Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧାମନଗର ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି

Odisha

ଧାମନଗର ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି

Jitendra Dash
Browse all articles by Jitendra Dash
·2 years ago·4 min read
ଧାମନଗର ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି

ଅର୍ଗସ ବ୍ୟୁରୋ : ଓଡିଶାର ପ୍ରାକୃତିକ ସମ୍ପଦକୁ ଶାଗ ମାଛ ଦରରେ ଅଣ ଓଡିଆ ବ୍ୟବସାୟୀ ମାନଙ୍କ ହାତରେ ଟେକି ଦିଆଯାଉଛି । କିନ୍ତୁ ଓଡିଶାର ଯୁବକମାନେ ରାଜ୍ୟରେ ଚାକିରି ନ ପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ‘ଆମ ଓଡିଶା ନବୀନ ଓଡିଶା’ ନାଁରେ ଆଉ ଏକ ଦୁର୍ନୀତିର ପେଡି ଖୋଲି ବିଜୁ ଜନତା ଦଳର କର୍ମୀ ମାନଙ୍କୁ ନିର୍ବାଚନୀ ଖର୍ଚ୍ଚ ଦେବାର ମସୁଧା କରାଯାଇଛି । ଦୀର୍ଘ ୨୩ ବର୍ଷ ଧରି ଓଡିଶାରେ ଚାଲିଥିବା ବିଜେଡି ସରକାରର ଲମ୍ବା ଦୁର୍ନୀତିର ତାଲିକା ରାଜ୍ୟବାସୀଙ୍କୁ ଅଛପା ନାହିଁ । ପଂଚାୟତ, ବ୍ଲକ ରୁ ସଚିବାଳୟ – ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପିଛି । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ଦେଇଛନ୍ତି ୧୮.୮୩ ଲକ୍ଷ କୋଟି ଟଙ୍କା । ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ ହେଉଛି ଏବଂ ଏହି ମଧୁଚନ୍ଦ୍ରିକାରେ “ଅଣଓଡିଆ ଅଫିସର - ଠିକାଦାର – ବ୍ୟବସାୟୀ” ସଂପୃକ୍ତ । ୫୦% ପିସି କମିଶନ ଟଙ୍କାରେ ମାଲେମାଲ ବିଜେଡି ନେତା, ମନ୍ତ୍ରୀ ଓ କୁଜିନେତା । ଅନ୍ୟ ପଟେ ଓଡିଆ ଲୋକମାନେ ଆଜି ନିର୍ଯ୍ୟାତିତ, ଯୁବକମାନେ ପ୍ରତାରିତ, ମହିଳାମାନେ ଅସୁରକ୍ଷିତ । ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାଧାରଣ ଓଡିଆ ଲୋକମାନେ ଆଜି ଅଣନିଶ୍ୱାସୀ । ଓଡିଶାରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଆଗରେ ବିଜେପି ତରଫରୁ ଗତ ୧୪ ତାରିଖଠାରୁ ଜନଆକ୍ରୋଶ ଆନ୍ଦୋଳନ ଆରମ୍ଭ ହୋଇଛି । ଏ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ‘ଲ’ଲେସ୍‌ନେସ୍‌’ର ଶୀକାର ହୋଇ ଆମ ଶାନ୍ତିପ୍ରିୟ ଓଡିଶା ଏବେ ଅଶାନ୍ତ । ନବୀନ ସରକାରରେ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି ଓଡିଶା । ଶାସକ ଦଳର ୪୦ରୁ ଅଧିକ ବିଧାୟକ ଆଜି ସଙ୍ଗୀନ ଦଫାର ଅଭିଯୁକ୍ତ । ବିଜେଡି ସାଂସଦ ଓ ବିଧାୟକ ମାନଙ୍କ ନାଁରେ ଯୈାନ ନିର୍ଯ୍ୟାତନାର ମାଳମାଳ ଅଭିଯୋଗ ରହିଛି କିନ୍ତୁ କେଉଁ ଗୋଟିଏ ଘଟଣାରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ ।   ରାଜ୍ୟରେ ପ୍ରତି ଅଢେଇ ଘଂଟାରେ ଜଣେ କେହି ହତ୍ୟାର ଶିକାର ହେଉଛି ତ କେଉଁଠି ଜଣେ ମହିଳା ବଳାତ୍କାରର ଶିକାର ହେଉଛି । ନାବାଳିକା ଅପହରଣ ଓ ଦୁଷ୍କର୍ମରେ ଓଡିଶା ଭାରତବର୍ଷର ୧ ନମ୍ବର ସ୍ଥାନ ଅଧିକାର କରିଛି । ଗଂଜେଇ, ଅଫିମ, ବ୍ରାଉନସୁଗାର, ଚରସ, କୋକେନ, ହିରୋଇନ, ସାପ ଗରଳ ଭଳି ଉତ୍କଟ ନିଶା କାରବାରର ପେଂଠସ୍ଥଳୀ ପାଲଟିଛି ଓଡିଶା । ଥାନାଗୁଡିକରେ ଦଳୀୟ ଭିତିରେ ଏତଲା ପଞ୍ଜୀକୃତ ହେଉଛି । ପ୍ରମାଣ ନଷ୍ଟ କରି ସ୍ୱଚ୍ଛତାର ଭେଳିକି ଦେଖାଇବାରେ ଓଡିଶା ପୋଲିସ ଏକ ନୀତିରେ ପରିଣତ କରିଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ଚିଟଫଣ୍ଡ ଦୁର୍ନୀତି ସବୁଠାରୁ ବଡ ଦୁର୍ନୀତି । ଓଡିଶାବାସିଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରାଗଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଲୋକଟିଏ ବିଜେଡିର ନେତା ଓ ଅପିସରମାନଙ୍କୁ ୨୦ ହଜାର  ଟଙ୍କା ଲାଂଚ ଦେଉଛି । ଗରିବ ହିତାଧିକାରୀଙ୍କୁ ଘର ନ ଦେଇ ଦୁର୍ନୀତି ଓ ଜାଲିଆତି ହେଉଛି । ଘରକୁ ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୋଦି ସରକାର ଜଳ ଜୀବନ ମିଶନରେ ଓଡିଶାକୁ ଦେଇଥିବା ୧୫ ହଜାର କୋଟି  ଅର୍ଥରାଶିକୁ ବିଜେଡିର ନେତା ଅଫିସର ମାନେ ଲୁଟ୍ କରୁଛନ୍ତି । ବିଧବା ଭତା ଓ ବାର୍ଦ୍ଧକ୍ୟ ଭତାଟିଏ ପାଇବା ପାଇଁ ଅସହାୟ ଲୋକଟିଏକୁ ହଜାରେ ଟଙ୍କା ଲାଂଚ ମଗାଯାଉଛି । ମନରେଗାରେ କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ଗରିବ ଲୋକଙ୍କୁ ମଜୁରୀ ଆକାରରେ ନମିଳି ବିଜେଡିର ଠିକାଦାର ପକେଟକୁ ଯାଉଛି । ଧାନକିଣା ଦୁର୍ନୀତି ହେଉଛି ଅନ୍ୟତମ ବଡ ଦୁର୍ନୀତି । ‘ମିଲର୍ - ଦଲାଲ୍ – ରାଜ୍ୟ ସରକାର’ ଅସାଧୁ ମେଂଟ କାରଣରୁ ଚାଷୀମାନେ ହନ୍ତସନ୍ତ । ଡିଏମଏଫ ବାବଦରେ କେନ୍ଦ୍ର ସରକାର ଦେଉଥିବା ହଜାର ହଜାର କୋଟି ଟଙ୍କା ଆଜି ବିନା ଟେଣ୍ଡରରେ ଖର୍ଚ୍ଚ ହୋଇ ବ୍ୟାପକ ଦୁର୍ନୀତି ହେଉଛି । ସବୁ ଦୁର୍ନୀତିରେ ଏ ସରକାର ଲିପ୍ତ ଅଛି ବୋଲି ଶ୍ରୀ ସାମଲ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶାରେ ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି । ବ୍ଲକ ଚେୟାରମ୍ୟାନର ଅଧିକାରକୁ ହତ୍ୟା କରାଯାଇ ବିଡିଓଙ୍କୁ ସର୍ବେସର୍ବା କରାଯାଇଛି । ସେହିଭଳି ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦମାନଙ୍କର କିଛି କ୍ଷମତା ନାହିଁ । ଜିଲ୍ଲାପାଳମାନେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଗ୍ରାମପଂଚାୟତ ସ୍ତରର ସ୍ଥିତି ଆହୁରି ସଙ୍ଗୀନ । ଓଡିଶାରେ ବାବୁରାଜ ଅସହ୍ୟ ହେଲାଣି ବୋଲି ସରପଂଚ ଓ ସମିତି ସଭ୍ୟମାନେ ରାଜରାସ୍ତାରେ ଧାରଣା ଦେଉଛନ୍ତି । ରାଜ୍ୟରେ ଗଣତନ୍ତ୍ର ଓ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସାଭୀମୁଖୀ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ଘେରାଓ କାର୍ଯ୍ୟକ୍ରମରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ, ଭଦ୍ରକ ଜିଲ୍ଲା ଉପସଭାପତି ଚତୁର୍ଭୁଜ ନାୟକ ଓ ସାଧାରଣ ସଂପାଦକ ମନୋଜ ମଲ୍ଲିକ, ବୈକୁଂଠନାଥ ସାହୁ, କୈଳାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସୁନ୍ଦରଗଡ ଜିଲ୍ଲାର ସଦର, ବଡଗାଁ, ଲାଠିକଟା ଓ ଲହୁଣିପଡା, ଝାରସୁଗୁଡା ଜିଲ୍ଲାର ବେଲପାହାଡ, କୋଲାବିରା, ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ, ଅନୁଗୁଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ସମ୍ବଲପୁର ଜିଲ୍ଲାର ଜମନକିରା, ଦେବଗଡ ଜିଲ୍ଲାର ରିଆମାଳ, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି, କୋରାପୁଟ ମ୍ୟୁନିସିପାଲିଟି, କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା, କଲମପୁର, ଜୁନାଗଡ, କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ଜଗତସିଂହପୁର ଜିଲ୍ଲାର ବାଲିକୁଦା, ନାଉଗାଁ, କଟକ ଜିଲ୍ଲାର ମାହାଙ୍ଗା ଆଦି ସ୍ଥାନରେ ବ୍ଲକ ଓ ମ୍ୟୁନିସିପାଲିଟି ଘେରାଓ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନେତୃବୃନ୍ଦ, କାର୍ଯ୍ୟକର୍ତା ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।    
   

Sponsored
The state president participated in the Dhamnagar Block protest program | Argus English