୩୫ବର୍ଷରେ ପଦାର୍ପଣ କଲା କଣ୍ଟାମାଳ କାଳୀପୂଜା

ଅର୍ଗସ ବ୍ୟୁରୋ: ଚାଲିଛି ମହାରାଜ ମହିଷାସୁରଙ୍କ ରାଜୁତି । ପାତ୍ର ମନ୍ତ୍ରୀଘେନି ନିଜ ଦରବାରରେ ମହାରାଜ ମହିଷାସୁର ଚଳେଇଛନ୍ତି ମନ୍ତ୍ରଣା । ପୁଣି ମନୋରଞ୍ଜନ ପାଇଁ ମଝିରେ ମଝିରେ ଜମୁଛି ନୃତ୍ୟ ଗୀତର ଆସର । ଏହି ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ କଲରାକୋଠାରେ ଚାଲିଥିବା ମହିଷାସୁର ଦରବାରର । କାଳୀପୂଜା ଅବସରରେ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜିତ ହୋଇଥିଲା ମହିଷାସୁର ଦରବାର ।
ଏକ ସପ୍ତାହ ବ୍ୟାପି କାଳୀପୂଜା ମଣ୍ଡପରେ ଆୟୋଜିତ ଦରବାର ସହ ନୃତ୍ୟ ଗୀତ ଦେଖିବାକୁ ସନ୍ଧ୍ୟା ହେଲେ ଜମୁଥିଲା ଲୋକଙ୍କ ଗହଳି । ଆଉ ଏଭଳି ନୃତ୍ୟ ଗୀତ ଦେଖି ଦର୍ଶକମାନେ ମଜାନେଇଥିବାବେଳେ ଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ ମହାରାଜ ମହିଷାସୁର। ଯୁଗେ ଯୁଗେ କିଭଳି ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା ତାହା ଦର୍ଶାଇଥିଲା ମହିଷାସୁର ଦରବାର ।
ୟୁଥ ଫ୍ରେଣ୍ଡସ ଆସୋସିଏସନ ପକ୍ଷରୁ କଲରାକୋଠାରେ ଆୟୋଜିତ ହେଉଥିବା କାଳୀପୂଜା ଚଳିତବର୍ଷ ୩୫ ବର୍ଷରେ ପଦାର୍ପଣ କରିଥିବାବେଳେ ଯାତ୍ରାକୁ ସରସ ସୁନ୍ଦର କରିବାକୁ ପୁରା ଉଦ୍ୟମ କରିଥିଲା ଆୟୋଜକ କମିଟି। ପୂଜା ଅବସରରେ ଲୋକଙ୍କ ମନୋରଞ୍ଜନ ପାଇଁ ମହିଷାସୁର ଦରବାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯାତ୍ରା ପଡିଆରେ ମୀନା ବଜାର ଓ ଦୋକାନ ବଜାର ପଡିଥିଲା । ସନ୍ଧ୍ୟା ନଇଁଲେ ଲୋକମାନେ ଦୂର ଦୂରାନ୍ତରୁ ଆସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ।
ତେବେ ପୂଜା ମୀନାବଜାର ବୁଲିବାକୁ କାହାକୁ ବା ଭଲ ନ ଲାଗେ। କଲରାକୋଠାରେ ଆୟୋଜିତ କାଳୀପୂଜା ଲୋକଙ୍କୁ ମନୋରଞ୍ଜନ ଦେବାସହ ଏକ ଅଧ୍ୟାତ୍ମିକ ଧାରାରେ ବାନ୍ଧି ରଖୁଛି ଏଥିରେ ସନ୍ଦେହ ନାହିଁ।
📱 Get Argus News App
✨ଅଧିକ ପଢ଼ନ୍ତୁ ଧର୍ମ ସଂସ୍କୃତି ଖବର