ପିଉ ପିଉ ପିଇଦେଲେ ୬୦ କୋଟି !

Key Points
- ବେଲଗାମ ହେଲାଣି ମଦୁଆଙ୍କ ସଂଖ୍ୟା
- ଗୋଟିଏ ଦିନରେ ପିଇ ଦେଲେ ୬୦ କୋଟିର ମଦ
- ୩ ବର୍ଷରେ ମହିଳାଙ୍କ ମଧ୍ୟରେ ବଢିଲାଣି ଦୁଇ ଗୁଣ
- ଦୁର୍ଘଟଣା ପଛରେ ବି ମଦ ଦାୟୀ ?
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ବଢୁଛି ମଦୁଆଙ୍କ ସଂଖ୍ୟା । କେବଳ ପୁରୁଷଙ୍କ କ୍ଷେତ୍ରରେ ନୁହେଁ ବରଂ ପୁରୁଷଙ୍କୁ ତାଳ ଦେଇ ମହିଳାଙ୍କ କ୍ଷେତ୍ରରେ ବି ବଢୁଛି ମଦ୍ୟପଙ୍କ ସଂଖ୍ୟା । ପାଖାପାଖି ୩ ବର୍ଷରେ କେବଳ ମହିଳାଙ୍କ କ୍ଷେତ୍ରରେ ବଢିଲାଣି ଦୁଇ ଗୁଣା । ଯାହାକୁ ନେଇ ସରକାର ବେଫିକର କିନ୍ତୁ ଚିନ୍ତାରେ ବୁଦ୍ଧିଜୀବୀ । ସ୍ଥିତି ଏମିତି ହେଲାଣି କି ଯେଉଁମାନଙ୍କୁ ସରକାରୀ ଲାଇସେନ୍ସ ମିଳିଛି ମଦ ବିକ୍ରି କରିବାକୁ ସେମାନେ ନିର୍ଦ୍ଧାରିତ ପରିସୀମାରୁ ବାହାରି ଡବଲ ମଦ କିଣୁଛନ୍ତି ବୋଲି ନ୍ୟାସନାଲ ଫ୍ୟାମିଲ ସର୍ଭେରେ ରିପୋର୍ଟ ପ୍ରକାଶ ପାଇଛି । ଯେଉଁ କଥାରୁ ଗୋଟିଏ କଥା ସ୍ପଷ୍ଟ ନବୀନ ସରକାର ଚାହୁଁଛି ରାଜ୍ୟରେ ଅହେତୁକ ଭାବରେ ବଢୁ ମଦୁଆଙ୍କ ସଂଖ୍ୟା ।
ନିର୍ବାଚନ ପାଖେଇ ଆସୁଥିବାରୁ ମଦ ବିକ୍ରି ବଢିବା ସ୍ଵାଭାବିକ କଥା । ହେଲେ ରାଜ୍ୟରେ ବର୍ତ୍ତମାନ ଯେମିତି ଭାବରେ ମଦ ବିକ୍ରି ବଢୁଛି ସେନେଇ ଚିନ୍ତା ବଢିଛି । କାରଣ ଡିସେମ୍ବର ୩୧ ଛୁଟିଦିନ ଥିବାରୁ ୩୦ ତାରିଖରେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ବିକିଛି ୧୧ ଲକ୍ଷ ଲିଟର ମଦ, ଆଉ ସେଥିରୁ ଆୟ କରିଛି ୬୦ କୋଟିରୁ ଅଧିକ ଟଙ୍କ । ସିଏ ପୁଣି ଲୁଚାଛପା ନୁହେଁ ବରଂ ଖୁଲମଖୁଲା ।
ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା ! ଫୁଲ୍ ନିଶାରେ ଝୁମିଥିଲା ପୂରା ଓଡ଼ିଶା । ପିଉ ପିଉ ପିଇ ଦେଇଥିଲେ ୧୧ ଲକ୍ଷ ଲିଟର ମଦ ! ନିଶାପାଣିରେ ଉଡ଼ିଗଲା ୬୦ କୋଟିରୁ ଅଧିକ ଟଙ୍କା ! ନୂଆବର୍ଷକୁ ଖାଲି ନାଚଗୀତ ମଉଜ-ମଜଲିସରେ ନୁହେଁ, ବରଂ ତଥ୍ୟ କହୁଛି ନିଶାରେ ନିଶାରେ ସ୍ୱାଗତ କରିଥିଲା ସାରା ରାଜ୍ୟ । ଖୁସିରେ ଖୁସିରେ ଢୋକି ଦେଇଥିଲା ଲକ୍ଷଲକ୍ଷ ଲିଟର ମଦ । OSBCର ସୂଚନା ଅନୁସାରେ, ଡିସେମ୍ବର ୩୦ରେ ଏହାର ୯ଟି ସରକାରୀ ଡିପୋରୁ ଉଠିଥିଲା ୧୧ ଲକ୍ଷ ଲିଟର ମଦ । ଯାହାର ମୂଲ୍ୟ ୬୦ କୋଟି ୭୩ ଲକ୍ଷ ଟଙ୍କା । ୩୧ ତାରିଖ ରବିବାର ସବୁ ଡିପୋ ବନ୍ଦ ରହିବାକୁ ଥିବାରୁ, ୩୦ରୁ ହିଁ ଏହି ବିପୁଳ ପରିମାଣର ମଦ କିଣିନେଇଥିଲେ ରାଜ୍ୟର ପ୍ରାୟ ୨ ହଜାର ରିଟେଲ ଆଉଟଲେଟ । ଦୈନିକ ହାରାହାରି ୨୦ କୋଟି ଟଙ୍କାର ମଦ ବିକ୍ରି କରୁଥିବା OSBCର ବ୍ୟବସାୟ ଅଚାନକ ୩ ଗୁଣ ବଢ଼ିଯାଇଥିଲା ।
📱 Get Argus News App
✨ଡିସେମ୍ବର ୩୦ରେ ବିକ୍ରି ହୋଇଥିବା ୬୦ କୋଟି ୭୩ ଲକ୍ଷ ଟଙ୍କାର ମଦରୁ ୫୦ କୋଟି ୮୪ ଲକ୍ଷ ଟଙ୍କା କେବଳ ବିଦେଶୀ ଓ IMFLରୁ ଆସିଛି । ବିଅର୍ ୮ କୋଟି ୪ ଲକ୍ଷ ଟଙ୍କା ଓ ଦେଶୀମଦ ୧ କୋଟି ୮୩ ଲକ୍ଷ ଟଙ୍କାର ବିକ୍ରି ହୋଇଛି । ବିଦେଶୀ ମଦ ବିକ୍ରି କ୍ଷେତ୍ରରେ ରାଜଧାନୀକୁ ବି ପଛରେ ପକାଇ ଦେଇଛି କଟକ। ଭୁବନେଶ୍ୱରରେ ୬୩ ହଜାର ୮୯୮ ଲିଟର ଫରେନ୍ ଲିକର ବିକ୍ରି ହୋଇଥିବା ବେଳେ, କଟକିଆ ପିଇଛନ୍ତି ୬୮ ହଜାର ୫୯୧ ଲିଟର ।
ଆଶ୍ଚର୍ଯ୍ୟକର କଥା ହେଲା, କେବଳ ସହର ଅଂଚଳରେ ନୁହେଁ ବରଂ ଗାଁରେ ବି ବଢୁଛି ମଦୁଆଙ୍କ ସଂଖ୍ୟା । ମଦ ପାଇଁ ଦୁର୍ଘଟଣା ବଢୁଛି, ଘରେ ଘରେ ଅଶାନ୍ତି ବି ବଢୁଛି । ଏହା ପରେ ବି ନିଦାବିଷ୍ଣୁ ପରି ଶୋଇଛନ୍ତି ରାଜ୍ୟ ସରକାର । ଆଉ ଜୀବନ ଯାଉଛି ନିରୀହ ଜନତାଙ୍କର । ସମୟ କହିବ କେବେ ଚେତୁଛନ୍ତି ରାଜ୍ୟ ସରକାର ।