Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୦୨୪ରେ ଓଡିଶାରେ ସରକାର ଗଠନ କରିବ ବିଜେପି : ମନମୋହନ ସାମଲ

Odisha

୨୦୨୪ରେ ଓଡିଶାରେ ସରକାର ଗଠନ କରିବ ବିଜେପି : ମନମୋହନ ସାମଲ

Jitendra Dash
Browse all articles by Jitendra Dash
·2 years ago·3 min read
୨୦୨୪ରେ ଓଡିଶାରେ ସରକାର ଗଠନ କରିବ ବିଜେପି : ମନମୋହନ ସାମଲ

ଅର୍ଗସ ବ୍ୟୁରୋ : ଗତ କାଲି ପ୍ରକାଶ ପାଇଥିବା ୪ ରାଜ୍ୟର ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିକୁ ଗୋଟିଏ ନୂତନ ମୋଡ ଦେଇଛି । ପ୍ରଚାର ସର୍ବସ୍ୱ, ଘୋଷଣା ସର୍ବସ୍ୱ ଏବଂ ପ୍ରତାରଣା କଲେ ଭୋଟ ପାଇବେ ନାହିଁ ଏବଂ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାନ ହେବେ । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାରର କୌଣସି ସ୍ଥାନ ନାହିଁ । ସାଧାରଣ ଗରିବ ଲୋକଙ୍କ ପାଇଁ ଆସୁଥିବା ଟଙ୍କା ତଥା ଅନୁଦାନକୁ ଲୁଟ କରିବାର ଫଳ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳକୁ ଭୋଗିବାକୁ ପଡିଛି । ଓଡିଶାରେ ମଧ୍ୟ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ପ୍ରତାରଣା ସମସ୍ତ ସୀମା ଅତିକ୍ରମ କରିସାରିଛି । ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ “ୟୁ ଟର୍ଣ୍ଣ” ନେବ ଓଡିଶା ରାଜନୀତି । ବିଜେଡିର ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟବାସୀଙ୍କ ମନରେ କ୍ରୋଧ ରହିଛି । ରାଜ୍ୟବାସୀଙ୍କ ଆସ୍ଥା ଓ ଆର୍ଶୀବାଦ ବିଜେପି ପ୍ରତି ରହିଛି । ଆଗାମୀ ସାଧାରଣ ନିର୍ବାଚନରେ ଜୋରଦାର ଲଢେଇ ହେବ; ଆଖି, କାନ, ନାକ ନଥିବା ରାଜ୍ୟ ସରକାରକୁ ଦୃଢ ଜବାବ୍ ଦିଆଯିବ; ନିର୍ବାଚନ ଫଳାଫଳ ଏକପାଖିଆ ହେବ ଏବଂ ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଠନ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

୨୩ ବର୍ଷର ବିଜେଡି ଶାସନରେ ମହିଳା ବ୍ୟଭିଚାର ଶିଖର ଛୁଇଁଲାଣି, ଦେଢ କୋଟି ଓଡିଆ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି, ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ, ଗରୀବ ଲୋକଟି ଛାତଘରଟି ପାଇବାରୁ ବଂଚିତ ରହୁଛି । ଅନ୍ୟ ପଟେ ଉତରାଧିକାରୀ ବାଛିବାରେ ଉଡାଜାହାଜ ବୁଲିବାରେ ୩୦୦ କୋଟି ଟଙ୍କା, ଲୋକଙ୍କୁ ବୋହିବାରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଓଡିଶା ଓ ଓଡିଆଙ୍କ ଅସ୍ମିତା, ସଂସ୍କୃତି ଓ ଭାବାବେଗ ସହ ଖେଳ ଖେଳାଯାଉଛି । ଜଗନ୍ନାଥ ସଂସ୍କୃତି ପ୍ରତି ଧ୍ୟାନ ନାହିଁ କି, ରତ୍ନଭଣ୍ଡାର ଖୋଲୁନାହାନ୍ତି । ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ବାରମ୍ବାର ବେଖାତିର କରାଯାଉଛି । ଶାସନ ବ୍ୟବସ୍ଥାର ଏଭଳି ଆଭିମୁଖ୍ୟକୁ ନେଇ ଜନସାଧାରଣ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ । ଜନଜାଗରଣ ସୃଷ୍ଟି ହୋଇଛି । ଓଡିଶାରେ ଯେଉଁ ଭ୍ରଷ୍ଟାଚାର ସରକାର ଚାଲିଛି, ତାକୁ ଓଡିଶାବାସୀ ନିଶ୍ଚିତ ଭାବେ ପ୍ରତ୍ୟାଖାନ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।

ଓଡିଶାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମାଦେିଙ୍କ ଲୋକପ୍ରିୟତା ସବୁଠୁ ଅଧିକ ଏବଂ ସର୍ବାଗ୍ରେ । ମହିଳା, ଯୁବ, କୃଷକ ଓ ଗରୀବ ଜାତିର ବିକାଶରେ ଦେଶର ବିକାଶ । ତୁଷ୍ଟିକରଣ ରାଜନୀତିରୁ ବହୁ ଦୂରରେ ବିଜେପି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଗ୍ୟାରେଂଟି ପ୍ରତି ଦେଶବାସୀଙ୍କ ଅତୁଟ ଭରଷା ଓ ବିଶ୍ୱାସ ରହିଛି । ୨୦୨୪ରେ ଓଡିଶାରେ “ମୋଦି ଗ୍ୟାରେଂଟି”ର ସୁଫଳ ନିଶ୍ଚିତ ଭାବେ ପ୍ରତିଫଳିତ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଗତକାଲି ନିର୍ବାଚନ ଫଳାଫଳରେ ବିଜେପି ୩ଟି ରାଜ୍ୟରେ ସରକାର ଗଠନ କରିବ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିଥିବାବେଳେ ତେଲେଙ୍ଗାନା ଫଳାଫଳ ବିଜେପି ସପକ୍ଷରେ ବହୁ ଭଲ ହୋଇଛି । ଜନସାଧାରଣଙ୍କ ଏଭଳି ଐତିହାସିକ ନିଷ୍ପତି ସମଗ୍ର ଭାରତବର୍ଷର ରାଜନୀତିକୁ ପ୍ରଭାବିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ରାଜ୍ୟ ବିଜେପି ତରଫରୁ ୪ଟି ଯାକ ରାଜ୍ୟର ସାଧାରଣ ଭୋଟର ଭାଇଭଉଣୀଙ୍କୁ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳରୁ ଜଣେ ହେଲେ ହିତାଧିକାରୀ ବଂଚିତ ନରହିଯାଆନ୍ତୁ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନିର୍ଦ୍ଦେଶରେ ଦେଶ ବ୍ୟାପୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଅବସରରେ କେନ୍ଦ୍ରୀୟ ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବା ସହିତ ବଂଚିତ ହିତାଧିକାରୀମାନେ ନିଜ ନାମକୁ ସିଧାସଳଖ ଭାବେ ପଂଜୀକୃତ କରିପାରିବେ । ଏହାର ଲାଭ ଉଠାଇବାକୁ ଶ୍ରୀ ସାମଲ ଓଡିଶାବାସୀଙ୍କୁ ‘ଅପିଲ୍‌’ କରିଛନ୍ତି ।

ବାତ୍ୟା “ମିଗ୍ ଜୋମ୍‌” ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ରାଜ୍ୟର ଅନେକାଂଚଳରେ ବର୍ଷା ଓ ଝଡ ହେବାର ଆଶଂକା ପ୍ରକାଶ ପାଇଛି । ପ୍ରଭାବିତ ଅଂଚଳର ସମସ୍ତ ଜନସାଧାରଣ ସତର୍କ ରହିବା ପାଇଁ ଅନୁରୋଧ କରିବା ସହିତ ବିଜେପି କାର୍ଯ୍ୟକର୍ତାମାନେ ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଛନ୍ତି । 

ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ମନୋଜ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

Sponsored
Odisha BJP President Manmohan Samal press meet | Argus English