ଡ୍ରପଆଉଟ୍ ଜିରୋ ପାଇଁ ଜନଜାଗରଣ ଲାଗି ରାଜ୍ୟପାଳଙ୍କ ଆହାନ

ଅନୁଗଳ : ରାଜ୍ୟରେ ସ୍କୁଲ ଡ୍ରପଆଉଟ୍ ହାର ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଅନୁଗୁଳ ଛେଣ୍ଡିପଦା ସ୍କୁଲ୍ ପ୍ଲାଟିଲମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ବିକଶିତ ଓଡ଼ିଶା ପାଇଁ ଜରୁରୀ ଶିକ୍ଷିତ ଓଡ଼ିଶା । ଡ୍ରପଆଉଟ୍ ଜିରୋ ପାଇଁ ଜନଜାଗରଣ ସୃଷ୍ଟି କରିବାକୁ ଆହ୍ବାନ ଦେଇଛନ୍ତି ଗଭର୍ଣ୍ଣର୍ । ସେପଟେ ଓଡ଼ିଶାରେ ସ୍କୁଲ ରୂପାନ୍ତରୀକରଣର ବାସ୍ତବତା ନେଇ ଉଠିଲା ପ୍ରଶ୍ନ ।ରାଜ୍ୟ ସରକାରଙ୍କ ସହିତ ଜିଲ୍ଲାସ୍ତରର ଅଧିକାରୀ ଏବଂ ଦାୟିତ୍ଵରେ ଥିବା ବ୍ୟକ୍ତି ବିଶେଷ ଏହା ଉପରେ ଗୁରୁତ୍ବ ଦିଆଯିବା ଉଚିତ। ଓଡିଶାରେ ଡ୍ରପଆଉଟ୍ ଜିରୋ କରିବା ପାଇଁ ଜନଜାଗରଣ ଜରୁରୀ ବୋଲି କହିଛନ୍ତି ରାଜ୍ୟପାଳ।
ଦଶମ ଶ୍ରେଣୀରେ ପାଠ ଛାଡ଼ିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ । ବିଶ୍ବସ୍ତରୀୟ ବ୍ୟବସ୍ଥାର ଏ ହେଉଛି ବାସ୍ତବ ଚିତ୍ର । ନଜର ପକାନ୍ତୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟରୁ ଲୋକସଭାରେ ରଖାଯାଇଥିବା ଏହି ରିପୋର୍ଟ ଉପରେ । ୨୦୧୮-୧୯ରେ ୧୨.୮ ପ୍ରତିଶତ ପିଲା ପାଠ ଛାଡ଼ିଥିଲେ, ସେହିପରି ୨୦୧୯-୨୦ରେ ୩୮.୩୫ ପ୍ରତିଶତ, ୨୦୨୦-୨୧ରେ ୩୯.୪ ପ୍ରତିଶତ ଏବଂ ୨୦୨୧-୨୨ରେ ୪୯.୯ ପ୍ରତିଶତ ପିଲା ଦଶମ ଶ୍ରେଣୀରେ ପାଠପଢ଼ା ଛାଡ଼ିଛନ୍ତି। ଅର୍ଥାତ୍ ନବମରେ ଯେତିକି ପିଲା ପଢ଼ୁଛନ୍ତି ଦଶମକୁ ଗଲା ବେଳକୁ ପାଖପାଖି ଅଧା ପିଲା ପାଠ ଛାଡ଼ୁଛନ୍ତି । ଏହା ହିଁ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଖାଲି ରଙ୍ଗ ମାରି ଶିକ୍ଷା ବିକାଶର ସ୍ବପ୍ନ ଦେଖଉଥିବା ରାଜ୍ୟ ସରକାର ଥରେ ଏହା ଦେଖିବା ଉଚିତ। ଆର୍ଥିକ ସମସ୍ୟା ପାଇଁ ରାଜ୍ୟର ପିଲାମାନେ ଅଧାରୁ ପାଠ ଛାଡ଼ି ଶ୍ରମିକ ଭାବେ କାମ କରୁଛନ୍ତି ଏପରିକି ବହୁ ପିଲା ଇଟାଭାଟିରେ କାମ କରିବାକୁ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଉଛନ୍ତି।
ପିଲାଙ୍କୁ ସ୍କୁଲ ପ୍ରତି ଆକର୍ଷିତ କରିବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ଗ୍ରାଉଣ୍ଡରେ ଏହା ପ୍ରଭାବଶୂନ୍ୟ। ପ୍ରଶ୍ନ ଉଠୁଛି, କୁଆଡେ ଯାଉଛି ଟଙ୍କା ? ନା ପିଲାମାନଙ୍କୁ ସ୍କୁଲ ମୁହାଁ କରିବାକୁ କେବଳ ସୁଆଙ୍ଗ କରୁଛି ଗଣଶିକ୍ଷା ବିଭାଗ। ଖାଲି ସ୍କୁଲ କୋଠାରେ ରଙ୍ଗବୋଳି ରୂପାନ୍ତରୀକରଣ ନାଁରେ ପ୍ରଚାରରେ ମାତିଛନ୍ତି ବିଜେଡି ସରକାର। ଯାହାର ଫଳ ଶୂନ। ଏବେ ପ୍ରଶ୍ନ ଉଠୁଛି ରାଜ୍ୟପାଳଙ୍କ ଏହି ଆହ୍ବାନକୁ ଗ୍ରହଣ କରିବେ ବିଜେଡି ସରକାର ?