ପାହାଡ ଜଙ୍ଗଲ ଡେଇଁ ପାରୁନି ବିକାଶ

ଅର୍ଗସ ବ୍ୟୁରୋ: ଅଗନାଅଗନି ବନସ୍ତ ଭିତରେ ଭୟଙ୍କର ଜଙ୍ଗଲିଆ ଆଉ ପଥୁରିଆ ରାସ୍ତା ଅତିକ୍ରମ କଲା ପରେ ପଡିବ ଚେମଚଟା...ଗାଁତ ନୁହେଁ ଏକ ସମସ୍ୟାର ଗନ୍ତାଘର। ଗାଁକୁ ଦେଖିଲେ ସ୍ପଷ୍ଟ ହେଉଛି ବିକାଶର ବାସ୍ତବତା। କିଛି ଲୋକଙ୍କୁ ଚାଉଳ ଛଡା ଆଜି ପର୍ଯ୍ୟନ୍ତ କିଛି ସରକାରୀ ସହାୟତା ଏମାନଙ୍କ ପାଖରେ ପହଞ୍ଚିନି। ଗାଁକୁ ନା ପକ୍କା ରାସ୍ତା ଅଛି ନା ଅଛି ବିସୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା। ଆଜିବି ଚେମଚଟାବାସୀଙ୍କ ପାଇଁ ବିଦ୍ୟୁତ୍ ଆଲୁଅ ସାତ ସପନ ।
ମୟୁରଭଞ୍ଜର କପ୍ତିପଦା ଓ ବାଲେଶ୍ବର କୁଲଢ଼ିଆ ଅଭୟାରଣ୍ୟ ସୀମାନ୍ତ ଚେମଚଟା ଜଙ୍ଗଲ ଭିତରେ ରହୁଛନ୍ତି 28ଟି ଲୋଧା ଆଦିବାସୀ ପରିବାର। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଝାଟିମାଟିରେ ଘରେ ରହୁଥିବା ଏହି ଗରିବ ଆଦିବାସୀଙ୍କ ପାଖରେ ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ମଧ୍ୟ ନାହିଁ। ଚେମଚଟା ଗାଁ ମୟୂରଭଞ୍ଜ କପ୍ତିପଦା ବ୍ଲକରେ ରହିଥିବାବେଳେ ବାଲେଶ୍ବର ନୀଳଗିରି ବନବିଭାଗ ଅଧିନରେ ରହିଛି ପୁରା ଇଲାକା ସେଥିପାଇଁ ଏଠି ବିକାଶ ବାଟବଣା ହେଉଥିବା ଅଭିଯୋଗ ହୁଏ।
ଗାଁରେ ସ୍ବାସ୍ଥ୍ୟ ସେବାର କୌଣସି ଚିହ୍ନ ବର୍ଣ୍ଣ ନାହିଁ । ଏଠାରେ କାହାର ଦେହ ଖରାପ ହେଲେ ଭଗବାନ ଚାହିଁଲେ ସେ କପ୍ତିପଦା ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିପାରିବ ନ ହେଲେ ଚେରମୁଳି ଭରସା । ଶିକ୍ଷା ବ୍ୟବସ୍ଥାକୁ ନଜର କରିଲେ ଗ୍ରାମରେ ଅଙ୍ଗନବାଡି ଘର ଟିଏ ନାହିଁ । ଯଦିବା ଏକ ଆଜବେଷ୍ଟସ ପକାଯାଇଥିବା ମାଟିଘରେ କିଛି ପିଲାଙ୍କୁ ନେଇ ଅଙ୍ଗନବାଡି ଚାଲିଛି ହେଲେ ସପ୍ତାହର ୬ ଦିନ ସେ ଅଙ୍ଗନବାଡି ବନ୍ଦ । ସେଭଳି ରୋଜଗାର କହିଲେ ଏଠି ଜଙ୍ଗଲ ଭରସା। ଜଙ୍ଗଲ ସାମଗ୍ରୀ ଓ ଖାଦ୍ୟ ଏଠାକା ବାସିନ୍ଦାଙ୍କ ଜୀବନ ଜୀବିକା।ଦୁଇଟି ନାଆରେ ଗୋଡ ରଖିଲେ ଯାହା ଅବସ୍ଥା ହୁଏ ଠିକ୍ ସେହି ଅବସ୍ଥା ଚେମଚଟାରେ ପ୍ରତିଫଳନ ହେଉଛି। ନା ଏଜିଲ୍ଲାର ହେଉଛନ୍ତି ନା ସେ ଜିଲ୍ଲାର। ପ୍ରଶାସନ ରାଜନେତାଙ୍କ ସ ବୁ ପ୍ରତିଶ୍ରୁତି ଏମାନଙ୍କ ପାଇଁ ପ୍ରତାରଣା। ଏବେ ସରକାର ବଦଳିଛି ତା ସହ 28ଟି ଲୋଧା ଆଦିବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: