ଆଜି ବି ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ କରିବା ନେଇ ସୂଚୀରେ ନାହିଁ

ପୁରୀ: ଆଜି ପୁରୀ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଆସି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ବୁଲି ଦେଖିବା ସହ ଜଗନ୍ନାଥ ବଲ୍ଳଭ ପିଲଗ୍ରୀମ୍ ସେଣ୍ଟରରେ ପ୍ରଦର୍ଶିତ ହେଉଥିବା ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ଦେଖିବେ ମୁଖ୍ୟମନ୍ତ୍ରୀ । ତେବେ ଅପରାହ୍ନ 4.20 ରୁ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ 4.30 ରେ ପୁରୀ ଅଭିମୁଖେ ବାହାରିବେ । 4.45ରେ ପୁରୀ ମାଟିତୋଟାରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସିଧାସଳଖ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ପରେ ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର ଯାଇ ସେଠାରେ ପ୍ରଦର୍ଶିତ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦେଖି 6.15 ରେ ପୁର୍ନବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ସମୟରେ 5T ଅଧକ୍ଷ ଭି.କେ ପାଣ୍ଡିଆନ୍ ଉପସ୍ଥିତ ରହିବେ । ତେବେ ଗତ 17 ତାରିଖରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ପୁରୀ ଆସି ମୁଖ୍ୟମନ୍ତ୍ରୀ ଫଳକ ଉନ୍ମୋଚନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପ୍ରଦକ୍ଷିଣ କରିଥିଲେ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇନଥିବାରୁ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ । ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ସୂଚୀରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ଉଲ୍ଲେଖ ହୋଇନାହିଁ ।
ଆହୁରି ପଢନ୍ତୁ ଓଡିଶା ଖବର...