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝି ,ଜିଲ୍ଲା ବିଜେଡ଼ି ଯୁବ ସଭାପତି ଦେବାଶିଷ ଖାଡଙ୍ଗା ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଜିଲା ସଂଯୋଜକ ପି.ଗୌରୀ ପ୍ରମୁଖ ରହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଭାସ୍କର ରାଓଙ୍କ ଗୋଷ୍ଠୀ ପକ୍ଷରୁ ହୋଇଥିବା ଶୋଭାଯାତ୍ରାରେ ରାଜ୍ୟ ବିଜେଡି ସମ୍ପାଦକ ଜଗଦିଶ ପାତ୍ର, ପୂର୍ବତନ ଉପ-ବାଚସ୍ପତି ଲାଲବିହାରୀ ହିମରିକା, ଜିଲ୍ଲା ଏସ.ଡି.ସି ଅଧ୍ୟକ୍ଷା ଅନୁଷୟା ମାଝି, ପୂର୍ବତନ ଜିଲ୍ଲା-ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରମୁଖ ଥିଲେ । ହେଲେ ୱାଇ. ଭେଙ୍କେଟେଶ୍ଵର ରାଓ ସିଧାସିଧା ଅସନ୍ତୋଷ ଥିବା କହିଦେଇଥିଲେ । ଇଏ ତ ଥିଲା ରାୟଗଡାର କଥା । ଏପଟେ କେନ୍ଦ୍ରାପଡାରେ ବି ସମଦଶା ଭୋଗିଲା ଦଳ । ସ୍ଥିତି ଏମିତି ହୋଇଥିଲା ଯେ ସ୍ଥାନୀୟ ବିଧାୟକ ଶଶୀ ବେହେରାଙ୍କ କାର୍ଯ୍ୟଶୈଳୀରେ ରାଗିଯାଇ ସଭାରୁ ଫେରିଯାଇଥିଲେ କର୍ମୀ । ବିଧାୟକ ଶଶୀଭୁଷଣଙ୍କ ସହ ବିଜେଡି ଯୁବ ନେତା ରାଜେଶ ଦାସଙ୍କ ଗୋଷ୍ଠୀ କନ୍ଦଳ ପଦାରେ ପଡିଥିଲା । ରାଜେଶଙ୍କ ଶତାଧିକ ସମର୍ଥକ ବଳଦେବଜୀଉଙ୍କ ରଥ ଦାଣ୍ଡରୁ ମିଟିଂସ୍ଥଳରୁ ହୋହଲ୍ଲା କରି ଫେରିବା ସହ ଶଶିଭୂଷଣଙ୍କ ବିରୋଧରେ ନାରାବାଜି ଦେଇଥିଲେ । ତେବେ ଗତକାଲିର ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ବିଜେଡିରେ ଏବେ ସବୁ ଫାଳଫାଳ ହେଲାଣି ।

 

(ରାୟଗଡାରୁ ମୃତ୍ୟୁଞ୍ଜୟ ନନ୍ଦଙ୍କ ସହ କେନ୍ଦ୍ରାପଡାରୁ ପ୍ରଭାତ ଲେଙ୍କାଙ୍କ ରିପୋର୍ଟ)

Sponsored
General Election 2024 | Argus English