Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭିସୁଟରେ ପଢୁଥିବା ସାଧାରଣ ଘରର ପିଲାମାନେ ଭାରତର ବୈଜ୍ଞାନିକ ଉପଲବ୍ଧିର ମେରୁଦଣ୍ଡ

Odisha

ଭିସୁଟରେ ପଢୁଥିବା ସାଧାରଣ ଘରର ପିଲାମାନେ ଭାରତର ବୈଜ୍ଞାନିକ ଉପଲବ୍ଧିର ମେରୁଦଣ୍ଡ

Jitendra Dash
Browse all articles by Jitendra Dash
·2 years ago·3 min read
ଭିସୁଟରେ ପଢୁଥିବା ସାଧାରଣ ଘରର ପିଲାମାନେ ଭାରତର ବୈଜ୍ଞାନିକ ଉପଲବ୍ଧିର ମେରୁଦଣ୍ଡ

ଅର୍ଗସ ବ୍ୟୁରୋ : ଶିକ୍ଷା ତୁମ ମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ସକ୍ଷମ କରିଛି । ଆମ ଦେଶର ଭୌତିକ ପ୍ରଗତି ଅନେକାଂଶରେ ତୁମ ପରି ଯୁବପିଢିଙ୍କ ଉପରେ ନିର୍ଭର କରେ ବୋଲି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ର ୧୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । 

ମାନ୍ୟବର ରାଷ୍ଟ୍ରପତି କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ରାସ୍ତାଘାଟ, କୋଠାବାଡି ଓ ବନ୍ଧବାଡି ସହିତ କଳକାରଖାନାର ଆଦିନିର୍ମାଣର ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ଉପରେ ନ୍ୟସ୍ତ । ଉଭୟ ସଫ୍ଟଓଓ୍ୱାର ଓ ହାର୍ଡଓୟାରର ବିକାଶ କରିବା ଦାୟିତ୍ୱ ଛାତ୍ରଛାତ୍ରୀ  ମାନଙ୍କର । ଇଞ୍ଜିନିୟର ଭାବେ ସେମାନେ ପ୍ରଗତିର ସ୍ଥାପକ । ଉଦ୍ଭାବକ ଭାବରେ, ସେମାନେ କଳ୍ପନା ଏବଂ ବାସ୍ତବତା ମଧ୍ୟରେ ସେତୁ ହେବେ । ଦ୍ରୁତ ଗତିରେ ଅଗ୍ରଗତି କରୁଥିବା ଦୁନିଆରେ ସେମାନେ ଏହି ଅନୁଷ୍ଠାନରେ ଯେଉଁ ଦକ୍ଷତା ଓ ଜ୍ଞାନ ଅର୍ଜନ କରିଛନ୍ତି, ତାହା ହିଁ ସେମାନଙ୍କ ଭବିଷ୍ୟତ ତଥା ଦେଶର ଭବିଷ୍ୟତ ଗଢ଼ି ତୋଳିବ ବୋଲି ମାନ୍ୟବର ରାଷ୍ଟ୍ରପତି କହିଥିଲେ ।  

ଅଧିକ ପଢନ୍ତୁ : ଆମ ସଂସ୍କୃତି, ପରମ୍ପରା ଓ ଭାବର ପରିଚୟ ହେଉଛି ଭାଷା

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବୁର୍ଲା ଇଞ୍ଜିନିୟରିଂ ଅନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀମାନେ ହେଉଛନ୍ତି ବଣମଲ୍ଲି । ବଣମଲ୍ଲି ବଣରେ ନ ରହିବା ଦରକାର । ଗରିବ ଓ ସାଧାରଣ ଘରୁ ଭିସୁଟରେ ପଢୁଥିବା ପିଲାମାନେ ଓଡ଼ିଶା ସମେତ ଭାରତୀୟ ବୈଜ୍ଞାନିକ ଉପଲବ୍ଧିର ମେରୁଦଣ୍ଡ ହୋଇଛନ୍ତି । ଏହାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚା’ ବିକାଳୀ, ଚାଷୀ, ରିକ୍ସା ଚଲାଉଥିବା ଗରିବ ଓ ମଧ୍ୟମ ବର୍ଗର ପିଲାମାନେ ଏହି ବିଶ୍ୱବିଦ୍ୟାଳୟରେ ପଢନ୍ତି । ଏହି ଅନୁଷ୍ଠାନରେ ପଢୁଥିବା କଳାହାଣ୍ଡିର ବୋଧିସତ୍ତ୍ୱ ସଂଘପ୍ରିୟ ଓ ତାଙ୍କ ଟିମ୍ ହୀରାକୁଦର ଜଳରାଶି ମାପିବା ପାଇଁ ଡ୍ରୋନ ମାପକ ଯନ୍ତ୍ର ପରି ରକେଟ୍ ଓ ସାଟେଲାଇଟ୍ ତିଆରି କରିଥିଲେ । ବୁର୍ଲା ଇଞ୍ଜିନିୟରିରୁ କଲେଜରୁ ପାଠ ପଢିବା ପରେ  ସମୀର ପଣ୍ଡା ପ୍ରୁଫ୍ ଯୁକ୍ତ ଟାୟାର୍ ବନାଉଛନ୍ତି । ଭିସୁଟର ପିଲାମାନେ ଓଡ଼ିଶା କଥା ଚିନ୍ତା କରନ୍ତି ଦେଶ ପାଇଁ ଚିନ୍ତା କରନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାବ୍ୟତିତ  ଓଡ଼ିଶାର ଦୁଇ ଭଉଣୀ ତଥା ନେକ୍ସସ୍ ପାୱାର ଷ୍ଟାର୍ଟଅପର ସିଇଓ ଏବଂ ସହ-ପ୍ରତିଷ୍ଠାତା ନିଶିତା ଓ ନିକିତା ବଳିୟାର ସିଂ ସବୁଜ ଇନ୍ଧନ ତଥା ସ୍ୱଚ୍ଛ ଉର୍ଜା ଭଳି କ୍ଷେତ୍ରରେ ଷ୍ଟାର୍ଟଅପ୍ ଆରମ୍ଭ କରିବା ସହ ବିଶ୍ୱ ସମସ୍ୟାର ସମାଧାନ କରିବାର ଶକ୍ତି ରଖୁଛନ୍ତି । ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଦେବବ୍ରତ, ସ୍ମୃତିରଞ୍ଜନ, ରଶ୍ମିରଞ୍ଜନ, ଶୁଭକାନ୍ତ ଓ ଜ୍ଞାନରଞ୍ଜନ କରୋନା ସମୟରେ ଲୋକମାନେ କୋଭିଡ୍ ପରୀକ୍ଷା ନ କରୁନଥିବା ବେଳେ ଏହାର ସମାଧାନ ଚିନ୍ତା କରି ସେମାନେ ଏକ ଭିଡିଓ ତିଆରି କରି ସମାଜରେ ସଚେତନତା ସୃଷ୍ଟି କରିଥିଲେ । ଯାଜପୁର ଜିଲ୍ଲାର ଦ୍ୱାଦଶ ଶ୍ରେଣୀରେ ନବୋଦୟ ବିଦ୍ୟାଳୟରେ ପଢୁଥିବା ଜ୍ଞାନରଞ୍ଜନ ମିଶ୍ର ଲାଇଟ ମାଧ୍ୟମରେ ଫ୍ରିକ୍ୟୁଏନ୍ସି ବଢାଇ ସମସ୍ୟା ସମାଧାନ କରିବା ପାଇଁ ଆଗଭର ଥିଲେ । ତାଙ୍କୁ ଦେଖିଲେ ଆଲବର୍ଟ ଆଇନଷ୍ଟାଇନ ଓ ଏପିଜେ ଅବଦୁଲ କଲାମଙ୍କ ଭଳି ବୈଜ୍ଞାନିକ ମନୋଭାବ ଥିବା ପରି ମନେହୁଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ହୀରାକୁଦର ପାଦଦେଶରେ ଅବସ୍ଥାପିତ ଭିସୁଟ୍ ପୁରୀର ଜଗନ୍ନାଥ ମନ୍ଦିର ଓ ବନାରସର ବିଶ୍ୱନାଥ ଧାମ ଠାରୁ କିଛି କମ ନୁହେଁ । ସ୍ୱାଧୀନତା ପରବର୍ତ୍ତୀର ହୀରାକୁଦ ଡ୍ୟାମ ଓଡ଼ିଶାର ପରିଚୟ ଓ ଭିସୁଟ ତା’ର ପରିପୁରକ । ଏଠାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଆଇଆଇଏମ ସମ୍ବଲପୁର ସ୍ଥାପନା ହୋଇଛି । ମାଆ ସମଲେଶ୍ୱରଙ୍କ ପୀଠ ସ୍ଥଳୀ ଓ ରଙ୍ଗବତୀର ପରମ୍ପରା ଅଛି । ଲୋକାଦୃତ ହସ୍ତତନ୍ତ ଓ ବୟନଶିଳ୍ପର ସମ୍ଭାର ଏଠାରେ ଅଛି । ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି । ଅନ୍ୟର ଆନନ୍ଦରେ ଖୁସି ହେବା ହେଉଛି ଭାରତୀୟ, ଉତ୍କଳୀୟ ପରମ୍ପରା । ଡାଲଖାଇ ନାଚର ପ୍ରସିଦ୍ଧତା ଜି-୨୦ରେ ଦେଖିବାକୁ ମିଳିଛି ।  ଓଡ଼ିଶାର ମେରୁଦଣ୍ଡ ବୁର୍ଲା ଇଞ୍ଜିନିୟରିଂ କଲେଜ ଆଜି ବିଶ୍ୱବିଦ୍ୟାଳୟର ରୂପ ନେଇଛି । ଏହି ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ଅନୁସାରେ ବହୁମୁଖୀ ଶିକ୍ଷା ଦେବା ଦରକାର । ମାନବତା, ମ୍ୟାନେଜମେଣ୍ଟ, କଳା, ଗୀତ, ସଂସ୍କୃତି ଓ ପରମ୍ପରାକୁ  ଅନ୍ତର୍ଭୁକ୍ତ କରି ବହୁବିଭାଗୀୟ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସେ ପରାମର୍ଶ ଦେଇଛନ୍ତି ।  

ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ପୃଥିବୀର ହାପେନିଂ ପଏଣ୍ଟ ବନାଇବାର ଆତ୍ମବିଶ୍ୱାସ ରଖୁଥିବା ଲୋକମାନେ ହେଉଛନ୍ତି ଆମେମାନେ । ଚାକିରି କରିବା ନୁହେଁ ବରଂ ଚାକିରି ଦେବା ଆମର ଭୂମିକା ହେବା ଦରକାର । ଓଡ଼ିଆ ପିଲାମାନେ ଜଣେ ଜଣେ ଉଦ୍ଭାବକ । ଏହା ହୋଇନଥିଲେ ଓଡ଼ିଆ ଜାତିର ଲୋକମାନେ ବଡଦେଉଳ, କୋଣାର୍କ ଓ ଲିଙ୍ଗରାଜ ପରି ମନ୍ଦିର ଗଢିବାକୁ ସମର୍ଥ ହୋଇନଥାନ୍ତେ । ଓଡିଆ ପିଲାଙ୍କୁ ଧର୍ମପଦ ବନାଇବା ପାଇଁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ସମ୍ମାନସୂଚକ ଉପାଧି, ସ୍ୱର୍ଣ୍ଣ ପଦକ ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମାନ୍ୟବର ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏହି ତିନି ବ୍ୟକ୍ତିବିଶେଷ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Sponsored
Hon'ble President's Address at the 15th Convocation Ceremony of Burla Visitor | Argus English