' ଓଡ଼ିଆ ଲୋକ ନାଲିଆଖି ଦେଖାନ୍ତି ନାହିଁ, ଠିକଣା ଜାଗାରେ ଜବାବ ଦିଅନ୍ତି '

Key Points
- ଓଡ଼ିଶାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପରି ଶାସନ ଚାଲୁଛି
- ଓଡ଼ିଆ ଲୋକ ନାଲିଆଖି ଦେଖାନ୍ତି ନାହିଁ, ଠିକଣା ଜାଗାରେ ଜବାବ ଦିଅନ୍ତି
- ସବୁଦିନ ରହିବନି ଚାନ୍ଦିନୀ ରାତି
- ଦିନରେ ଲଣ୍ଠନ ଦେଖାଇଲେ ଆଉ ଲାଭ ନାହିଁ
ଅର୍ଗସ ବ୍ୟୁରୋ: ରାଜ୍ୟ ଶାସନ ବ୍ୟବସ୍ଥାର ପୁଣି ଗୁମର ଖୋଲିଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେମିତି ନିରୀହ ଓଡ଼ିଆଙ୍କଠୁ ଭୋଟ ନେବା ପରେ କଲବଲ କରୁଛି ବିଜେଡି ସରକାର ସେନେଇ ବି ତଥ୍ୟ ଦେଲେ । ଖାଲି ଏତିକି ନୁହେଁ ବରଂ ଭୋଟ୍ ନେବା ପରେ ଜୋର ଜବରଦସ୍ତ ତାମିଲ ନେତାଙ୍କ ବିଦେଶୀ ଶାସନ ଆଉ ଚଳିବନି ବୋଲି ରୋକଠୋକ୍ ବି କହିଲେ । ଓଡିଆଙ୍କ ଲାଗି କେନ୍ଦ୍ରମନ୍ତ୍ରୀଙ୍କ ଚିନ୍ତା କେତେ ତାହା ପୁଣି ଥରେ ସ୍ପଷ୍ଟ ହୋଇଛି ।
ସ୍ଥାନ-ମାହାଙ୍ଗା । ଅବସର-ଯୁବ ସଂକଳ୍ପ ସମାବେଶ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଥିବାରୁ ଦଳୀୟ କର୍ମୀଙ୍କ ସହ ସମର୍ଥକ ଓ ପ୍ରଶଂସକଙ୍କ ପ୍ରବଳ ଭିଡ ଥିଲା । ଆଉ ଜନସାଧାରଣଙ୍କୁ ସମ୍ବୋଧନ କରି ଧର୍ମେନ୍ଦ୍ର ରାଜ୍ୟ ସରକାର ଉପରେ ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ ଅଭିଯୋଗ କରିଥିଲେ । ଆଉ କେମିତି ଏ ସରକାର ଚଞ୍ଚକତା କରି ଲୋକଙ୍କୁ ଧୋକା ଦେଇଛି ତାହାର ଗୁମର ଖୋଲିଥିଲେ । ମାଆଙ୍କୁ ସମ୍ମାନ, ମାଆଙ୍କ ପାଇଁ ଯୋଜନା ନାରାରେ ଭୋଟ୍ ବ୍ୟାଙ୍କ ବଢାଉଛି ବିଜେଡି । କିନ୍ତୁ ପ୍ରକୃତରେ ମାଆ କେତେ ଅବହେଳିତ ତାହାର ବି ଖୋଲିଥିଲେ ଗୁମର ।
ବିଜେଡି ସରକାରରେ କେବଳ କଥା ପ୍ରବଳ ହେଲେ କାର୍ଯ୍ୟକାରିତା ପୂରା ଦୁର୍ବଳ । ଘରେ ଘରେ ମାଗଣା ସ୍ଵାସ୍ଥ୍ୟସେବା ପହଞ୍ଚାଇବାକୁ ନାରା ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ ବାସ୍ତବତା କିନ୍ତୁ ପୂରା ଭିନ୍ନ । କାରଣ ଏବେ ରାଜ୍ୟର ସହରରେ ତ ଅଧା ମେଡିକାଲରେ ଡାକ୍ତର ନାହାନ୍ତି , ବିଜୁ କାର୍ଡ ଥାଇ ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଖାଲି ଏତିକି ନୁହେଁ କେମିତି ଗର୍ଭବତୀ ଏବଂ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଛନ୍ତି ତାହାର ବି ଗୁମର ଖୋଲିଥିଲେ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଗତ କିଛିଦିନ ହେବ ସ୍ଵାସ୍ଥ୍ୟକୁ ନେଇ ଜୋର ଧରିଛି ରାଜନୀତି । ଆଉ ଏହାରି ଭିତରେ ଯେମିତି ତଥ୍ୟ ଭିତ୍ତିକ ଯୁକ୍ତି କରିଛନ୍ତି ଧର୍ମେନ୍ଦ୍ର, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ କେବଳ ପ୍ରଚାରରେ ସୀମିତ ରହିଛି ନବୀନ ସରକାରର ଯୋଜନା ।
📱 Get Argus News App
✨