ନବୀନ ନିବାସ ସାମ୍ନାରେ କାହିଁକି କାନ୍ଦିଲେ ସଂଯୁକ୍ତା ?

Key Points
- ନବୀନ ନିବାସ ପାଖରେ ଭୋ ଭୋ କାନ୍ଦିଲେ ସଂଯୁକ୍ତା ମହଲା
- ପୂର୍ବରୁ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
- ଆଜି ପୁଣି ଥରେ ଦେଖା ନମିଳିବାରୁ କାନ୍ଦିଲେ
ଅର୍ଗସ ବ୍ୟୁରୋ: ନୂଆବର୍ଷ ପାଇଁ ଚଳଚଞ୍ଚଳ ଥିଲା ନବୀନ ନିବାସ । କର୍ମୀ ଓ ନେତାମାନେ ଆସି ବିଜେଡି ସୁପ୍ରିମୋଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ବି ଜଣାଉଥିଲେ । ଆଉ ଏତିକି ବେଳେ ପାର୍ଟି ସୁପ୍ରିମୋଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା । ହେଲେ ତାଙ୍କୁ ନବୀନ ନିବାସ ଭିତରକୁ ଯିବାକୁ ପ୍ରବେଶର ଅନୁମତି ନଥିଲା । ଯେଉଁଥି ଲାଗି ନବୀନ ନିବାସ ସାମ୍ନାରେ ଭୋଭୋ ହୋଇ କାନ୍ଦିଥିଲେ ସଂଯୁକ୍ତା । ମାଡାମ କାହିଁକି କାନ୍ଦୁଛନ୍ତି ? କଣ ହୋଇଛି ? କିଛି ଏମିତି ପ୍ରଶ୍ନ ପୋଲିସ ପଚାରିଥିଲେ ବି ଭିତରକୁ ଏଣ୍ଟ୍ରି କରିବାର ସୁଯୋଗ ଦେଇନଥିଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଗୋଟିଏ ପଟେ ଦଳ କହୁଛି ଆମେ ମହିଳାଙ୍କୁ ସମ୍ମାନ ଦେଉଛୁ । ମାଆ ମାନଙ୍କ ବିକାଶ ଆମର ଲକ୍ଷ୍ୟ । ହେଲେ ଏଇଠି ଜଣେ ମହିଳା ଗଂଜାମ ଜିଲ୍ଲାରୁ ଆସି ନବୀନ ନିବାସରେ ଅଧିଆ ପଡିଲେ ସତ ହେଲେ ତାଙ୍କୁ ଦେଖା କଲେନି ନବୀନ । ଏଥିରୁ କିନ୍ତୁ ଗୋଟିଏ କଥା ସ୍ପଷ୍ଟ ବିଜେଡି କୁହେ ଗୋଟାଏ, କରେ ଆଉ ଗୋଟାଏ । ସେଦିନ ଥିଲା ୨୨ ଜୁଲାଇ, ୨୦୨୩ ମସିହା । ଗତକାଲି ଥିଲା ଜାନୁଆରୀ ୧, ୨୦୨୪ ମସିହା । ମାସ ବଦଳିଛି, ବର୍ଷ ବଦଳିଛି , ତାରିଖ ବି ବଦଳିଛି । ହେଲେ ଘଟଣା ଯାହା ଥିଲା ତାହା ହିଁ ରହିଲା ।
ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ସଂଯୁକ୍ତା ମହଲା । ଏମିତିକି ତାଙ୍କୁ ନ୍ୟାୟ ଦେବା ବଦଳରେ କୋଣ ଠେସା କରାଯାଇଛି ବୋଲି ଅଭିଯୋଗ ବି କରିଥିଲେ । ଖୋର୍ଦ୍ଧା, ଭୁବନେଶ୍ବର, ପୁରୀ ଓ ନୟାଗଡ଼ ସାଂଗଠନିକ ଜିଲ୍ଲାର ମହିଳା ବିଜୁ ଜନତା ଦଳର ଜୋନାଲ ସଭାପତି ଥିବା ପରେ ବି ତାଙ୍କୁ ଯେମିତି ଭାବରେ ବ୍ୟବହାର କରାଗଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ହେଲେ ୨୨ ବର୍ଷ ହେଲା ସେ ନବୀନ ନିବାସକୁ ଯାଉଥିବା ବେଳେ ଆଜି କାହିଁକି ତାଙ୍କୁ ବାରଣ କରାଯାଉଛି । ଦଳ ଭିତରେ କଣ ଘଟୁଛି ସେ କଥା ସୁପ୍ରିମୋ ଜାଣିଛନ୍ତି ତ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ତେବେ ଗତ ଏପ୍ରିଲ ୧୩ ରେ ପ୍ରଥମ ଥର ପାଇଁ ମହିଳା ଥାନାକୁ ଯାଇ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଫେରାଦ ହୋଇଥିଲେ ସଂଯୁକ୍ତା । ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲେ ବି ସେତେବେଳେ ମାମଲା ରୁଜୁ ହୋଇନଥିଲା । ଏମିତି କି ଏପ୍ରିଲ ୨୩ରେ ଶଂଖ ଭବନ ଉଦଘାଟନ ଦିନ ବି ସଂଯୁକ୍ତାଙ୍କୁ ଦେଖିବାକୁ ମିଳିଥିଲା । ହେଲେ ଆଜି ଯେଉଁ ଘଟଣା ଘଟିଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।