|
logo
Live

Argus News - ଏମାନେ କାଳେ ଜିଲ୍ଲାର ବଡବାବୁ ? ରବିବାର, ନାଲିବତୀ ଗାଡି...ପୁଣି ଦେଶୀ ଖାସି ଭୋଜି

Odisha

ଏମାନେ କାଳେ ଜିଲ୍ଲାର ବଡବାବୁ ? ରବିବାର, ନାଲିବତୀ ଗାଡି...ପୁଣି ଦେଶୀ ଖାସି ଭୋଜି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଏମାନେ କାଳେ ଜିଲ୍ଲାର ବଡବାବୁ ? ରବିବାର, ନାଲିବତୀ ଗାଡି...ପୁଣି ଦେଶୀ ଖାସି ଭୋଜି

Key Points

  • ପାୱାର ଅଛି ବୋଲି ଏତେ ବହପ ?
  • ସରକାରୀ ଗାଡିରେ ବାବୁ କରୁଛନ୍ତି ପିକନିକ୍‌
  • ବାଡ ଯଦି ଫସଲ ଖାଇବ କହିବେ କାହାକୁ ?

ଅର୍ଗସ ବ୍ୟୁରୋ: ଯୁଆଡେ ଦେଖିବେ ଖାଲି ଧଳା ଗାଡି । ସିଏ ପୁଣି ନାଲିବତୀ ଗାଡି । ଏମିତି ଦୃଶ୍ୟ ଦେଖିବା ପରେ ଯିଏ ନାହିଁ  ସିଏ କହିବ ଏ ଗାଡି ନିଶ୍ଚିତ ସରକାରୀ ବଡବାବୁଙ୍କର । ହଁ...ଠିକ୍‌ ଅନୁମାନ କରୁଛନ୍ତି ଆପଣ । ସେ ସବୁ ଗାଡି ବଡବାବୁଙ୍କର । ହେଲେ ସେଥିରେ ଅସୁବିଧା କଣ ହେଲା ? ଅସୁବିଧା ଏଇୟା କି, ରବିବାର ଛୁଟିଦିନ ଥିବା ପରେ ବି ସରକାରୀ ବାବୁମାନେ ମଉଜ ମଜଲିସ କରିବା ଲାଗି ନାଲିବତୀ ବା ସରକାରୀ ଗାଡକୁ ବ୍ୟବହାର କରିଛନ୍ତି । ଯାହାକୁ ନେଇ ସାଧାରଣରେ ଉଠିଲାଣି ପ୍ରଶ୍ନ । 

ସରକାରୀ ନିୟମକୁ ଫୁ' କଲେ ଖୋଦ ସରକାରୀ ଅଧିକାରୀ । ନିୟମ କାନୁନକୁ ଦଳି ଚକଟି ମଉଜ ମସ୍ତିରେ ହଜିଗଲେ ଅନୁଗୁଳ ଜିଲ୍ଲାର ଶାସନ କଳ । କେବଳ ଜିଲ୍ଲାସ୍ତରୀୟ ଅଧିକାରୀ ନୁହନ୍ତି ବରଂ ବ୍ଲକ ଓ ଉପଖଣ୍ଡସ୍ତରୀୟ ଅଧିକାରୀମାନେ ମିଳିମିଶି ସରକାରୀ ନିୟମର ଉଡାଇଲେ ମଜା । ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ପଞ୍ଚାୟତିରାଜ , ରାଜସ୍ୱ , ମହିଳା ଓ ଶିଶୁ ବିଭାଗଠାରୁ ଆରମ୍ଭ କରି ଜିଲ୍ଲା ଖଣିଜ ଫାଉଣ୍ଡେସନର ଅଧିକାରୀ ଭୋଜି କରିବାକୁ ପ୍ଲାନ କରିଥିଲେ । ଏଥିରେ ଅସୁବିଧା କିଛି ନାହିଁ । ହେଲେ ସରକାରୀ ଗାଡିକୁ ଯେମିତି ବ୍ୟକ୍ତିଗତ କାମରେ ବ୍ୟବହାର କରାଗଲା ତାହାକୁ ନେଇ କିନ୍ତୁ ନା ପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଅନୁଗୁଳ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କହୁଛନ୍ତି ମୋ ପାଖରେ ଖବର ନାହିଁ । 

ଗତ ରବିବାର ଅନୁଗୁଳ ଜିଲ୍ଲାର ବଡ ବାବୁମାନଙ୍କର ପିକନିକ ପ୍ଲାନ ଥିଲା । ତାହା ପୁଣି ପଡୋଶୀ ଢ଼େଙ୍କାନାଳ କାମାକ୍ଷାନଗର ପଣ୍ଡୁଆ ସୋଗର ନିକଟରେ ଥିବା ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟରେ । ପୂର୍ବ ପ୍ଲାନ ଅନୁସାରେ ନିର୍ଦ୍ଧାରିତ ସମୟରେ ବାବୁମାନେ ପହଞ୍ଚିଥିଲେ । ହେଲେ ଚର୍ଚ୍ଚା ସେତେବେଳେ ହେଲା ଯେତେବେଳେ ନାଲିବତୀରେ ସପରିବାରରେ ମଉଜ ଲାଗି ପହଞ୍ଚିଥିଲେ ବଡ ବାବୁ । ଯାହାକୁ ନେଇ ଏବେ ଜିଲ୍ଲାରେ ଅସନ୍ତୋଷ ତେଜିବା ସହିତ କାହିଁକି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ଉଠିଲାଣି ପ୍ରଶ୍ନ । ସେପଟେ ପାଲଲହଡା ବିଡିଓ କହୁଛନ୍ତି, ଜୁନିଅର ଅଫିସରଙ୍କୁ କାହିଁକି ପଚାରୁଛନ୍ତି ? ପିଡି କିମ୍ବା ଜିଲ୍ଲାପାଳଙ୍କୁ ପଚାରନ୍ତୁ ।
କଥାରେ ଅଛି ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ । ଠିକ୍‌ ଏମିତି ଜିଲ୍ଲାର ବଡବାବୁମାନେ ନିୟମ ଭାଙ୍ଗିଥିବାରୁ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ସେନେଇ ଏବେ ସନ୍ଦେହ ସୃଷ୍ଟି ହେଲାଣି । ସେପଟେ ଅରଣ୍ୟ ମ୍ୟାନେଜର କହିଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟକ୍ରମ ଥିଲା । ୨ ହଜାର ଟଙ୍କା ସେମାନେ ଦେଇଥିଲେ, ହେଲେ ଆମେ ରସିଦ କାଟିନଥିଲୁ । 

କେବଳ ଏବେ ନୁହେଁ ବରଂ ପୂର୍ବରୁ ବି ଅନେକ ଥର ସରକାରୀ ବାବୁମାନେ ନିୟମ ଭଙ୍ଗ କରୁଥିବା ଘଟଣା ସାମ୍ନାକୁ ଆସିଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ କେତେ ହେଉଛି ତାହା ସମସ୍ତେ ଜାଣନ୍ତି । ତେବେ ସମୟ କହିବ କେବେ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ।
(ଢେଙ୍କାନାଳରୁ ଭିଡିଓ ଜର୍ଣ୍ଣାଲିଷ୍ଟ ସୁଭରଞ୍ଜନ, ସତ୍ୟବ୍ରତଙ୍କ ସହ ବିପ୍ଳବ ରାଉଳ ଓ ତପନ ଦାସଙ୍କ ରିପୋର୍ଟ )

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
ଏମାନେ କାଳେ ଜିଲ୍ଲାର ବଡବାବୁ ? ରବିବାର, ନାଲିବତୀ ଗାଡି...ପୁଣି ଦେଶୀ ଖାସି ଭୋଜି | Argus English