ଏକଲବ୍ୟ ମଡେଲ ସ୍କୁଲର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Key Points
- 2 ଦିନିଆ ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି
- ବାରିପଦାରେ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦାନ
- କୁଳିଅଣାରେ ଏକଲବ୍ୟ ମଡେଲ ସ୍କୁଲର କଲେ ଉଦଘାଟନ
- ଜନଜାତିଙ୍କ ଭାଷା ଓ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ପାଇଁ ବାଜପେୟୀ ଓ ମୋଦିଙ୍କୁ ସମ୍ମାନ
ଅର୍ଗସ ବ୍ୟୁରୋ: ଜନ୍ମମାଟିରେ ପହଞ୍ଚିଲେ ମହାମହିମ । ମୟୂରଭଞ୍ଜ ମାଟିର ଝିଅ, ଓଡ଼ିଶାର ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ ପାଇଁ ହେଲିପ୍ୟାଡରୁ ନେଇ ଜିଲ୍ଲା ମୁଖ୍ୟାଳୟ ଯାଏଁ କରାଯାଇଥିଲା ଭବ୍ୟ ଆୟୋଜନ। ଅବସର ଥିଲା ବାରିପଦା ସହିଦ ସ୍ମୃତି ଭବନରେ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀ ଓ ସାରସ୍ବତ ଉତ୍ସବ। ସାନ୍ତାଳୀ ଭାଷାର ଲିପି ଅଲ ଚିକିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଧନ୍ୟବାଦ ଜଣାଇ ସମ୍ବୋଧନର ଆରମ୍ଭ କଲେ ରାଷ୍ଟ୍ରପତି । ସାନ୍ତାଳୀ ଭାଷାର ବିକାଶ, ପ୍ରଚାରପ୍ରସାର ଓ ସାହିତ୍ୟ ସୃଷ୍ଟିରେ ଯୋଗଦାନ କରିଆସୁଥିବା ଲେଖକ ଓ ବିଦ୍ୱାନଙ୍କୁ ସାଧୁବାଦ ଦେଲେ ।
ଏ ଦିଗରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଐତିହାସିକ ଅବଦାନକୁ ମନେ ପକାଇଲେ ମହାମହିମ। କହିଲେ ନିଜେ ଓଡ଼ିଶା ସରକାରରେ ମନ୍ତ୍ରୀ ଥିବାବେଳେ ସାନ୍ତାଳୀ ଭାଷାକୁ ସମ୍ବିଧାନରେ ସ୍ଥାନିତ କରିବାକୁ ଉଦ୍ୟମ କରିଥିଲେ । ବାଜପେୟୀଙ୍କ ଯୋଗୁଁ ହିଁ 2003 ଡିସେମ୍ବର 22ରେ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ ହେଲା ସାନ୍ତାଳୀ ଭାଷା ।
ବାଜପେୟୀ ସରକାରଙ୍କ ଅମଳରୁ ସାନ୍ତାଳୀ ଭାଷାକୁ ମିଳିଲା ମାନ୍ୟତା। ଅନ୍ୟ ଭାରତୀୟ ଭାଷା-ସାହିତ୍ୟ ଭଳି ସାନ୍ତାଳୀ ଭାଷାର ଲେଖକ-ଲେଖିକାମାନଙ୍କୁ ଜାତୀୟ ସ୍ତରରେ ସମ୍ମାନ ମିଳିବାର ଧାରା ଆରମ୍ଭ ହେଲା। ଏହି ଧାରା ମୋଦି ସରକାରରେ ମଧ୍ୟ ଜାରି ରହିଛି। 2020ରେ ଦମୟନ୍ତୀ ବେସ୍ରା ଓ 2022ରେ କାଳୀପଦ ସରେନ୍ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି।
ସାମ୍ପ୍ରତିକ ବିଶ୍ବରେ ବଡ଼ ସମସ୍ୟା ପାଲଟିଛି ଜଳବାୟୁ ପରିବର୍ତ୍ତନ। ଏହି ସମସ୍ୟାରୁ ମୁକ୍ତି ପାଇଁ ଆବଶ୍ୟକ ପ୍ରକୃତି ଅନୁକୂଳ ଜୀବନ ଯାପନ । ଯାହା ଶିକ୍ଷା କରିବାର ଉତ୍ସ ହେଉଛି ଆଦିବାସୀଙ୍କ ଜୀବନ । ଏଣୁ ସାହିତ୍ୟିକ ମାନେ ନିଜ ଲେଖାରେ ଜନଜାତୀୟ ସମାଜଭିତ୍ତିକ ପ୍ରସଙ୍ଗ ସବୁକୁ ସ୍ଥାନ ଦେବାକୁ ରାଷ୍ଟ୍ରପତି ଦେଇଛନ୍ତି ଆହ୍ବାନ ।
📱 Get Argus News App
✨ଛୋଟ ପିଲାମାନଙ୍କୁ ପଢ଼ାପଢ଼ି ପ୍ରତି ଆକୃଷ୍ଟ କରିବା ବର୍ତ୍ତମାନ ସମୟର ଆହ୍ବାନ । ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । କହିଛନ୍ତି ସାନ୍ତାଳୀ ସମେତ ସବୁ ଭାରତୀୟ ଭାଷାରେ ରୁଚିପୂର୍ଣ୍ଣ ଶିଶୁ ଓ କିଶୋର ସାହିତ୍ୟ ରଚନା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।
ସାନ୍ତାଳୀ ଭାଷା ସମ୍ମିଳନୀ ପରେ ମୟୁରଭଞ୍ଜ କୁଳିଅଣାରେ ଏକଲବ୍ୟ ମଡେଲ ସ୍କୁଲର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମ୍ବୋଧନରେ ଆଦିବାସୀ ଅଞ୍ଚଳର ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବା ଏଭଳି ସ୍କୁଲର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହି ସଭାରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଜଗନ୍ନାଥ ସାରକା ପ୍ରମୁଖ ଉପସ୍ଥିତ ଥିଲେ ।