କାଲିଠୁ ନାଟମଣ୍ଡପର ମରାମତି କାମ ଆରମ୍ଭ କରିବ ଏଏସଆଇ, ସକାଳ ୬ଟାରୁ ରାତି ୧୦ ଯାଏଁ ମରାମତି କାମ ହେବ

ଅର୍ଗସ ବ୍ୟୁରୋ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜିଠାରୁ ଆରମ୍ଭ ହୋଇଛି ନାଟମଣ୍ଡପ ମରାମତି ପ୍ରକ୍ରିୟା । ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବେ କାର୍ଯ୍ୟ କରିବ ଏଏସଆଇ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଓସି ଦିଆଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯିବ । ତାପରେ ନାଟମଣ୍ଡପରେ ଫାଟଥିବା ବିମକୁ ଯାଞ୍ଚ କରାଯିବ । ଏଏସଆଇର ସ୍ୱତନ୍ତ୍ର ଟେକନିକାଲ ଟିମ୍ ବିମ୍ ମରାମତି କରିବା ସହ ବିମ୍ ତଳେ ଲୁହାଭାରା ବାନ୍ଧି ଷ୍ଟେଜିଂ କରାଯିବ । ଏଥିପାଇଁ ପ୍ରସ୍ତୁତି ସରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ରହୁଥିଲେ ମଧ୍ୟ ତାହା ମଧ୍ୟରେ ସୁବିଧା ଦେଖି କାର୍ଯ୍ୟ କରାଯିବ । କେଉଁ ସମୟରେ କାର୍ଯ୍ୟ କରାଯିବ ଏନେଇ ମନ୍ଦିର କମାଣ୍ଡରଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୨୪ତାରିଖରେ ଏଏସଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ ରିପୋର୍ଟ ଦେବା ପରେ ସେହି ଅନୁସାରେ କାର୍ଯ୍ୟ କରାଯିବ । ସେପଟେ ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ରତ୍ନପଲଙ୍କ ତିଆରି ହେବ । ତିନିଗୋଟି ନୂଆ ରତ୍ନପଲଙ୍କ ବର୍ମାଟିକ୍ କାଠରେ ନିର୍ମିତ ହେବ ।
📱 Get Argus News App
✨ଆସନ୍ତା ଓଡିଆ ନବବର୍ଷରୁ ମହାପ୍ରଭୁ ନୂତନ ରତ୍ନପଲଙ୍କରେ ଶୟନ କରିବେ । ଏହାଛଡା ରତ୍ନପଲଙ୍କରେ ଥିବା ହାତୀଦାନ୍ତକୁ ମଧ୍ୟ ମରାମତି କରାଯିବ । ଏହାସହ ଆଜି ବୈଠକରେ ଦିବ୍ୟାଙ୍ଗ ଭକ୍ତଙ୍କୁ ଜଗା ଦର୍ଶନ କରିବା ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା ହୋଇଛି । ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟରଠାରୁ ଉତ୍ତର ଦୁଆର ପର୍ଯ୍ୟନ୍ତ ହୁଇଲ ଚେୟାର ଯୋଗେ ଦିବ୍ୟାଙ୍ଗ ଭକ୍ତଙ୍କୁ ନିଆଯିବ । ପାଟଅଗଣା ଠାରୁ ପଲି କାର୍ଵୋନେଟ୍ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗେ ଜୟବିଜୟ ଦ୍ବାର ଠାରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ ।