ଯାଜପୁରରେ ରୂପାନ୍ତରଣ ନାଁରେ ବିସ୍ଥାପିତ ହେଉଛନ୍ତି ହଇରାଣ

ଅର୍ଗସ ବ୍ୟୁରୋ: ରାଜ୍ୟର ଅନ୍ୟତମ ପ୍ରାଚୀନ ସହର ଯାଜପୁରରେ ଚାଲିଛି ରୂପାନ୍ତରଣ। ଆଉ ଏହି ରୂପାନ୍ତରଣ ପାଇଁ ସାଧାରଣ ଲୋକେ ଏବେ ବଳି ପଡୁଛନ୍ତି। ମେଡିକାଲ କଲେଜ ଠାରୁ ଆରମ୍ଭ କରି ପ୍ରଶିକ୍ଷଣ ହକି ଷ୍ଟାଡିୟମ, କୁସୁମା, ଇନଡୋର ଷ୍ଟାଡିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ମା' ବିରଜା ମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଭଳି ଅନେକ ମେଗା ପ୍ରକଳ୍ପ ଏଠାରେ କାର୍ଯ୍ୟକାରୀ ହୋଇଛି । ସେହିପରି ରାସ୍ତା ପ୍ରଶସ୍ତିକରଣ ହେଉ ଅବା ନୂତନ ପ୍ରକଳ୍ପ କରିବା ପାଇଁ ବର୍ଷ ବର୍ଷର ଘରକୁ ଉଚ୍ଛେଦ କରାଯାଉଛି। ଫଳରେ ଗରିବ ଗୁରୁବା ଲୋକେ ବେଘର ହୋଇ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି। ଏପରିକି ରାଜନୈତିକ ଆକ୍ରୋଶ ରଖି ମଧ୍ୟ ଜୋର ଜବରଦସ୍ତ ବିସ୍ଥାପିତ କରାଯାଉଥିବା ଅଭିଯୋଗ ହୋଇଛି। ବିସ୍ଥାପିତ ପରିବାରଙ୍କୁ ଉଚିତ କ୍ଷତିପୂରଣ ମଧ୍ୟ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ସହରବାସୀ। ଏହା ସହରର ବିକାଶ ହେଉଛି ନା ସହରବାସୀଙ୍କ ବିନାଶ ହେଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଯାଜପୁର ସହରରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାର ବର୍ଗଙ୍କୁ ପ୍ରଶାସନ ଉନ୍ନତୀକରଣ ଆଳରେ ଉଚ୍ଛେଦ କରୁଥିବା ବେଳେ ବାସିନ୍ଦାଙ୍କୁ ମିଳୁ ନାହିଁ ଉଚିତ୍ ପ୍ରାପ୍ୟ। ସେପଟେ ଉଚ୍ଛେଦ ପ୍ରକ୍ରିୟାରେ ବ୍ୟବସାୟ ହରାଇଥିବା ଦୋକାନୀ ମଧ୍ୟ ନିଜ ଗୁଜୁରାଣ ମେଣ୍ଟାଇବା ନିମନ୍ତେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ସେହିପରି ବେରୋଜଗାର ଏବଂ ବେଘର ହୋଇଥିବା ସହର ବାସୀନ୍ଦା ଏବେ ବଞ୍ଚିବା ପାଇଁ ଗାଁ ମୁହାଁ ହୋଇଥିବା ଦେଖିବାକୁ ମିଳିଛି। ସହରରେ ଏଭଳି ଭଙ୍ଗାରୁଜା ହେବା ଦ୍ୱାରା ଗ୍ରାମାଞ୍ଚଳରେ ଜମି ଦର ହୁ ହୁ ହୋଇ ବଢ଼ିବାରେ ଲାଗୁଥିବା ବେଳେ ସହରରେ ଜମି ଦର ଖସିବାରେ ଲାଗିଛି । ଫଳରେ ନିରାଶ ହୋଇ ଅନେକ ଲୋକେ ଏବେ ସହର ଛାଡି ଗାଁ ମୁହାଁ ହେଉଛନ୍ତି। ପ୍ରଶାସନର ଚାପ ଓ ଭୟରେ ଲୋକେ ପ୍ରତିବାଦ ମଧ୍ୟ କରି ପାରୁନାହାନ୍ତି। ସେପଟେ ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଗୋଟିଏ ପଟେ ସହରର ବିକାଶ ପାଇଁ ସହରବାସୀଙ୍କ ସ୍ୱାର୍ଥ କଥାକୁ ଭୁଲିଯାଇଛନ୍ତି ସରକାର ଓ ପ୍ରଶାସନ। ଯାହାକୁ ନେଇ କୁହୁଳିବାରେ ଲାଗିଛି ଅସନ୍ତୋଷ। ଯାହା ଆଗାମୀ ଦିନରେ ଏକ ଝଡ଼ ହେବାର ଆଶଙ୍କା ଦେଖାଦେଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର