|
logo
Live

Argus News - ସାକ୍ଷୀଗୋପାଳରେ ପୂଜିତ ରାଧାମୂର୍ତ୍ତିଙ୍କ ରହସ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

Odisha

ସାକ୍ଷୀଗୋପାଳରେ ପୂଜିତ ରାଧାମୂର୍ତ୍ତିଙ୍କ ରହସ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

Smruti Parija
Browse all articles by Smruti Parija
·2 years ago·3 min read
ସାକ୍ଷୀଗୋପାଳରେ ପୂଜିତ ରାଧାମୂର୍ତ୍ତିଙ୍କ ରହସ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ଅର୍ଗସ୍ ବ୍ୟୁରୋ:  ଆଜି ପିବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଥିବା ସାକ୍ଷୀଗୋପାଳ ମନ୍ଦିରର ରାଧା ପାଦଦର୍ଶନ ଉତ୍ସବ । ଏହି ଦିନ ଗୋପାଳଙ୍କୁ ନଟବର ବେଶ ଓ ରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଥାଏ । ଯେଉଁଥିପାଇଁ ମା’ ରାଧାଙ୍କ ବର୍ଷସାରା ବସ୍ତ୍ରରେ ଆଚ୍ଛାଦିତ ପାଦ ଭକ୍ତଙ୍କୁ ଦର୍ଶନ ମିଳେ । ସାକ୍ଷୀଗୋପାଳରେ ପୂଜିତ କୃଷ୍ଣ ପ୍ରତିମା ଯେଭଳି ରହସ୍ୟମୟ ରାଧା ପ୍ରତିମା ମଧ୍ୟ ସେହିପରି ।

ଇତିହାସ, ଲୋକକଥା ଆଧାରରେ ଏ ମନ୍ଦିରର ପ୍ରବଳ ପ୍ରସିଦ୍ଧି ରହିଛି । ଇତିହାସ କୁହେ କାଞ୍ଚି ଅଭିଯାନରେ ଉତ୍କଳର ବିଜୟ ପରେ କାଞ୍ଚିରାଜା ସାଲ୍ଵ ନରସିଂହ ଦେବଙ୍କ ଦ୍ୱାରା ପୂଜିତ ଗୋପାଳ ପ୍ରତିମାଙ୍କୁ ଶ୍ରୀକ୍ଷେତ୍ର ଆଣିଥିଲେ ଗଜପତି ପୁରୁଷୋତ୍ତମ ଦେବ ।

ପରେ ଏହି ଗୋପାଳ ଠାକୁର ଶ୍ରୀକ୍ଷେତ୍ରରୁ ସ୍ଥାନାନ୍ତରିତ ହୋଇ ବାରବାଟୀ କଟକ(କଟକ), ରଥିପୁର କଟକ(ଜଟଣୀ), ଖୋର୍ଦ୍ଧା କଟକ(ଖୋର୍ଦ୍ଧା) ଓ ଗଡ କନ୍ତଳବାଈ(ଭୁଷଣ୍ଡପୁର, ଖୋର୍ଦ୍ଧା)ରେ ଆରାଧୀତ ହେଲେ । ଏବଂ ଶେଷରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳଠାରେ ସ୍ଥାୟୀ ଭାବରେ ପ୍ରାଣ ପ୍ରତିଷ୍ଠିତ ହେଲେ । କିନ୍ତୁ ତାଙ୍କ ସହ କାଞ୍ଚିରୁ ରାଧା ପ୍ରତିମା ଶ୍ରୀକ୍ଷେତ୍ର ଆସି ନ ଥିଲେ । 

ମୂଳ କାହାଣୀ କୁହେ ଦାକ୍ଷିଣାତ୍ୟର ଜଣେ ଭକ୍ତ ନିଜ ବାଗଦତ୍ତାଙ୍କୁ ବିବାହ କରିବାକୁ ସାକ୍ଷୀ ଭାବରେ ଶ୍ରୀ ଗୋପାଳଙ୍କୁ ବୃନ୍ଦାବନରୁ ଆଣିଥିଲେ । କାହାଣୀ କ୍ରମରେ ଭକ୍ତ ଜଣକ ପଛକୁ ଚାହିଁବାରୁ ଗୋପାଳ ଦାକ୍ଷିଣାତ୍ୟରେ ପଥର ପାଲଟି ରହିଗଲେ । ପରେ ପଦ୍ମାବତୀଙ୍କୁ ପ୍ରାପ୍ତ କରିବାକୁ ଉତ୍କଳ ଗଜପତି କାଞ୍ଚି ଯୁଦ୍ଧରେ ବିଜୟ ଲାଭ କଲେ ଓ ସାକ୍ଷୀଗୋପାଳଙ୍କୁ ଶ୍ରୀକ୍ଷେତ୍ର ଆଣି ଭୋଗମଣ୍ଡପ ପାଖରେ ରଖାଇଲେ । କିନ୍ତୁ ଗୋପାଳ ମହାପ୍ରଭୁ ଜଗନ୍ନାଥଙ୍କ ଅମୁଣିହା ନୈବେଦ୍ୟ ଉଚିଷ୍ଟ କରିପକାଇବାରୁ ଗଜପତିଙ୍କୁ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହେଲା । ଯେଉଁଠାରେ ଗଜପତିଙ୍କ ନହର ରହିବ ସେହିଠାରେ ଗୋପାଳଙ୍କୁ ସ୍ଥାପନ କର । 

ସେ ସମୟରେ ରାଜଧାନୀ କଟକରେ ଥାଏ । ଏଣୁ ବାରବାଟୀରେ ସ୍ଥାପନ ହୁଅନ୍ତି ଗୋପାଳ ଜୀ । ପରେ ଖୋର୍ଦ୍ଧା କଟକକୁ ରାଜଧାନୀ ସ୍ଥାନାନ୍ତର ହେବାରୁ ଠାକୁରେ ଖୋର୍ଦ୍ଧା ଓ ରଥୀପୁର କଟକରେ ସ୍ଥାପନ ହୁଅନ୍ତି । ସମ୍ପ୍ରତି ଏହି ରଥୀପୁର କଟକ ସ୍ଥାନଟି ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ରଥୀପୁର ଗ୍ରାମ ଭାବେ ଚିହ୍ନିତ ହୁଏ । ପରେ ଏହି ଠାକୁରଙ୍କୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବାକୁ ବର୍ତ୍ତମାନର ଭୁଷଣ୍ଡପୁରଠାରେ ଥିବା ଗଡକନ୍ତଳବାଇରେ ସ୍ଥାପନ କରାଯାଏ ।

ବାରମ୍ବାର ସ୍ଥାନାନ୍ତର ପରେ ଠାକୁରଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବସାଇବାକୁ ବ୍ୟବସ୍ଥା ହୁଏ । ଯାହା ବର୍ତ୍ତମାନର ସାକ୍ଷୀଗୋପାଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଧା ମୂର୍ତ୍ତିର କାହାଣୀ

ସାକ୍ଷୀଗୋପାଳରେ ଠାକୁରଙ୍କ ସ୍ଥାପନା ହୁଏ । ଏକକ ଗୋପାଳ ମୂର୍ତ୍ତିଙ୍କୁ ଦର୍ଶନ କରନ୍ତି ସମସ୍ତେ । ହେଲେ ବିନା ରାଧାରେ କୃଷ୍ଣଙ୍କ ଅବସ୍ଥିତ ଅସମ୍ଭାଳ ହୁଏ । ଲୋକକଥା କୁହେ ଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ଝିଅଟିଏ ହୁଏ । ନାଁ ରୁହେ ଲକ୍ଷ୍ମୀ । ପିଲାଟିବେଳୁ ଗୋପାଳଙ୍କୁ ଶ୍ରଦ୍ଧା କରୁଥାନ୍ତି ଲକ୍ଷ୍ମୀ । କଥାରେ ଅଛି ସେ କାଳେ ମା ରାଧାଙ୍କ ସ୍ୱରୂପେ ଜନ୍ମ ନେଇଥାନ୍ତି।

ଏଣୁ ପ୍ରତି ରାତି ବଡ ସିଂହାର ପରେ ଗୋପାଳେ ଲକ୍ଷ୍ମୀଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଆନ୍ତି । କେବେ ଲକ୍ଷ୍ମୀଙ୍କ ଶେଜରୁ ପ୍ରଭୁଙ୍କ ବଂଶୀ ମିଳେ ତ କେବେ ମୟୂର ଚନ୍ଦ୍ରିକା । ଲୋକ ଅପବାଦରେ ବଡ଼ପଣ୍ଡାଙ୍କୁ ଚୋର ବୋଲି ଅବିହିତ କରାଯାଏ ।

ମୁକ୍ତି ପାଇଁ ପ୍ରାର୍ଥନା କରିବା ପରେ ଠାକୁର ରାସ୍ତା ଦେଖାନ୍ତି । ଅବିକଳ ଲକ୍ଷ୍ମୀଙ୍କ ଭଳି ପ୍ରତିମାଟିଏ ଗଢି ରାଧା ଭାବରେ ତାଙ୍କ ପାଖରେ ରଖିବାକୁ ରାଜ ଆଦେଶ ହୁଏ । ନୟାଗଡରୁ ଆସିଥିବା କାରିଗର ରାଧାମୂର୍ତ୍ତି ଗଢନ୍ତି । ମୂର୍ତ୍ତିଗଠନ ଆରମ୍ଭ ହେବା କ୍ଷଣି ଲକ୍ଷ୍ମୀ ଅସୁସ୍ଥ ହୁଅନ୍ତି ଓ ପ୍ରାଣ ପ୍ରତିଷ୍ଠା ଦିନ ପ୍ରାଣ ତ୍ୟାଗ କରନ୍ତି ।

ସେବେ ଠାରୁ ମା’ ରାଧାଙ୍କ ପ୍ରତିମା ଗୋପାଳଙ୍କ ସହ ପୂଜିତ ହେଉଛନ୍ତି । ଗୋପାଳ ଓ ମା’ ରାଧା ଉତ୍ତରଭାରତୀୟ ଠାକୁର ହୋଇଥିବାରୁ ଏଠାରେ ଅନ୍ନପ୍ରସାଦ ଲାଗି ହୁଏନାହିଁ । କେବଳ ସୁଖିଲା ଭୋଗ ଲାଗି ହୁଏ । ଏବଂ ମା’ ରାଧାଙ୍କ ପ୍ରତିମା ବର୍ଷ ତମାମ ଉତ୍ତର ଭାରତୀୟ ବେଶରେ ରହିଥାନ୍ତି । କେବଳ ଅଁଳା ନବମୀ ଗୋଟିଏ ଦିନ ମା’ଙ୍କୁ ଓଡ଼ିଆଣୀ ବେଶରେ ସଜାଇ ରାଧାପାଦ ଦର୍ଶନ ପରମ୍ପରା ଆରମ୍ଭ ହୁଏ । 

ପବିତ୍ର ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା' ରାଧାରାଣୀ

Sponsored
ସାକ୍ଷୀଗୋପାଳରେ ପୂଜିତ ରାଧାମୂର୍ତ୍ତିଙ୍କ ରହସ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ | Argus English