ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା

ଅର୍ଗସ ବ୍ୟୁରୋ: ଧେତ୍ । ଭାତ ବାସ୍ନାରେ ତମର ଘୁଷୁରିବା କଥା ମିଛ । ଗୋଡ଼ରୁ ଗଜରୁଥିବା ମାଇଲ ମାଇଲ ପରାଜୟର ପାଦଚିହ୍ନ ବି ମିଛ । ଯେଉଁ ଦୃଶ୍ୟରୁ ବାହାରି ହେବନି ସେମିତି ଦୃଶ୍ୟର ପ୍ରଶ୍ନିଳ ଚାହାଣୀ ନେଇ ଆଣ୍ଠେଇ ଆଣ୍ଠେଇ କୁଆଡ଼େ ଯାଉଛ ? ତମ ଲୁହ କି ଲହୁର ରଙ୍ଗ ୨୪ ବର୍ଷ ହେବ କାହାକୁ ଦିଶିଛି ଯେ ଆଣ୍ଠେଇ ଆଣ୍ଠେଇ ବାହାରି ପଡ଼ିଛ ରାସ୍ତାକୁ ? ରାସ୍ତା ତ ହାହାକାରକୁ ଗିଳି ଦେଉଥିବା ଗୋଟେ ଅଜଗର କେବେକେବଳ ରାସ୍ତା ହିଁ ଗୋଟେ ଅଜଗର । ଭୋଟ୍ ଦେଲା ବେଳେ ସିନା ତରାଜୁରେ ତମ ଓଜନ ମପାଯିବ । ନ ହେଲେ ତମେ ବଞ୍ଚିଛ ବୋଲି ୨୪ ବର୍ଷ ଧରି ଶାସନ କରୁଥିବା ସ୍ଥିର ସରକାରର ମଙ୍ଗୁଆଳ, ମନ୍ତ୍ରୀ ନା ପ୍ରଶାସକ, କିଏ ଜାଣିଛି, କିଏ ଦେଖିଛି ? ହେଲେ କିଏ ୟେ ? ଗୁରୁଣ୍ଡିଗୁରୁଣ୍ଡି ଚମ୍ ଧୁଡ୍ ଧୁଡ୍ ଶରୀର ନେଇ କୁଆଡ଼େ ବାହାରିଛି ?
ବୟସ ୮୫ ଡେଇଁଲାଣି । କଥା ବି ପାଟିରୁ ଜୋରରେ ବାହାରୁନି । ହେଲେ ଜୀବନର ଅପରାହ୍ନରେ ମାଇଲ ମାଇଲ ବାଟ ଆଣ୍ଠେଇ ସମସ୍ୟାର ସମାଧାନ କରି ଜୀବନ ଜୀଇଁବା ପାଇଁ ଚେଷ୍ଟିତ ସୁନ୍ଦରଗଡ଼ କୁତ୍ରା ବ୍ଲକର ଟେରସା ବାର୍ଲା । ଅସୁସ୍ଥ ଥିବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇବାକୁ ଯାଇଥିଲେ । ଚିକିତ୍ସା ପାଇଁ ବୈଦ୍ୟ ପାଉଣା ମାଗିଥିଲେ । ଏଥିପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଆଧାର ସଂଯୋଗ ହୋଇନପାରିବାରୁ ବ୍ୟାଙ୍କକୁ ଯିବା ପାଇଁ କୁହାଯାଇଥିଲା । ତେଣୁ ସେଥିପାଇଁ ଅସହାୟ ଟେରସା ଗୁରୁଣ୍ଡି ଗୁରୁଣ୍ଡି ୩୦ କିଲୋମିଟର ଦୂର ବ୍ୟାଙ୍କକୁ ଯିବାକୁ ବାହାରିଥିଲେ । କୁତ୍ରା ବଜାରରେ ସାମ୍ବାଦିକ ଦେଖି ତାଙ୍କୁ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ । ସେଠାରେ ଯାଞ୍ଚ ପରେ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ଥିବା ଜଣାପଧଡ଼ିଥିଲା । ସେଠାରୁ ସେ ହଜାରେ ଟଙ୍କା ଉଠାଇ ଘରକୁ ଫେରିଥିଲେ ।
ଏପ୍ରିଲ ମାସରେ ବି ଏମିତି ଏକ ଦୃଶ୍ୟ ନବରଙ୍ଗପୁର ଝରିଗାଁରୁ ସାମ୍ନାକୁ ଆସିଥିଲା । ପେନସନ୍ ପାଇଁ ସୂର୍ଯ୍ୟ ହରିଜନ ନାଁରେ ଜଣେ ବୃଦ୍ଧା ଚେୟାର ଧରିଧରି ବ୍ୟାଙ୍କ ଯିବା ଘଟଣା ହଇଚଇ ସୃଷ୍ଟି କରିଥିଲା । ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ବିଟ୍ ପରେ ତାଙ୍କ ଦୁଆର ମୁହଁରେ ପହଞ୍ଚିଥିଲା ପ୍ରଶାସନ । ଆଉ ସେତେବେଳେ ବାହାଦୂରୀ ମାରିବା ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଆଗକୁ ଏଭଳି ଦୃଶ୍ୟ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ଦମ୍ଭ ଭରିଥିଲେ । ସମସ୍ତ ଭିନ୍ନକ୍ଷମଙ୍କୁ ହ୍ବିଲ୍ ଚେୟାରର ବ୍ୟବସ୍ଥା ପାଇଁ ଅଲେଖା ପ୍ରତିଶ୍ରୁତି ଦେଇଥିଲେ । ହେଲେ ସାତ ମାସର ସମୟ ଭିତରେ କଣ ବଦଳିଲା ? ଛାଡ଼ନ୍ତୁ…୨୪ ବର୍ଷର ସ୍ଥିର ସରକାରରେ ଯଦି ଅବସ୍ଥା ନ ବଦଲିଲା ଆଉ ସାତ ମାସରେ କଣ ବଦଳିବ ? ହେଲେ ଏ ଦୃଶ୍ୟକୁ ଦେଖି ବିଜେଡି ସରକାରର ନେତା, ମନ୍ତ୍ରୀଙ୍କ ଆଖିକୁ ନିଦ କେମିତି ଆସୁଛି ? ଜଣେ ଭିନ୍ନକ୍ଷମ ବୃଦ୍ଧା ମହିଳା ଗୁରୁଣ୍ଡି ଗୁରୁଣ୍ଡି ନିଜ ହକ୍ ପାଇଁ ଯାଉଥିବାର ଦେଖି ଏ ପ୍ରଚାରରେ ମାତିଥିବା ଶଙ୍ଖଦଳର ନେତାଙ୍କ ପାଟିକୁ ଦାନା ଯାଉଛି କେମିତି ?
📱 Get Argus News App
✨ସେଥିପାଇଁ ଅପାରଗ ସରକାର କହି ପ୍ରବଳ ବର୍ଷିଛି ବିଜେପି ।ଟେରସା ତ ଭାତହାଣ୍ଡି ଭିତରୁ କେବଳ ଗୋଟିଏ ଭାତ । ଏମିତି ରାଜ୍ୟ ସାରା ହଜାରହଜାର ଟେରସା ଅଛନ୍ତି । ଯେଉଁମାନଙ୍କ ପାଇଁ ବିକାଶ ତ ଛାଡ଼ନ୍ତୁ ସରକାରୀ ସୁବିଧା ବି ସାତ ସପନ । ୨୪ ବର୍ଷର ସ୍ଥିର ସରକାର ଉପରେ ଏହା ଠାରୁ ବଡ଼ ପ୍ରଶ୍ନବାଚୀ ଆଉ କଣ ହୋଇପାରେ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: