Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗାଡକଣ ଡମ୍ପିଂ ୟାର୍ଡର ଦୁର୍ଗନ୍ଧମୟ ପରିବେଶ ପାଇଁ ବିଜେପି ଜିଲ୍ଲା ପକ୍ଷରୁ ସତ୍ୟାଗ୍ରହ

Odisha

ଗାଡକଣ ଡମ୍ପିଂ ୟାର୍ଡର ଦୁର୍ଗନ୍ଧମୟ ପରିବେଶ ପାଇଁ ବିଜେପି ଜିଲ୍ଲା ପକ୍ଷରୁ ସତ୍ୟାଗ୍ରହ

Ritu Das
Browse all articles by Ritu Das
·2 years ago·3 min read
ଗାଡକଣ ଡମ୍ପିଂ ୟାର୍ଡର ଦୁର୍ଗନ୍ଧମୟ ପରିବେଶ ପାଇଁ ବିଜେପି ଜିଲ୍ଲା ପକ୍ଷରୁ ସତ୍ୟାଗ୍ରହ

Key Points

    ୨୩ ବର୍ଷର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି
    ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ
    ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି
    ରାଜ୍ୟ ସରକାର ‘ଡମ୍ପିଂ ୟାର୍ଡ’ର ବ୍ୟବସ୍ଥାର ସ୍ଥାୟୀ ସମାଧାନ ନକଲେ ସତ୍ୟାଗ୍ରହ ଜାରି ରହିବ
 

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ’  ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଅଳିଆ ଆବର୍ଜନାପୂର୍ଣ୍ଣ ଏହି କୃତ୍ରିମ ପାହାଡରୁ ନିର୍ଗତ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଗାଡକଣ, ରଙ୍ଗମାଟିଆ, ଡମଣା, ମଞ୍ଚେଶ୍ୱରବାସିନ୍ଦାଙ୍କ ଜୀବନ ଅତିଷ୍ଠ ହୋଇପଡିଛି । ଏହି ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଓ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ରହିଛି। 
ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧାମାନେ ଏହି ଦୁର୍ଗନ୍ଧରେ ଅସୁସ୍ଥ ହୋଇପଡୁଛନ୍ତି । ଅସୁସ୍ଥକର ପରିବେଶ ପାଇଁ ଭକ୍ତମାନେ ସେଠାରେ ଥିବା ସର୍ବେଶ୍ୱର ମହାଦେବ ମନ୍ଦିର, ଦାସରାଜ ମନ୍ଦିରକୁ ଆସୁନଥିବାରୁ ଏହା ବନ୍ଦ ରହିଛି । ଅସୁସ୍ଥ ପରିବେଶ, ବାୟୁ ପ୍ରଦ୍ୟୁଷଣ ଓ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି । ଏପରିକି ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଏଭଳି ଅମାନୁଷିକ ପଦକ୍ଷେପ ନେବା କାରଣରୁ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ପକ୍ଷରୁ ‘ଡମ୍ପିଂ ୟାର୍ଡ’କୁ ନେଇ ସତ୍ୟାଗ୍ରହ ଆରମ୍ଭ କରିଛି । 

୨୩ ବର୍ଷର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି । ସର୍ବସାଧାରଣରେ ସ୍ୱଚ୍ଛତା ରକ୍ଷା ପାଇଁ ସାଧାରଣଜନତାଙ୍କଠାରୁ ଟିକସ ନେଉଛନ୍ତି ପ୍ରଶାସନ ଓ ରାଜ୍ୟ ସରକାର । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ । ଏଥି ସହ ଏଭଳି ଦୂଷିତ ପରିବେଶ ପାଇଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବିଏମସି ଓ ରାଜ୍ୟ ସରକାର ବହନ କରନ୍ତୁ ବୋଲି ଆଜି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।

ଗତ ନଭେମ୍ବର ୪ତାରିଖରେ ବିଜେପି ‘ଡମ୍ପିଂ ୟାର୍ଡ’କୁ ନେଇ ରାଜ୍ୟ ସରକାର ଓ ବିଏମ୍‌ସିଙ୍କୁ ସଚେତନ କରାଇଥିଲା କିନ୍ତୁ ଏଥିରେ କୌଣସି ସୁଫଳ ମିଳିନାହିଁ । ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ । ନବୀନ ବାବୁ ଏହି ‘ଡମ୍ପିଂ ୟାର୍ଡ’ର ସ୍ଥାୟୀ ସମାଧାନ ନକଲେ ଭାରତୀୟ ଜନତା ପାର୍ଟି ଏହି ସତ୍ୟାଗ୍ରହକୁ ଜାରି ରଖିବ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ବିଏମ୍‌ସିର ଅପାରଗତା ଓ କୁପରିଚାଳନା ବିରୁଦ୍ଧରେ ବିଜେପି ଲଢ଼େଇ କରୁଛି ଏବଂ ଆଗାମୀ ଦିନରେ ସ୍ଥାୟୀ ସମାଧାନ ନହେଲେ ଏହି ଲଢ଼େଇ ଜାରି ରହିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଆନ୍ଦୋଳନରେ ହିମାଂଶୁ ଶେଖର ଛୋଟରାୟ, ସୁଶାନ୍ତ ସାବତ, ରାଜେନ୍ଦ୍ର ଦାସ, ପ୍ରଶାନ୍ତ ମହାନ୍ତି, ସୁଜିତ୍ କୁମାର ଦାସ୍‌, ସୁଭାଷିନୀ ପୃଷ୍ଟି, ଲିପା ଦାସ, ତୃପ୍ତିମଇ ମକଦ୍ଦମ, ଅଞ୍ଜନ ନାଥ, ସୁଶାନ୍ତ ଦାସ, ବିଜୟ ରାଉତ, ନିରଞ୍ଜନ ରାଉତରାୟ, ଯଶୋଧରା ପ୍ରଧାନ, ଜିତେନ୍ଦ୍ର ମହାନ୍ତି, ମାନସୀ ମଞ୍ଜରୀ ରାୟ, ସୁଶୀଲ ସାହୁ, ଉନ୍ନତୀ ପରିଡା, ବିକ୍ରମ ପ୍ରଧାନ, ଅଶୋକ ସେଠୀ, କସ୍ତୁରୀ ମିଶ୍ର, ରଜନୀବାଳା ଦାସ, ପ୍ରତୀକ୍ଷା ମହାପାତ୍ର, ନିର୍ମଳ ପଣ୍ଡା ଓ ଅଞ୍ଜନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
Satyagraha from | Argus English