ତୃତୀୟ ଦିନରେ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଲେ

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କମାରଡିହା ପଞ୍ଚାୟତ ଖୁଣ୍ଟା ସରକାରୀ ୟୁଜିଏମଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ବିଦ୍ୟାଳୟ ଗେଟରେ ତାଲା ପକାଇ ତିନିଦିନ ହେଲା ଧାରଣାରେ ବସିଛନ୍ତି l ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ ପରିଚାଳନା କମିଟିର ସଦସ୍ୟ ସଦସ୍ୟାଙ୍କ ଜାଲ ଦସ୍ତଖତ କରି ବିଦ୍ୟାଳୟକୁ ଆସୁଥିବା ସରକାରୀ ଟଙ୍କାକୁ ଆତ୍ମସାତ କରିବାର ଅଭିଯୋଗ ହୋଇଥିଲା। ଏନେଇ ପରିଚାଳନା କମିଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ଏବଂ ଜିଲ୍ଲାପାଳଙ୍କ ଜନଶୁଣାଣିରେ ବି ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଜୟନ୍ତୀ ସାହୁଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଠି ନମ୍ବର ୨୬୮୪ ନିଲମ୍ବିତ କରାଯାଇଛି ଉକ୍ତ ଆଦେଶକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିରାସ୍ତ କରିବା ସହିତ ପୂର୍ବବତ ଉକ୍ତ ବିଦ୍ୟାଳୟରେ ଶିକ୍ଷା ଦାନ ପାଇଁ ଶ୍ରୀମତୀ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଉକ୍ତ ନିଷ୍ପତ୍ତିକୁ ପରିଚାଳନା କମିଟିର ସଭାପତି ମୁକ୍ତକେଶରୀ ବେହେରାଙ୍କ ସମେତ ସମସ୍ତ ସଦସ୍ୟସଦସ୍ୟା ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇବା ସହିତ ତିନି ଦିନ ହେବ ଧାରଣାରେ ବସିଛନ୍ତି। ତିନିଦିନ ବସିବା ପରେ ମଧ୍ୟ କୌଣସି ଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ କିମ୍ବା ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି। ଅପରପକ୍ଷେ ତିନି ଦିନ ଧରି ବିଦ୍ୟାଳୟ ଗେଟରେ ତାଲା ପଡ଼ିଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଇଛି।