ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପକୁ ସାକାର କରିବା ଆମର ଦାୟିତ୍ୱ

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବୁଧବାର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର କର୍ମଶାଳା ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ତଥା ବିଶ୍ୱକର୍ମା ଯୋଜନାର ରାଜ୍ୟ ସଂଯୋଜକ ସମୀର ମହାନ୍ତି ଉକ୍ତ କର୍ମଶାଳାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପକୁ ସିଦ୍ଧି କରିବା ପାଇଁ ସବୁ କାର୍ଯ୍ୟକର୍ତ୍ତା କାର୍ଯ୍ୟ କରିବା ଉପରେ ଆହ୍ୱାନ ଦେଇଥିଲେ। ମୋଦିଙ୍କ ଯୋଜନାର ସଠିକ କ୍ରିୟାନ୍ବୟନ କିଭଳି ହୋଇପାରିବ ସେ ଦିଗରେ କାର୍ଯ୍ୟକର୍ତ୍ତା କାମ କରନ୍ତୁ ବୋଲି ସେ କହିଛନ୍ତି।
ବିଜେପି କାର୍ଯ୍ୟକର୍ତ୍ତା ଏକାତ୍ମ ମାନବବାଦ, ସାମାଜିକ କାର୍ଯ୍ୟକ୍ରମ, ସମାଜ ସେବା, ସଂଗଠନ କରିବା ଉପରେ ସେ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବିଶ୍ୱକର୍ମା ଯୋଜନା ଏକ ଯୁଗାନ୍ତକାରୀ ଐତିହାସିକ ଯୋଜନା ବୋଲି ସେ କହିଛନ୍ତି। ଅନ୍ୟତମ ଅତିଥି ଭାବେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ତଥା ଉକ୍ତ ଯୋଜନାର ସହ ସଂଯୋଜକ ସୁରଥ ବିଶ୍ୱାଳ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନେ ବିଶ୍ୱକର୍ମା ଯୋଜନା ସଠିକ ହିତାଧିକାରୀ କିଭଳି ପାଇ ପାରିବେ ତାହା ଉପରେ ଆଲୋଚନା କରିଥିଲେ। ବରିଷ୍ଠ ନେତା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ମୋଦି ସରକାରଙ୍କର ଯୋଜନା ଗରିବ କଲ୍ୟାଣ ପାଇଁ କିନ୍ତୁ ରାଜ୍ୟ ସରକାର ସବୁ କ୍ଷେତ୍ରରେ ଉପଯୁକ୍ତ ଲୋକଙ୍କୁ ଯୋଜନାରୁ ଅନ୍ତର କରି ଦଳୀୟ ଆଧାରରେ ବାଣ୍ଟୁଛନ୍ତି ଏଥିପ୍ରତି କାର୍ଯ୍ୟକର୍ତ୍ତାମାନେ ସଜାଗ ରହିବା ସହ ସ୍ୱର ଉତ୍ତୋଳନ କରିବା ଉପରେ ଆଲୋକପାତ କରିଥିଲେ। ଲୋକସଭା ବିସ୍ତାରକ ଅମୃତ ରଞ୍ଜନ ସ୍ୱାଇଁ, ଅନୁଗୋଳ ଜିଲ୍ଲାର ସମସ୍ତ ୩୧ଟି ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସୂଚୀ ଉପସ୍ଥାପନ କରିଥିଲେ। ସାଧାରଣ ସମ୍ପାଦକ ଭବାନୀ ଜ୍ୟୋତିଷରାୟ ଓ ପ୍ରକାଶ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତ ମଣ୍ଡଳରୁ ସଭାପତି, ପ୍ରଭାରୀ, ଓ ବିଶ୍ୱକର୍ମା ଯୋଜନାର ସଂଯୋଜକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର