ଗୁରୁପ୍ରିୟା ସେତୁ ନାଁରେ ପୁଣି ରାଜନୀତି

ଅର୍ଗସ ବ୍ୟୁରୋ: ପାଞ୍ଚ ବର୍ଷ ତଳେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳକୁ ସଂଯୋଗ କରିବାକୁ ଉଦଘାଟନ ହୋଇଥିଲା ଗୁରୁପ୍ରିୟା ସେତୁ। ସ୍ବାଭିମାନ ଅଞ୍ଚଳରେ ଆଉ ଏକ ପୋଲ ପାଇଁ ପୂର୍ବରୁ ଦାବି ହୋଇଆସୁଥିଲେ ହେଁ ଏ ନେଇ କେବେ କୌଣସି ଦାବି କି ଆଲୋଚନା କରିନାହିଁ ଶାସକ ଦଳ।
2019 ନିର୍ବାଚନ ପୂର୍ବରୁ ଦୀର୍ଘ ବର୍ଷ ପରେ ଉଦଘାଟନ ହୋଇଥିଲା ଗୁରୁପ୍ରିୟା ସେତୁ। ନିର୍ବାଚନରେ ସେତୁ ନାଁରେ ଭୋଟ୍ ହାତେଇବା ପରେ ଏ ପ୍ରସଙ୍ଗ ଭୁଲି ଯାଇଥିଲା ବିଜୁ ଜନତା ଦଳ। 5 ବର୍ଷ ଭିତରେ ନା ଏ ନେଇ କୌଣସି ଆଲୋଚନା ହୋଇଛି ନା ହୋଇଛି କିଛି ଯୋଜନା । କିନ୍ତୁ ଏବେ ଦ୍ବିତୀୟ ଗୁରୁପ୍ରିୟା ସେତୁ ନାଁରେ ହଠାତ୍ ଚେଇଁ ଉଠିଛନ୍ତି ସ୍ଥାନୀୟ ବିଜେଡି ନେତା। ଗତ 15 ତାରିଖରେ ସ୍ୱାଭିମାନ ଅଞ୍ଚଳର ଅଣ୍ଡରାପାଲ୍ଲୀ ପଞ୍ଚାୟତର ଓରାପଦର ନଦୀ ଘାଟରେ ଦଳୀୟ କାର୍ଯ୍ୟକ୍ରମ କରିଛନ୍ତି। ବାଜା ବାଜୁଛି, ନାଚଗୀତ ବି ହେଉଛି। ନାଚଗୀତର ତାଳେ ତାଳେ ଲୋକେ ବି ନାଚୁଛନ୍ତି। ଆଉ ଓରାପଦରଠାରୁ ମୁଦୁଲିଗୁଡା ପର୍ଯ୍ୟନ୍ତ ସେତୁ ନିର୍ମାଣ ପାଇଁ ଲୋକଙ୍କୁ ମତାଯାଉଛି। କିନ୍ତୁ ଏସବୁ ମିଛ ଆଉ ପ୍ରହସନ ବୋଲି ଖୋଦ ବିଜେଡି ନେତା କହିଛନ୍ତି। ଦାବି ପୂରଣ ପାଇଁ ନିଜ ଦଳର ସରକାର ବିରୋଧରେ ରାଜଧାନୀରେ ବି ଧାରଣା ଦେବେ ବୋଲି କହିଛନ୍ତି ବିଜେଡି ନେତା।
ପାଞ୍ଚ ବର୍ଷ ତଳେ ଗୁରୁପ୍ରିୟା ସେତୁ ଫଳରେ ବିଛିନ୍ନାଞ୍ଚଳ ଯନ୍ତ୍ରଣାରୁ ଆପାତତଃ ଉଦ୍ଧାର ପାଇଥିଲେ ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର 9 ଟି ପଞ୍ଚାୟତ 151 ଖଣ୍ଡ ଗାଁର ଲୋକେ। ବିଚ୍ଛିନ୍ନାଞ୍ଚଳକୁ ଦ୍ବିତୀୟ ଗୁରୁପ୍ରିୟା ସେତୁର ଆବଶ୍ୟକତା ଅଛି ଏକଥା ସତ। କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର ମୁଦୁଳିଗୁଡାଠାରୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ଅଣ୍ଡାରପାଲିକୁ ସଂଯୋଗ କରି ଦ୍ବିତୀୟ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ପୂର୍ବରୁ ଦାବି ହୋଇଆସୁଛି। କାରଣ ଏହି ସ୍ଥାନରେ ଦେଶୀ ଡଙ୍ଗା ସାହାଯ୍ୟରେ ଯାତାୟାତ କରି ପ୍ରତିବର୍ଷ ଡଙ୍ଗା ବୁଡିରେ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ଏ ନେଇ ପାଞ୍ଚ ବର୍ଷ ଧରି କିଛି ବି ଆଲୋଚନା ବା ଦାବି କରିନଥିଲେ ଶାସକ ଦଳର ଏ ନେତା। ଏବେ କିଛି କୁଆଡୁ ନାହିଁ। ଆଉ ମାସ କେଇଟା ପରେ ନିର୍ବାଚନ ଥିବାବେଳେ ହଠାତ୍ ବିଜେଡିକୁ ପୁଣି ସ୍ବପ୍ନରେ ଦେଖାଯାଇଛି ଦ୍ବିତୀୟ ଗୁରୁପ୍ରିୟା ସେତୁ । ଏହାକୁ ନେଇ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ।
📱 Get Argus News App
✨ଏଠି ପ୍ରଶ୍ନ ଉଠୁଛି ବିଜେଡିର ଦ୍ବିତୀୟ ଗୁରୁପ୍ରିୟା ସେତୁ ଦାବିରେ ଅଛି କେତେ ଆନ୍ତରିକତା। ପ୍ରକୃତରେ ଆଦିବାସୀଙ୍କ କଲ୍ୟାଣ ପାଇଁ ଚିନ୍ତିତ ବିଜେଡି, ନା ଇଏ ଭୋଟ୍ ବ୍ୟାଙ୍କ ରାଜନୀତି ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର