କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ର ସରକାରଙ୍କ ତ୍ବରିତ ପଦକ୍ଷେପ

ଭୁବନେଶ୍ୱର: ଓଡ଼ିଶାର ଚାଷୀଙ୍କ ସ୍ବାର୍ଥ ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ମୋଦି ସରକାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କ୍ରମେ ଓଡ଼ିଶାରୁ ସଂଗ୍ରହ ହେବ ଅଧିକ 10 ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ । ଏଥିପାଇଁ ଗତ 16 ତାରିଖରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ଏ ନେଇ ତ୍ବରିତ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶାରୁ 10 ଲକ୍ଷ ମେଟ୍ରିକ୍ ଟନ୍ ଅଧିକ ଉଷୁନା ଚାଉଳ କିଣାଯିବାକୁ ମଞ୍ଜୁରୀ ମିଳିଥିବା ପତ୍ୟୁତ୍ତରରେ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ। ଅନୁରୋଧ ରକ୍ଷା କରି ତ୍ୱରିତ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଲକ୍ଷାଧିକ ଚାଷୀ ଉପକୃତ ହେବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ରାଜ୍ୟକ ତିନି ପ୍ରମୁଖ ଦଳ।
ପୂର୍ବରୁ ଅରୁଆ ଓ ଉଷୁନା ଚାଉଳକୁ ନେଇ ରାଜ୍ୟରେ ଧାନ କିଣା ପ୍ରସଙ୍ଗରେ ଦେଖା ଦେଇଥିଲା ବିବାଦ। ମିଲର୍ସ ପ୍ରୀତି ଯୋଗୁଁ ରାଜ୍ୟ ସରକାର ଏଫସିଆଇ ମୁଣ୍ଡରେ ଅଠା ବୋଳୁଥିଲେ। କେତେ ଧାନ ସଂଗ୍ରହ ହେବ ସେ ନେଇ ରାଜ୍ୟ ସରକାର କେନ୍ଦ୍ରକୁ ତଥ୍ୟ ଆଗୁଆ ଦିଅନ୍ତି ସେହି ଅନୁସାରେ ରାଜ୍ୟକୁ ଅର୍ଥ ମିଳି ଥାଏ। ଧାନମିଲର ମାନେ କିଣି ତାକୁ ଅରୁଆ ବା ଉଷୁନା ଚାଉଳ କରନ୍ତି । ତେବେ ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼ ପରି କେତେକ ରାଜ୍ୟକୁ ଛାଡ଼ି ଦେଲେ ବାକି ଦେଶରେ ଲୋକେ ଅରୁଆ ଚାଉଳ ଖାଉଥିବାରୁ ଏଫସିଆଇ ସେଣ୍ଟ୍ରାଲ ପୁଲିଂ ପାଇଁ ଉଷୁନା ଚାଉଳ କିଣୁନାହିଁ । ତେଣୁ ରାଜ୍ୟକୁ ନିଜ ଆବଶ୍ୟକତା ଅନୁସାରେ ଉଷୁନା ଚାଉଳ ଉତ୍ପାଦନ ପାଇଁ କହିଥିଲେ ମନ୍ତ୍ରୀ ପୀୟୂଷ ଗୋୟଲ । ସେହିପରି ଯଦି ମିଲରମାନଙ୍କ ପାଖରେ ଅରୁଆ ଚାଉଳ ଉତ୍ପାଦନ ପାଇଁ ଆଧୁନିକ ଟେକ୍ନୋଲୋଜି ନାହିଁ, ତାହା ମଧ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ସେ ପରାମର୍ଶ ଦେଇଥିଲେ । କିନ୍ତୁ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଓଡ଼ିଶାରୁ ଅଧିକ ଉଷୁନା ଚାଉଳ କିଣିବ କେନ୍ଦ୍ର। ଏବେ ରାଜ୍ୟରେ ଖାଲି ହେବ ଷ୍ଟୋରେଜ୍। ପୂର୍ବରୁ ଉଷୁନା ଚାଉଳର ବାହାନା କରୁଥିବା ରାଜ୍ୟ ସରକାର ଚାଷୀଙ୍କଠାରୁ ଅଧିକ ଧାନ କିଣିବେ ତ ? ସବୁଠାରୁ ବଡ଼ କଥା ହେଲା ସରକାରୀ ଅବହେଳା ଯୋଗୁଁ ହୋଇ ଅଭାବୀ ବିକ୍ରିର ଶିକାର ହେଉଥିବା ସବୁ ଚାଷୀଙ୍କଠାରୁ ରାଜ୍ୟ ସରକାର ଏମଏସପିରେ ଧାନ କିଣିବେ ତ ? ଚାଷୀଙ୍କୁ ତାଙ୍କ ମିଳିବ ତ ତାଙ୍କ ପରିଶ୍ରମର ସଠିକ ମୂଲ୍ୟ ?