ଟ୍ରେନ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଲେ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ କଣ୍ଢେଇଖୋଲ ଗାଁର ସୁଶାନ୍ତ ନାଏକ ବାହାର ରାଜ୍ୟକୁ ଦାନନ ଖଟିବାକୁ ଯାଉଥିବା ବେଳେ ଟ୍ରେନ ଦୁର୍ଘଟଣାରେ ଚାରି ଦିନ ତଳେ ନାଗପୁର ଷ୍ଟେସନ ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଗତ କାଲି ସନ୍ଧ୍ୟାରେ ତାଙ୍କ ପରିବାର ଲୋକଙ୍କୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଶବ ଆଣିବାକୁ ଯୁବକଙ୍କ ପରିବାର ପାଖରେ ଆର୍ଥିକ ସମ୍ବଳ ନାହିଁ। ତେଣୁ ଏନେଇ ସେମାନେ ସରକାରଙ୍କୁ ନିବେଦନ କରିବା ସହ ଶେଷ ଦର୍ଶନ ପାଇଁ ଚାହିଁ ରହିଛନ୍ତି। ସେପଟେ ସୁଶାନ୍ତଙ୍କୁ ହରାଇ ଘରେ ପରିବାର ଲୋକ କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇଯାଉଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଗାଁକୁ ଶବ ଆଣିବାକୁ ନିବେଦନ କରିଛନ୍ତି ମୃତକଙ୍କ ପରିବାର ଓ ଗ୍ରାମବାସୀ। ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ସୁଶାନ୍ତଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାର ଅନ୍ତର୍ଭୁକ୍ତ କରାଯାଇନି। ସ୍ଥାନୀୟବାସୀ କହିଛନ୍ତି ଗାଁର ବହୁ ଲୋକ ଏମିତି କାମ ନ ପାଇ ବାହାରକୁ ଖଟିବାକୁ ଯାଉଛନ୍ତି। ସରକାର ଏଥିପାଇଁ ରୋଜଗାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

