ପାଣ୍ଡିଆନଙ୍କୁ ଦେଖିବାକୁ ୫ ହଜାର !

Key Points
- ପାଣ୍ଡିଆନଙ୍କ ସଭାକୁ ଯିବାକୁ ନେତା ବାଣ୍ଟିଲେ ଟଙ୍କା
- କାହାକୁ ୪ ହଜାର ତ ଆଉ କାହାକୁ ୫ ହଜାର
- ଭାଇରାଲ ହେଲା ଭିଡିଓ
ଅର୍ଗସ ବ୍ୟୁରୋ: ଗାଡି ଭିତରେ ବସିଛନ୍ତି ବାବୁ । ହାତରେ ଫାଇଲ ଧରି ଦସ୍ତଖତ ନେଉଛନ୍ତି । ଏ ସବୁ ଶୁଣିବା ପରେ ଆପଣ ନିଶ୍ଚୟ ଭାବୁଥିବେ ସିଏ ବୋଧହୁଏ କେଉଁ ସରକାରୀ ଅଫିସର ହୋଇଥିବେ । ରାଜ୍ୟ ନହେଲେ କେନ୍ଦ୍ର ସରକାରଙ୍କ ଯୋଜନା ବାଂଟିବାକୁ ଯାଇଥିବେ । ସେଇଥି ଲାଗି ଲୋକଙ୍କ ଦସ୍ତଖତ ନେଇ ଯୋଜନା ଦେଉଛନ୍ତି । ହେଲେ ସତ ଜାଣିଲେ ଉଡ଼ିଯିବ ହୋସ୍ । କାରଣ ସେଇ ବାବୁ ଜଣଙ୍କ ସରକାରୀ ଯୋଜନା ନୁହେଁ ବରଂ ପାଣ୍ଡିଆନଙ୍କ ଗସ୍ତ ପାଇଁ ବୁହା ହୋଇ ଆସୁଥିବା ଲୋକଙ୍କୁ ମଜୁରୀ ବାବଦରେ କାଳେ ଏହି ଟଙ୍କା ବାଣ୍ଟୁଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।
ସ୍ଥାନ-କୋରାପୁଟ । ଗସ୍ତଥିଲା- ଫାଇଭ-ଟି ଅଧ୍ୟକ୍ଷଙ୍କର । ପାଣ୍ଡିଆନଙ୍କ ଗସ୍ତଥିବାରୁ କେମିତି ସଭାସ୍ଥଳରେ ଶହଶହ ଲୋକେ ଏକାଠି ହେବେ ସେନେଇ ନେତାଏ କରିଥିଲେ ମାଷ୍ଟର ପ୍ଲାନ । କାଳେ କୌଣସି ତ୍ରୁଟି ହେବ ସେନେଇ ଟଙ୍କା କାରବାରର ବି ଆୟୋଜନ ହୋଇଥିଲା । ସେଇଥି ପାଇଁ ତ ଗାଡି ଉପରେ ବସି ଠନଠନ ଗୋପାଲଙ୍କୁ ଏମିତି ଢଙ୍ଗରେ ବାଂଟୁଛନ୍ତି ଏଇ ବାବୁ ଜଣକ ।
ପାଣ୍ଡିଆନଙ୍କୁ ନେଇ ଥମିବାରେ ନା ନେଉନି ବିବାଦ । ଯେଉଁ ଇଲାକାକୁ ଯାଉଛନ୍ତି ସେଇଠି ବିବାଦ ଖଡ୍ଡା କରୁଛନ୍ତି । ଆଉ ଏବେ ପୁଣି ଥରେ କୋରାପୁଟ ଗସ୍ତରେ ଯାଇଥିବା ବେଳେ ଲୋକଙ୍କୁ କେତେ ମାତ୍ରାରେ ଟଙ୍କା ଦିଆଯାଉଛି ତାହାର ଭିଡିଓ ଏବେ ଭାଇରାଲ ହେଉଛି । ଯାହାକୁ ନେଇ ଗୋଟିଏ କଥା ସ୍ପଷ୍ଟ ଯେ ପାଣ୍ଡିଆନଙ୍କ ସଭାକୁ ଲୋକଙ୍କୁ ନେବାକୁ ବେଫିକର ବଂଟା ଯାଉଛି ଟଙ୍କା ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଟଙ୍କା ବଂଟା ହେବା ବେଳେ ଦଳର ଖୋଦ ସାଙ୍ଗଠନିକ ସମ୍ପାଦକ ବବି ଦାସ ଉପସ୍ଥିତ ବି ଥିଲେ । ତେଣୁ ତାଙ୍କ ଉପସ୍ଥିତିରେ କେମିତି ଏମିତି ବେଆଇନ କାମ ହେଲା ତାହାକୁ ନେଇ ଏବେ ସବୁଠି ଉଠିଲାଣି ପ୍ରଶ୍ନ । ସେପଟେ ଘଟଣା ସ୍ଥଳରେ ଗଣମାଧ୍ୟମର ପ୍ରତିନିଧୀ ପହଞ୍ଚିଯିବାରୁ ବିଜେଡି ଜୟପୁରରର ଟାଣୁଆ ନେତା ତଥା ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଦାୟିତ୍ଵରେ ଥିବା ପର୍ଯ୍ୟବେକ୍ଷକ ବାଲା ରାୟ କାର କବାଟ ବନ୍ଦ କର । ମିଡ଼ିଆ ଆସି ସବୁ ରେକର୍ଡ କରୁଛି କହି ନାଲି ଆଖି ଦେଖାଇ ଓଲଟା ମିଡ଼ିଆ ଟଙ୍କା ବାଂଟୁଥିବା କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଶାସକ ଦଳ ସଭା ପାଇଁ କେତେ ଟଙ୍କା ବାଂଟୁଛି ? ପୂର୍ବରୁ ଜିଲ୍ଲାୱାରି ଗସ୍ତ କରିଥିବା ପାଣ୍ଡିଆନଙ୍କ ପାଇଁ କେତେ ରାଜସ୍ଵ ଖର୍ଚ୍ଚ ହୋଇଛି ? ଏମିତି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରୁଥିବା ବେଳେ ପାଣ୍ଡିଆନ କିମ୍ବା ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
📱 Get Argus News App
✨