କିଏ ବା ଜାଣିଥାଏ ମୃତ୍ୟୁ କେମିତି ଆସିବ ?

ଅର୍ଗସ ବ୍ୟୁରୋ : କିଏ ବା ଜାଣିଥାଏ ମୃତ୍ୟୁ କେମିତି ଆସିବ । କିଏ କେମିତି ମୃତ୍ୟୁକୁ ଆପଣାଇବ । ଏଠି ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ । ଘଡ଼ିଏ ଛାଡ଼ି ଘଡ଼ିଏ ଚେତା ହରାଉଛି ମା' । ଏଭଳି ଦୁଃଖର କଳା ବାଦଲ ଖେଳିଯାଇଛି ସାରା ଗାଁରେ । କିଏ ତା ପୁଅକୁ ହରାଇଛି ତ କିଏ ତା ସ୍ବାମୀକୁ ହରାଇ କାନ୍ଦୁଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁସାରେ ଗତ ୧୫ ତାରିଖରେ କୋରାପୁଟ-ଜୟପୁର ମଧ୍ୟ ଜରଟି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣରୁ ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁର ରୁଦ୍ର ପ୍ରସାଦ ମହାନ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଜିଆରପି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମୃତ୍ୟୁର ତଦନ୍ତ କରାଯାଉଛି । ରୁଦ୍ରଙ୍କ ମନି ପର୍ସରୁ ପରିଚୟ ମିଳିଥିଲା । ରୁଦ୍ର କୋରାପୁଟରେ ନିଜ ପିଉସୀଙ୍କ ଘରେ ରହି ପାଠ ପଢୁଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ରୁଦ୍ରର ମୃତ୍ୟୁ ଖବର ମିଳିବା ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ତାଙ୍କ ବାପା, ବଡ଼ବାପା, ଦାଦା ଓ ଗ୍ରାମରୁ କିଛି ବ୍ୟକ୍ତି ଯାଇଥିଲେ । ଶବ ବ୍ୟବଚ୍ଛେଦ ପରେ ସତ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ଅଣାଯାଇଥିଲା । ରୀତିନୀତି ଅନୁସାରେ ଶବ ସତ୍କାର ଚାଲିଥିବା ବେଳେ ସେହିଠାରେ ଟଳି ପଡ଼ିଥିଲେ ବଡ଼ବାପା ତ୍ରୈଲୋକ୍ୟ ମହାନ୍ତି । ତାଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ରୁଦ୍ରଙ୍କୁ ତାଙ୍କ ବଡ଼ ବାପା ତ୍ରୈଲୋକ୍ୟ ବହୁତ ଭଲ ପାଉଥିଲେ । ଏପରିକି ତାଙ୍କ ପାଇଁ ନିଜ ପିଲାଙ୍କଠାରୁ ଅଧିକ ଗେହ୍ଲା ଥିଲେ ରୁଦ୍ର । ପରିବାରର ସବୁ ସଦସ୍ୟ ରୁଦ୍ରଙ୍କୁ ଭଲ ପାଉଥିଲେ ବି ତ୍ରୈଲୋକ୍ୟଙ୍କ ପାଇଁ ସବୁକିଛି ଥିଲେ ରୁଦ୍ର । ନିଜ ଆଖି ଆଗରେ ରୁଦ୍ରଙ୍କ ରକ୍ତାକ୍ତ ମରଶରୀର ଜୁଇକୁ ଯିବା ଦେଖି ସହି ପାରିନଥିଲେ ତ୍ରୈଲୋକ୍ୟ ଓ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।