ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ସାମିଲ ପାଇଁ ପିଲାଙ୍କୁ ବାଧ୍ୟ କରିବାକୁ କିଏ ଦେଲା ଅଧିକାର ?

Key Points
ଫକୀର ମୋହନ ବିଶ୍ବବିଦ୍ୟାଳୟରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ପାଇଁ ୩ ଥର ଘୁଞ୍ଚିଲା ପରୀକ୍ଷା
ପୂରଣ ହେଉନି ଅଧ୍ୟାପକ ପଦ ହେଲେ ନୂଆ "ଓ "କାର୍ଯ୍ୟକ୍ରମ ବାହାନାରେ ୩୫୦ କୋଟି ସ୍ଵାହା
ପ୍ରଶ୍ନ, ପରୀକ୍ଷା ଆଗ ନା ନୂଆ - ଓ କାର୍ଯ୍ୟକ୍ରମ ?
ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ସାମିଲ ପାଇଁ ପିଲାଙ୍କୁ ବାଧ୍ୟ କରିବାକୁ କିଏ ଦେଲା ଅଧିକାର ?
ଅର୍ଗସ ବ୍ୟୁରୋ: କଲେଜରେ ପାଣ୍ଡିଆନଙ୍କ ସଭା ହେବ...ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଯୋଗ ଦେବେ । ଆଉ ଯିଏ କାର୍ଯ୍ୟକ୍ରମକୁ ନଆସିବେ ସେମାନଙ୍କ ଇଣ୍ଟରନାଲ, ସେମିଷ୍ଟାର ଓ ପ୍ରାକ୍ଟିକାଲ ପରୀକ୍ଷାରେ ମାର୍କ କଟାଯିବ । ସିଧା ଧମକ ଦେଉଛନ୍ତି କଲେଜର ପ୍ରିନ୍ସିପାଲ । ଏଭଳି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଏବଂ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି ବିଜେପି । ନୂଆ - ଓ କାର୍ଯ୍ୟକ୍ରମ କରି ପିଲା ମାନଙ୍କୁ ଭ୍ରମିତ କରାଯାଉଛି । ଓଡ଼ିଶାରେ ଶିକ୍ଷା ଏବଂ ଯୁବପିଢିଙ୍କ ସ୍ଵାର୍ଥ ବିରୋଧୀ ସରକାର । ନୂଆ-ଓ ଯୋଜନା ଠିକ୍ ନିର୍ବାଚନ ଆଗରୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯଦି ମାର୍କ କଟା ଯିବ ତାହେଲେ କଣ ପରିସ୍ଥିତି ସୃଷ୍ଟି ହେବ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଚିନ୍ତା କରିଛନ୍ତି କି ? ତେଣୁ କେବଳ ପିଲାଙ୍କ ଭୋଟ ପାଇଁ ନୂଆ - ଓ କାର୍ଯ୍ୟକ୍ରମ କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି ।
ଥରେ ନଜର ପକାନ୍ତୁ ବିଭିନ୍ନ କଲେଜ ହ୍ଵାଟସପ ଗ୍ରୁପର ସ୍କ୍ରିନସଟ୍ ଗୁଡିକ ଉପରେ । ଯେଉଁଥିରେ କଲେଜ ପ୍ରିନ୍ସିପାଲଙ୍କୁ କୋଟ୍ କରି ଲେଖାଯାଇଛି ଯେ, ଭି.କେ. ପାଣ୍ଡିଆନ ଏବଂ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ନଦେଲେ ମାର୍କ କଟାଯିବ । କଲେଜର ଅଧ୍ୟକ୍ଷ ମାନେ ମଧ୍ୟ ସ୍ୱୀକାର କରୁଛନ୍ତି ଯେ, ସେମାନଙ୍କ ଉପରେ ଉପରୁ ଚାପ ପଡୁଛି । ତେବେ ଧମକପୂର୍ଣ୍ଣ ମେସେଜର ସ୍କ୍ରିନସଟ ସବୁ ଭାଇରାଲ ହେବା ପରେ ଶୁଣନ୍ତୁ କଣ କହୁଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ପ୍ରିନ୍ସିପାଲ ।
କେବଳ ଏତିକି ନୁହେଁ, ରାଜ୍ୟ ସାରା ସମସ୍ତ କଲେଜରେ ପାଠ ପଢା ବନ୍ଦ କରି, ପରୀକ୍ଷା ବାତିଲ୍ କରି ‘ନୂଆ-ଓ’ କୁ ବାଧ୍ୟତାମୂଳକ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର । ଯାହାର ସଦ୍ୟତମ ଉଦାହରଣ ହେଉଛି ଫକୀର ମୋହନ ଏବଂ ଗଙ୍ଗାଧର ମେହେରା ବିଶ୍ଵବିଦ୍ୟାଳୟ । ଏ ହେଉଛି ଫକୀର ମୋହନ ବିଶ୍ଵବିଦ୍ୟାଳୟର ୩ଟି ନୋଟିସ । ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ନୂଆ-ଓ କାର୍ଯ୍ୟକ୍ରମ ପାଇଁ ହିଁ ପରୀକ୍ଷା ଘୁଞ୍ଚା ଯାଉଛି । ସେହିପରି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ମଧ୍ୟ ନୂଆ-ଓ କାର୍ଯ୍ୟକ୍ରମ ପାଇଁ ୟୁଜି ଓ ପିଜି ସେମିଷ୍ଟାର ପରୀକ୍ଷା ଘୁଞ୍ଚାଯାଇଛି ।
📱 Get Argus News App
✨ଓଡିଶାରେ ଉଚ୍ଚ ଶିକ୍ଷାର ମାନ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ୧୭ଟି ବିଶ୍ୱବିଦ୍ୟାଳୟରୁ ମାତ୍ର ୩ଟିର ନାକ୍ ମାନ୍ୟତା ଅଛି । ଦେଶର ୧୦୦ଟି ସର୍ବଶ୍ରେଷ୍ଠ ସରକାରୀ ଶିକ୍ଷାନୁଷ୍ଠାନ ଭିତରେ ଓଡିଶାର କୌଣସି ଶିକ୍ଷାନୁଷ୍ଠାନର ନାଁ ନାହିଁ । ରାଜ୍ୟରେ ଥିବା ସମୁଦାୟ କଲେଜରୁ ୧୦୩୭ଟି ସାଧାରଣ ଡିଗ୍ରୀ କଲେଜ... ଏଥିରୁ ମାତ୍ର ୪୮ଟି ହେଉଛି ସରକାରୀ କଲେଜ । ‘ନୂଆ-ଓ’ ଯୋଜନାରେ ୩୫୦କୋଟି ଟଙ୍କାର ଅର୍ଥ ଖର୍ଚ୍ଚ ହେଉଛି ହେଲେ ନା ହେଉଛି କଲେଜର ଭିତ୍ତିଭୂମିର ବିକାଶ, ନା ଖାଲିଥିବା ଅଧ୍ୟାପକ ପଦ ହେଉଛି ପୁରଣ.. ନିଯୁକ୍ତି ପାଇଁ ଅର୍ଥ ନାହିଁ କିନ୍ତୁ ନାଚଗୀତରେ ବରବାଦ ହେଉଛି ଟିକସ ଦାତାଙ୍କ ଶହ ଶହ କୋଟି ଟଙ୍କା । ଓଡିଶାରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଏବେ ଖାଲି ପଡିଛି ୭୦ ଭାଗ ଅଧ୍ୟାପକ ପଦବୀ ଖାଲି ।