Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଚାର ସର୍ବସ୍ୱ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଦୁର୍ଭାଗ୍ୟଜନକ

Odisha

ପ୍ରଚାର ସର୍ବସ୍ୱ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଦୁର୍ଭାଗ୍ୟଜନକ

Jitendra Dash
Browse all articles by Jitendra Dash
·2 years ago·4 min read
ପ୍ରଚାର ସର୍ବସ୍ୱ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଦୁର୍ଭାଗ୍ୟଜନକ

ଅର୍ଗସ ବ୍ୟୁରୋ : ନବୀନ ସରକାର ୨୩ ବର୍ଷର ନିରଙ୍କୁଶ ଶାସନରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ଓଡିଶାର ରୋଗୀ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ଓଡ଼ିଶାରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନବୀନ ବାବୁ ତତ୍ପର ବୋଲି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଡିଣ୍ଡିମ ପିଟୁଛନ୍ତି ଓ ବଡ ବଡ ବିଜ୍ଞାପନ ଦେଉଛନ୍ତି କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଅଲଗା । ରାଜ୍ୟ ସରକାର ୨୫ସେପ୍ଟେମ୍ବର ୨୦୨୩ରେ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ସରକାରୀ ଡାକ୍ତର ପଦବୀ ସଂଖ୍ୟା ୧୫,୭୭୪ ରୁ ୭,୨୭୬ ଖାଲି ପଡିଛି । ଅର୍ଥାତ୍ ଶତକଡା ୪୮.୯୧ ଖାଲି । ସେହିପରି ୧୨ଗୋଟି ସରକାରୀ ମେଡିକାଲ କଲେଜରେ ମୋଟ୍ ୨୯୦ ମଞ୍ଜୁରୀ ପ୍ରାପ୍ତ ପ୍ରଫେସର ପଦବୀ ମଧ୍ୟରୁ ୭୪ଟି ଖାଲି ପଡିଛି । ୪୬୩ଟି ଆସୋସିଏଟ ପ୍ରଫେସର ପଦବୀରୁ ୧୭୧ଟି ଖାଲିପଡିଛି ଓ ୯୦୩ ଆସିଷ୍ଟାଣ୍ଡ ପ୍ରଫେସର ପଦବୀରୁ ୧୧୦ଟି ଖାଲି ପଡିଛି ବୋଲି ସାମାଜିକ ଗଣମାଧ୍ୟମ ମୁଖ୍ୟ ଓ ପ୍ରବକ୍ତା ଶ୍ରୀ ଉମାକାନ୍ତ ପଟ୍ଟନାୟକ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସାରା ରାଜ୍ୟରେ ଅଧିକାଂଶ ପାରା ମେଡିକାଲ ଷ୍ଟାପ୍ ମଧ୍ୟ ନାହାନ୍ତି । ରାଜ୍ୟରେ ମୋଟ୍ ୨୮,୨୮୫ ନର୍ସିଂ ଅଫିସର ପଦବୀରୁ ୧୭,୩୫୮ପଦବୀ ଖାଲି, ୩,୪୯୦ ଫାର୍ମାସିଷ୍ଟ ପଦବୀରୁ ୯୯୮ପଦବୀ ଖାଲି, ୨୨୩୫ ଲ୍ୟାବରେଟୋରୀ ଟେକନିସିଆନ ପଦବୀରୁ ୯୧୫ଖାଲି ଏବଂ ୬୯୫ ରେଡିଓ ଗ୍ରାଫର ପଦବୀ ମଧ୍ୟରୁ ୩୭୮ ପଦବୀ ଖାଲି ପଡିଛି । ଏଥିପାଇଁ କୋଟି କୋଟି ଟଙ୍କାର “ସ୍ୱାସ୍ଥ୍ୟ ଯନ୍ତ୍ରାଂଶ” ଆଜି ଖତଖାଉଛି । ଏଣୁ ବିନା ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲ୍ୟାବଟେକନିସିଆନ୍ ଓ ରେଡିଓ ଗ୍ରାଫରଙ୍କ ବିନା ଡାକ୍ତରଖାନା କିପରି ଚାଲୁଛି ଓ ରୋଗୀସେବା କିପରି ହେଉଛି ତାହା ସହଜରେ ଅନୁମେୟ । ବର୍ଷ ବର୍ଷ ଧରି ଆୟୁଷ ଡାକ୍ତରଙ୍କ ନିଯୁକ୍ତି ହୋଇନାହିଁ, ଯେଉଁମାନଙ୍କୁ ଚୁକ୍ତିଭିତିକ ନିଯୁକ୍ତି ଦିଆଯାଇଛି ଘୋଷଣା ମୁତାବକ ସେମାନଙ୍କୁ ୨୫ହଜାର ଟଙ୍କା ଦରମା ମଧ୍ୟ ଦିଆଯାଉ ନାହିଁ । ଡାକ୍ତରମାନଙ୍କର ଦରମା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସର୍ବଭାରତୀୟ ସ୍ତରରେ ହେଉନଥିବାରୁ ସରକାରୀ କ୍ଷେତ୍ରକୁ ଡାକ୍ତରମାନେ ଆକର୍ଷିତ ହେଉନାହାନ୍ତି । ଯଦ୍ୱାରା ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି । 

ସେହିପରି ଆଜିବି ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ବେଡ୍ ଉପଲବ୍ଧ ନାହିଁ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ନେଇ ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ମୋଟ୍ ୨୬,୫୬୮ବେଡ୍ ଥିଲେ ବି ଜାତୀୟ ମାନଦଣ୍ଡ (ଆଇପିଏଚ୍‌ଏସ-୨୦୨୨) ଅନୁଯାୟୀ ଆବଶ୍ୟକ ବେଡ୍‌ର ୧ତୃତୀୟାଂଶରୁ କମ୍ ଶଯ୍ୟା ରହିଛି । ଯାହାକି ତୁରନ୍ତ ରାଜ୍ୟ ସରକାର ବଢ଼ାନ୍ତୁ ।  ୨୦୧୯ ନିର୍ବାଚନ ଇସ୍ତାହାରରେ ବିଜୁ ଜନତା ଦଳ ଘୋଷଣା କରିଥିବା ୩ଟି ସୁପର ସ୍ପେଷ୍ଟାଲିଟି ହସ୍ପିଟାଲ ଏପର୍ଯ୍ୟସ୍ତ ବାସ୍ତବତାରେ ପରିଣତ କାହିଁକି  ହୋଇନାହିଁ ରାଜ୍ୟ ସରକାର ଏହାର ଜବାବ ରଖନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏମ୍‌କେସିଜି ହସ୍ପିଟାଲରେ ୨୪, ଭିମସାରରେ ୩୦, ଏସ୍‌ସିବିରେ ୫୦ରୁ ଅଧିକ ସୁପର ସ୍ପେଷାଲିଟି ହସ୍ପିଟାଲ ସେବା ପଦବୀ ଖାଲି ପଡିଛି । ଓଡ଼ିଶାର ଜନସଂଖ୍ୟା ପାଖାପାଖି ୪.୬କୋଟି ହୋଇଥିବା ବେଳେ ଏଥିପାଇଁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାର୍ଗଦର୍ଶିକା ଅନୁଯାୟୀ (୧:୧୦୦୦) ୪୬ହଜାର ଡାକ୍ତର ଆବଶ୍ୟକତା ଥିବାବେଳେ ଏବେ ମାତ୍ର ୨୭ହଜାର ଡାକ୍ତର ଅଛନ୍ତି । ଓଡିଶାରେ ଆଜି ୧୨ଟି ସରକାରୀ କଲେଜ ଓ ୪ଟି ବେସରକାରୀ ମେଡିକାଲ କଲେଜ ରହିଛି । ପ୍ରତିବର୍ଷ ଆମ ରାଜ୍ୟରେ ହାରାହାରି ୧,୭୫୦ ବାର୍ଷିକ ଡାକ୍ତର ସୃଷ୍ଟି ହୁଅନ୍ତି । ଏପରି ସ୍ଥଳେ ତାମିଲନାଡୁରେ ୭୪, କର୍ଣ୍ଣାଟକରେ ୬୩, ତେଲେଙ୍ଗାନାରେ ୩୪ରୁ ଊର୍ଦ୍ଧ୍ୱ ମେଡିକାଲ କଲେଜ ଥିବାବେଳେ ଓଡ଼ିଶାର ମାତ୍ର ୧୨ଟି ସରକାରୀ ଓ ୪ଟି ବେସରକାରୀ ମେଡିକାଲ ଅଛି ଯାହାକି ଉପରୋକ୍ତ ଅନ୍ୟ ସମକକ୍ଷ ରାଜ୍ୟ ତୁଳନାରେ ଅତ୍ୟନ୍ତ ନଗଣ୍ୟ । ଯଦି ଏପରି ସ୍ଥିତି ବଜାୟ ରହେ ତେବେ ବଳକା ଡାକ୍ତର ରାଜ୍ୟ ହେବା ତ ଦୂରର କଥା “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା” ସୂଚକାଙ୍କୁ ହାସଲ କରିବା ପାଇଁ ଆହୁରି ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିବ । କାରଣ ଜାତୀୟ ସ୍ତରରେ ସର୍ବମୋଟ ୭୦୩ ମେଡିକାଲ କଲେଜ ଥିଲାବେଳେ ଯେଉଁଠାରୁ ବାର୍ଷିକ ୧,୦୪,୩୩୩ ଡାକ୍ତର ସୃଷ୍ଟି ହୁଅନ୍ତି ସେତେବେଳେ ଓଡ଼ିଶାର ୧୬ ମେଡିକାଲ କଲେଜରୁ ମାତ୍ର ୧୭୫୦ ହାରାହାରି ଡାକ୍ତର ସୃଷ୍ଟି ହୁଅନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ଶାସନରେ ମାତୃ ଓ ଶିଶୁ ମୃତ୍ୟୁହାର ଜାତୀୟହାରଠୁଁ ଢେର ଅଧିକ । ଆଉ ମଧ୍ୟ ମହାରାଷ୍ଟ୍ର, ଗୋଆ, କେରଳ ପରି ରାଜ୍ୟଠାରୁ ଓଡ଼ିଶା ଏଥିରେ ବହୁତ ପଛରେ ଅଛି । ଓଡ଼ିଶାରେ ଅନେକ ଜିଲ୍ଲାରେ ମେଡିକାଲ କଲେଜର ଆବଶ୍ୟକତା ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସ୍ଥାଣୁତା ଏଥିରେ ବାଧକ ସାଜିଛି । ଓଡ଼ିଶାର ସମସ୍ତ ସଦର ମହକୁମା ଡାକ୍ତରଖାନାକୁ ମେଡିକାଲ କଲେଜରେ ପରିଣତ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାରେ କ’ଣ ଅସୁବିଧା ଅଛି ବୋଲି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । କାରଣ ସଂଘୀୟ ବ୍ୟବସ୍ଥାରେ ଯେହେତୁ “ସ୍ୱାସ୍ଥ୍ୟ” ଏକ ରାଜ୍ୟ ବିଷୟ ତେଣୁ ରାଜ୍ୟ ସରକାରଙ୍କ ବିନା ପ୍ରସ୍ତାବରେ ସରକାରୀ ମେଡିକାଲ କଲେଜ ହୋଇପାରିବ ନାହିଁ । 

ସାରା ଭାରତର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ “ଆୟୁଷ୍ମାନ ଭାରତ ଯୋଜନା” ଲୋକାଦୃତ ଓ ସଫଳ ହୋଇଥିବାବେଳେ ଓଡ଼ିଶାର ଲୋକମାନଙ୍କୁ ଏସୁବିଧା ମିଳିବାରୁ ରାଜ୍ୟ ସରକାର ବଂଚିତ କରୁଛନ୍ତି । ଏହା ତାଙ୍କର ଭୟ ଓ ଆତ୍ମବିଶ୍ୱାର ଅଭାବ ସହିତ ରାଜନୈତିକ ଅଭିସନ୍ଧିକୁ ଦର୍ଶାଉଛି । ବିଏସକେୱାଇ କାର୍ଡରେ ଓଡିଶା ବାହାରେ ରହୁଥିବା ପାଖାପାଖି ଦେଢ଼କୋଟି ଓଡ଼ିଆ ଏହି ସୁବିଧାରୁ ବଂଚିତ ହେଉଛନ୍ତି । କାରଣ ରାଜ୍ୟ ବାହାର ହସ୍ପିଟାଲମାନେ ବିଏସକେୱାଇ କାର୍ଡରେ ଏହି ସୁବିଧା ଦେଉନାହାନ୍ତି । ବିଏସକେୱାଇ ଯୋଜନାରେ ଅନେକ ବଡ ବଡ ହସ୍ପିଟାଲମାନେ ଆଇସିୟୁ ରୋଗୀ, ହାଡଭଙ୍ଗା ରୋଗୀ ଓ ଅନ୍ୟାନ୍ୟ ରୋଗୀଙ୍କୁ ଫେରାଇ ଦେଉଛନ୍ତି । ଯଦ୍ୱାରା ରୋଗୀମାନେ ଏ ହସ୍ପିଟାଲରୁ ସେ ହସ୍ପିଟାଲ ହୋଇ ହନ୍ତସନ୍ତ ହେଉଛନ୍ତି । ଓପିଡି ଓ ନିଦାନ ସେବା ମଧ୍ୟ ଏଥିରେ ପ୍ରଦାନ କରାଯାଉ ନାହିଁ । ଏହା ଉପରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦେଖି ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସର୍ବଭାରତୀୟ ସ୍ୱାସ୍ଥ୍ୟ ଯୋଜନା “ଆୟୁଷ୍ମାନ ଭାରତ” ଓଡ଼ିଶାରେ ତୁରନ୍ତ ରାଜ୍ୟ ସରକାର ଲାଗୁ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।

ଜାତୀୟ ସ୍ୱାସ୍ଥ୍ୟ ମିଶନରେ ପର୍ଯ୍ୟାପ୍ତ ଟଙ୍କା କେନ୍ଦ୍ରଠାରୁ ମିଳୁଥିଲେ ମଧ୍ୟ ସ୍ୱାସ୍ଥ୍ୟସେବା ଓ ଗୁଣାତ୍ମକ ଔଷଧ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏପରିକି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଜରୁରୀକାଳିନ ଡାକ୍ତରନାହାନ୍ତି କି ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲର ସ୍ଥାୟୀ ନିର୍ଦ୍ଦେଶକ ମଧ୍ୟ ନିଯୁକ୍ତି କରିବାରେ ରାଜ୍ୟ ସରକାର ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । 

ଉପରୋକ୍ତ ଅନୀୟମିତା ସବୁ ପାଇଁ ନୀତି ଆୟୋଗର ବାର୍ଷିକ ସ୍ୱାସ୍ଥ୍ୟ ସୂଚକାଙ୍କ (୨୦୧୯-୨୦)ରେ ୧୮ଟି ବୃହତମ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ରେ ରହିଛି । ଏଥିପାଇଁ ରାଜ୍ୟ ସରକାର ଏକ “ଶ୍ୱେତପତ୍ର” ଜାରି କରି କେବେ ସମସ୍ତ ଡାକ୍ତର, ପାରାମେଡିକାଲ ଷ୍ଟାପ୍ ନିଯୁକ୍ତି କରିବା ସହିତ କେଉଁ ହସ୍ପିଟାଲରେ କେଉଁ ସେବା, କେଉଁ ସ୍ପେଷାଲିଟି ଅଛନ୍ତି ଏବଂ କେଉଁ ନିଦାନ ମିଳୁଛି ସହିତ ସମସ୍ତ ସମସ୍ୟାର ସମାଧାନ କେବେ ସୁଦ୍ଧା କରିବେ ତାହା ଓଡ଼ିଶାବାସୀଙ୍କୁ ଜଣାଇବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।   ଏହି ଅବସରରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ସମବାୟ ସେଲ୍‌ର ଅଧ୍ୟକ୍ଷ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।   

Sponsored
bjp press meet | Argus English