ଡାକ୍ତରଖାନା ରୂପାନ୍ତରଣ ନାଁରେ ଖାଲି ଚକାଚକ୍ କୋଠା, ଉପକୂଳରୁ ଉପାନ୍ତ ଡାକ୍ତର ଅଭାବରୁ ହନ୍ତସନ୍ତ ଜନତା

ଅର୍ଗସ ବ୍ୟୁରୋ: ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଫାଟକରେ ନିର୍ମିତ ତୋରଣ ସାଙ୍ଗକୁ ନବନିର୍ମିତ ବଡ଼ ବଡ଼ କୋଠା ଦେଖିଲେ ମନ ଖସିହୋଇଯିବ। କିନ୍ତୁ ଭିତରକୁ ଥରେ ଗଲେ ରୋଗୀଙ୍କ ଅବସ୍ଥା ଦେଖିରେ ମନ ବିଚଳିତ ହୋଇଯିବ। ଆଉଟ୍ ଡୋର ଆଗରେ ଲମ୍ବା ଲମ୍ବା ଲାଇନ୍। ଡାକ୍ତରଙ୍କ ପରାମର୍ଶ ପାଇଁ ଘଣ୍ଟା ଘଣ୍ଟା ଧାଡ଼ିବାନ୍ଧି ଅପେକ୍ଷା କରିବାକୁ ପଡୁଛି। ଛୋଟ ଶିଶୁ, ମହିଳା, ବରିଷ୍ଠ ନାଗରିକ ସମସ୍ତେ ନିଜ ପାଳି ଅପେକ୍ଷାରେ ଦୀର୍ଘ ଘଣ୍ଟା ଧାଡ଼ିରେ ଛିଡାହେଉଛନ୍ତି। ଏପରି ସ୍ଥିତି କାହିଁକି ଜାଣିଛନ୍ତି ? ଏହି ସରକାରୀ ଡାକ୍ତରଖନାରେ 54ଟି ଡକ୍ତର ପଦବୀ ଅଛି। କିନ୍ତୁ ଅଛନ୍ତି ମାତ୍ର 9 ଜଣ ଡାକ୍ତର। ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ହେଉଛନ୍ତି ବିଶେଷଜ୍ଞ। ସେହପିର ଫାର୍ମାସିଷ୍ଟ ପଦବୀ ରହିଛି 6 କିନ୍ତୁ ଅଛନ୍ତି ମାତ୍ର 2 ଜଣ। ଯେଉଁଥିପାଇଁ ସାମାନ୍ୟ ରୋଗରେ ବି ଫୁଲବାଣୀ ନଚେତ ବ୍ରହ୍ମପୁର ବଡ଼ ମେଡିକାଲକୁ ରୋଗୀଙ୍କୁ ରେଫର କରାଯାଉଛି। ସେଥିପାଇଁ ଲେକେ ପ୍ରଶ୍ନ କରୁଛନ୍ତି ଡାକ୍ତର ଯଦି ରହିବେନି 5ଟି ରୂପାନ୍ତରଣ ନାଁରେ ହସପିଟାଲର ଚିକ୍କଣ ବିଲଡିଂ ଛିଡ଼ା କଲେ କି ଲାଭ।
ଫୁଲବାଣୀ ପରେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନା ଜିଲ୍ଲାର ଦ୍ବିତୀୟ ବଡ଼ ସରକାରୀ ଚିକିତ୍ସାଳୟ। ଏହି ଡାକ୍ତରଖାନା ଉପରେ 5ଟି ବ୍ଲକ ସମେତ ବାଲିଗୁଡ଼ା ଏନଏସି ଲୋକେ ବି ନିର୍ଭର କରୁଛନ୍ତି। ଏତେ ଲୋକଙ୍କ ପାଇଁ ମାତ୍ର 9 ଜଣ ଡାକ୍ତର। ସମସ୍ୟା ଖାଲି ଏତିକିରେ ସୀମିତ ନାହିଁ। ଦୁଇ ଦୁଇଟି 108 ଆମ୍ବୁଲାନ୍ସ ଗାଡ଼ି ମେଡିକାଲର ଇଣ୍ଡୋର ସାମ୍ନାରେ ଖରାପ ହୋଇ ପଡ଼ିରହିଛି। ମହାପ୍ରୟାଣ ଗାଡ଼ି ଏବେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି। ସେଥିପାଇଁ 5ଟି ରୂପାନ୍ତରୀକରଣ ପ୍ରଚାର ଏହି ଅଞ୍ଚଳବାସୀଙ୍କୁ ପରିହାସ ପରି ଲାଗୁଛି। ଯେତେବେଳ ରାଜ୍ୟ ସରକାରଙ୍କର ଏହି ବହୁ ପ୍ରଚାରିତ ରୂପାନ୍ତରୀକରଣ ଫେଲ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ବା କଣ କରିବେ।
ଇଏତ ଦେଖିଲେ ଉପାନ୍ତ ଅଞ୍ଚଳରେ ସ୍ଥାସ୍ବ୍ୟ ସେବାର ବିକଳ ଚିତ୍ର ଏବେ ଦେଖନ୍ତୁ ଉପକୂଳ ଜଗତସିଂହ ପୁର ଜିଲ୍ଲାର ବାଲିକୂଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା। ଏଠାରେ ବି ଆମ ହସପିଟାଲ ଯୋଜନା ଅଧିନରେ ମେଡିକାଲର ବାହ୍ୟ କାୟାକଳ୍ପ ପୂରା ଚକାଚକ୍ ବନିଯାଇଛି। କିନ୍ତୁ ରୋଗୀସେବାରେ କୌଣସି ବି ପରିବର୍ତ୍ତନ ନାହିଁ। ହସପିଟାଲରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଯେଉଁମାନେ ଅଛନ୍ତି ନିୟମିତ ଆସୁନାହାନ୍ତି। ଏହା ବିରୋଧରେ ହସପିଟାଲ ବାହାରେ ଧାରଣାରେ ବସିଛନ୍ତି ସମାଜସେବୀ ସୁରେନ୍ଦ୍ର ବିଶ୍ବାଳ।
📱 Get Argus News App
✨ଆନ୍ଦୋଳନକାରୀ ଜିଦ ଧରିଛନ୍ତି ଡାକ୍ତର ନିଯୁକ୍ତି ନହେଲେ ଧାରଣାରୁ ହଟିବେନି। ସେମାନଙ୍କର ଏ ଚେତବନୀ ସତ୍ତ୍ବେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ନିରୂପାୟ। ଆନ୍ଦୋଳନକାରୀଙ୍କ ସହ କଥା ହେଲେ ସିଡିଏମଓ କିନ୍ତୁ ସଫାସଫା କହିଦେଲେ ଡାକ୍ତର ଆସିବାକୁ ସମୟ ଲାଗିବ। ଇଏ ହେଉଛି ବିଜେଡି ସରକାରଙ୍କ ବହୁ ପ୍ରଚାରିତ ଆମ ହସ୍ପିଟାଲ ଯୋଜନାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ବାସ୍ତବତା। ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ବିନା ଯେତେ ଚିକ୍କଣ କୋଠା ତୋଳିଦେଲେ ବି ତାହା ମୂଲ୍ୟହୀନ ଏକଥା କେବେ ବୁଝିବେ ଆତ୍ମପ୍ରଚାରରେ ମାତିଥିବା 24 ବର୍ଷର ଅଞ୍ଚଳିକ ଦଳ ସରକାର।
ଅଧିକ ପଢ଼ନ୍ତୁ ଓଡିଶା ଖବର: