ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?

Key Points
- ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?
- ମାଲକାନଗିରିରେ ପ୍ରକୃତରେ ଉଦଘାଟନ କ'ଣ ହେଲା ?
- ଶେଷରେ ମୁଖ୍ୟମନ୍ତ୍ରୀ ବି ମିଛ କହିଲେ
ଅର୍ଗସ ବ୍ୟୁରୋ: ବଡ ବଡ ପ୍ରଚାର, ବଡ ବଡ ହୋର୍ଡିଂ । ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ରାଜସ୍ଵ ତହବିଲରୁ ଖର୍ଚ୍ଚ ହେଲା । କିନ୍ତୁ ଏତେ ସବୁ ପରେ ଯେଉଁ ସତ ସାମ୍ନାକୁ ଆସିଲା ତାହାକୁ ନେଇ ସବୁଠି ଚର୍ଚ୍ଚା । କାରଣ ମାଲକାନଗିରିରେ କାଳେ ଏୟାରପୋର୍ଟ ନୁହେଁ ବରଂ ଏୟାରଷ୍ଟ୍ରିପ ତିଆରି ହୋଇଛି ବୋଲି କୁହାଯିବା ପରେ ନବୀନଙ୍କୁ ଘେରିଲେଣି ବିରୋଧୀ ।
ସ୍ଥାନ- ମାଲକାନଗିରି । କାର୍ଯ୍ୟକ୍ରମ-ବିମାନ ବନ୍ଦରର ଉଦଘାଟନ । ନିର୍ଦ୍ଧାରିତ ସମୟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ଥିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ମାଲକାନଗିରିରୁ ବିମାନ ଉଡିବ ବୋଲି ଯେଉଁ ଆଶା ଥିଲା ତାହା ପୂରଣ ହେବାକୁ ଥିବାରୁ ସମସ୍ତେ ଖୁସି ଥିଲେ । ହେଲେ ଉଦଘାଟନ ପରେ ଯେଉଁ ସତ ସାମ୍ନାକୁ ଆସିଲା ତାହାକୁ ନେଇ ପ୍ରଶ୍ନ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ପରେ ସତରେ କ’ଣ ଉପାନ୍ତ ମାଲକାନଗିରି ଆକାଶ ମାର୍ଗରେ ଯୋଡ଼ିହେଲା ? ଅର୍ଥାତ୍ ଏଣିକି ମାଲକାନଗିରିକୁ ଆକାଶ ମାର୍ଗରେ ଯାଇପାରିବେ ତ’ ସାଧାରଣ ଲୋକ ?
ବିମାନ ସେବା ବିଶେଷଜ୍ଞଙ୍କ ମତରେ, ବିମାନବନ୍ଦର ପାଇଁ ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ ବା IATA ଓ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ- DGCAର ଅନୁମୋଦନ ଦରକାର । କେବଳ ଏତିକି ନୁହେଁ ବରଂ ବିମାନବନ୍ଦର ପରିଚାଳନା ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ATC ସହ ଅନ୍ୟ ଉପକରଣ ନିହାତି ଜରୁରୀ । କିନ୍ତୁ ମାଲକାନଗିରି ବିମାନ ବନ୍ଦରରେ ସେମିତି କିଛି ନାହିଁ ବୋଲି କୁହାଯାଉଛି । ଏମିତିକି ନିରାପତ୍ତା ବ୍ୟବସ୍ଥା, ଟିକେଟ୍ କାଉଣ୍ଟର ସହ ଯାତ୍ରୀଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବା ଉଚିତ । ବିମାନରେ ଇନ୍ଧନ ଭରିବା ପାଇଁ ଏଟିଏଫ୍ ରିଜରଭର ବି ଆବଶ୍ୟକତା ରହିଛି । କିନ୍ତୁ ମାଲକାନଗିରିରେ ଉଦ୍ଘାଟିତ ଆତ୍ମଘୋଷିତ ବିମାନବନ୍ଦରରେ ଏସବୁ କିଛି ବି ବ୍ୟବସ୍ଥା ନାହିଁ । ଏମିତିକି ବିମାନବନ୍ଦରକୁ ବିଦ୍ୟୁତ ସଂଯୋଗ ବି ନାହିଁ । ତେଣୁ ବାସ୍ତବରେ ଏହା କେବଳ ଏକ ଏୟାରଷ୍ଟ୍ରିପ୍ କିନ୍ତୁ ରାଜ୍ୟ ସରକାରଙ୍କ ମତରେ ଏହା ଏୟାରପୋର୍ଟ ।
📱 Get Argus News App
✨ଆଶ୍ଚର୍ଯ୍ୟକର କଥା ହେଲା ଦିନ ଦ୍ଵିପ୍ରହରେ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଯେମିତି ଭୂଆଁ ବୁଲାଇଲେ ତାହାକୁ ନେଇ ସରଗରମ ହେଲାଣି ରାଜନୀତି । ବିରୋଧୀ କହୁଛନ୍ତି, ନିର୍ବାଚନ ବୈତରଣୀ ପାର ହେବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଚକ୍ରାନ୍ତ । ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ଭୁବନେଶ୍ଵରରୁ ମାଲକାନଗିରି ଉଡିବ ବିମାନ । ତେବେ କାହିଁକି ମିଛ କହିଲେ ରାଜ୍ୟ ସରକାର ? ଏୟାରଷ୍ଟ୍ରିପ କରି ଏୟାରପୋର୍ଟ ନାଁ ଦେବା ପଛରେ ରହସ୍ୟ କଣ ? କିଛି ଏମିତି ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି ସତ କିନ୍ତୁ ସଠିକ୍ ଉତ୍ତର ମିଳୁନାହିଁ ।