ଆଠମଲ୍ଲିକରେ ଗୋଁଣ୍ଡ ସମାଜର ଜଙ୍ଘାଦେଓ ପୀଠ ପ୍ରତିଷ୍ଠା ଏବଂ ଦାରୁ ବିଗ୍ରହ ସ୍ଥାପନା ଉତ୍ସବ

ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ବେଳେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡାର ମନୋରମ ପରିବେଶରେ ଗୋଁଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘାଦେଓଙ୍କ ପୀଠ ପ୍ରତିଷ୍ଠା ହେବା ଆନନ୍ଦର ମୁହୂର୍ତ୍ତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ସହ ଗୋଁଣ୍ଡ ସମାଜର “ସର୍ବୋଚ୍ଚ ପ୍ରକୃତି ଶକ୍ତି ଜଂଘା ପେନଠାନା (ପୀଠ) ପ୍ରତିଷ୍ଠା ଓ ନବନିର୍ମିତ ଦାରୁ ଦେବତାଙ୍କ ପେନଠାନା ପ୍ରବେଶ ଉତ୍ସବ”ରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ପାଇଁ ଆଜି ଏକ ଗୌରବର ଦିନ । ଗୋଁଣ୍ଡ ସମାଜ ଆମ ରାଜ୍ୟ ଓଡ଼ିଶାର ପ୍ରମୁଖ ଜନଜାତି ସମାଜ । ବହୁତ ଆଗକୁ ଭାବୁଥିବାର ସମାଜ ।
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦୂରଦୃଷ୍ଟିରେ ଆମ୍ବସରମୁଣ୍ଡା ଗାଁ ସ୍ଥାପିତ ହୋଇଥିଲା । ଆଜି ଯେତେବେଳେ ଅଯୋଧ୍ୟାରେ ୫୦୦ ବର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେଉଅଛି, ସେହି ସମୟରେ ଗୋଁଣ୍ଡ ସମାଜର ଆରାଧ୍ୟ ଦେବତା ପ୍ରଭୁ ଜଙ୍ଘାଦେଓଙ୍କ ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ମୋର ସୌଭାଗ୍ୟ । ଓଡ଼ିଆ ସଂସ୍କୃତି ଓ ଜନଜାତି ସଂସ୍କୃତିରେ ପ୍ରଭୁ ଜଂଘାଦେଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଂଶ ବୋଲି କୁହାଯାଏ । ଏହି ସଫଳ ଉଦ୍ୟମ ପାଇଁ କେନ୍ଦ୍ରମନ୍ତ୍ରୀ ଗୋଁଣ୍ଡ ସମାଜର ବ୍ୟକ୍ତିବିଶେଷ, ମାତୃଶକ୍ତି ବିଶେଷ ଭାବରେ ଯୁବ ସମାଜକୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା । ଏ ନେଇ ଶ୍ରୀ ପ୍ରଧାନ ଖୁସି ପ୍ରକାଶ କରିବା ସହ କହିଛନ୍ତି ଯେ ୧୮୫୭ ମସିହା ବ୍ରିଟିଶ ବିରୋଧୀ ଲଢେଇରେ ବୀର ସୁରେନ୍ଦ୍ର ସାଏ ନେତୃତ୍ୱ ନେଇଥିଲେ। ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି । ସୁରେନ୍ଦ୍ର ସାଏଙ୍କ ଶୌର୍ଯ୍ୟପୂର୍ଣ୍ଣ ଲଢେଇ ଏବଂ ତାଙ୍କ ସଶସ୍ତ୍ର ସଂଗ୍ରାମ ଆଜିର ଯୁବ ସମାଜକୁ ସର୍ବଦା ପ୍ରେରିତ କରିବ ।
📱 Get Argus News App
✨ଆଜି ଗରିବ ଲୋକ ମାନଙ୍କର ଆସ୍ଥାର ନୂଆ ନେତୃତ୍ୱ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳାମାନେ ସଶକ୍ତିକରଣ ହେଉଛନ୍ତି । ୨୦୩୬ରେ ଆଉ ପ୍ରାୟ ୧୩ ବର୍ଷ ପରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଆଉ ପ୍ରାୟ ୨୪ ବର୍ଷ ପରେ ଭାରତ ସ୍ୱାଧୀନତା ପାଇବାର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ଭିତରେ ଆମେ ବିକଶିତ ଭାରତ ପ୍ରତି ନିଜର ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର