ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ ହେବ ଗୁଆ, ଚାଉଳ ?

ଅର୍ଗସ ବ୍ୟୁରୋ : ଗତକାଲି ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଗଲା । ହେଲେ ପରିକ୍ରମା ପ୍ରକଳ୍ପ ନାଁରେ ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଥିବା ଚାଉଳ , ଗୁଆ ଗଲା କୁଆଡେ ? ଅର୍ପଣ ରଥରେ ଠାକୁରଙ୍କୁ ବସାଇ ଘରକୁ ଘର ବୁଲି ଚାଉଳ ଆଣୁଥିଲେ ବିଜେଡି କର୍ମୀ । ସାଧାରଣ ଓଡିଆ ଲୋକେ ଜଗା ପାଇଁ ଭକ୍ତିରେ ଚାଉଳ ସହ ଗୁଆ ଦେଇଥିଲେ । ଯେଉଁ ଚାଉଳ ଆଉ ଗୁଆ ଲୋକାର୍ପିତ ଉତ୍ସବରେ ବ୍ୟବହାର କରାଯିବ ବୋଲି ଶୁଣିବାକୁ ମିଳିଥିଲା । ହେଲେ ବିଜୁ ଜନତା ଦଳର ନେତା ସାଧାରଣ ଜନତାଙ୍କ ଭାବାବେଗ ସହ ଖେଳ ଖେଳିଲେ । ଜଗନ୍ନାଥଙ୍କୁ ଭିକାରୀ ସଜାଇ ଅର୍ପଣ ରଥରେ ବସାଇ ଦ୍ବାର ଦ୍ବାର ବୁଲି ଠାକୁରଙ୍କ ନାଁ ରେ ଯେଉଁ ଚାଉଳ ସଂଗ୍ରହ କରିଥିଲେ, ତାହା ଗୋଦାମ ଘରେ ପଡି ରହିଛି । ଯେଉଁ ରଥରେ ପ୍ରଭୁ ଜଗନ୍ନାଥଙ୍କର ଫଟୋ ଛୋଟ ଥିବାବେଳେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କର ବଡ ବଡ ଫଟୋ ଲାଗିଥିଲା । ଯାହାକୁ ନେଇ ଅସନ୍ତୋଷ ଲାଗି ରହିଛି ।
ଅଧିକ ପଢନ୍ତୁ : କୁଆଡ଼େ ଗଲା ଅର୍ପଣ ରଥରୁ ମିଳିଥିବା ଚାଉଳ ?
ସୂଚନା ମୁତାବକ , ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ଓ ଏଥିରେ ଲୋକଙ୍କୁ ଯୋଡିବାକୁ ପ୍ରତି ଘରୁ ଗୁଆ, ଚାଉଳ ସଂଗ୍ରହ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ପଞ୍ଚାୟତ ପିଛା ୨ ଲକ୍ଷ, ଏନଏସିରେ ୱାର୍ଡ ପିଛା ୩ ଲକ୍ଷ ଏବଂ ପୌରପାଳିକାରେ ୱାର୍ଡ ପିଛା ୫ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଅନୁଦାନ ଦେଇଥିଲେ। ପରିକ୍ରମା ରଥ ସହ ଅନ୍ୟାନ୍ୟ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ବାବଦକୁ ମୋଟ ୧୩୫ କୋଟି ୮୮ ଲକ୍ଷ ଖର୍ଚ୍ଚ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲେ ସରକାର। ହେଲେ ଚାଉଳ , ଗୁଆ କାହିଁକି ପରିକ୍ରମା ପ୍ରକଳ୍ପରେ ବ୍ୟବହାର କରାଗଲାନାହିଁ, କାହିଁକି ଏସବୁ ଗୋଦାମ ଘରେ ପଡି ରହିଛି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ନେତା ।