ଜଳ ଯନ୍ତ୍ରଣାରେ ଛଟପଟ ଚାଷୀ

ଅର୍ଗସ ବ୍ୟୁରୋ : ଜଳ ଯନ୍ତ୍ରଣାରେ ଛଟପଟ ଚାଷୀ। ଚାଷ ଜମିକୁ ଜଳସେଚନର ସୁବିଧା ନଥିବାରୁ ରଣପୁର ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ଫାଟି ଆଁ କଲାଣି l ଯେଉଁ ସମୟରେ ଫସଲ ଅମଳ କରି ଘରକୁ ଆଣିବା କଥା ସେସମୟରେ ଚାଷ ଜମିକୁ ଅନାଇ କାନ୍ଦୁଛି ଚାଷୀ l ଉଜୁଡା ଧାନ ଫସଲର ଏ ଚିତ୍ର ନୟାଗଡ ରଣପୁର ବ୍ଲକ ଓସ୍ତାପଡ଼ାର l ବର୍ଷା ଅଭାବରୁ ବିଲରେ ପାଣି ଟିକେ ନାହିଁ। ଜଳ ସେଚନ ବ୍ୟବସ୍ଥା ଯାହା ହୋଇଛି ତାହା ସମୁଦ୍ରକୁ ଶଙ୍ଖେ l ତେଣୁ ମରିଗଲl ଫସଲ। ସେଇ ଉଜୁଡା ଫସଲକୁ ଦେଖି ଆତ୍ମହତ୍ୟା କଲେ ଓସ୍ତପଡା ଗ୍ରାମର ୬୫ବର୍ଷିୟ ଚାଷୀ ଗୋବିନ୍ଦ ସାହୁ l ଆରମ୍ଭରୁ ଭଲ ବର୍ଷା ହୋଇଥିବାରୁ ଚଳିତ ବର୍ଷ ଧାର କରଜ କରି ୫ଏକର ଜମିରେ ଧାନ ଚାଷ କରିଥିଲେ l କିନ୍ତୁ ଭାଗ୍ୟର ବିଡମ୍ବନା। ଦାଉ ସାଜିଲା ନିଅଣ୍ଟିଆ ବର୍ଷା l ସେପଟେ ପୁଅ କହିଛନ୍ତି ଧାନ ଫସଲ ନଷ୍ଟ ହୋଇଯିବାରୁ କିପରି ଋଣ ପରିଶୋଧ କରିବେ ସେଇ ଚିନ୍ତାରେ ମାସେ ହେବ ମାନସିକ ଚାପଗ୍ରସ୍ତ ଥିଲେ ବାପା l
ରାଜ୍ୟ ସରକାର ପ୍ରତ୍ୟେକ ଚାଷ ଜମିକୁ ଜଳ ସେଚନ ଯୋଗାଇ ଦେଇଥିବାର କଥା କହୁଥିବା ବେଳେ ତାହା ବାସ୍ତବରେ ମିଛ ପ୍ରମାଣିତ ହୋଇଛି l ବର୍ତ୍ତମାନ ରଣପୁର ନିର୍ବାଚନ ମଣ୍ଡଳୀରେ ପାଣି ପାଇଁ ମରୁଡି ପରିସ୍ଥିତି ଦେଖାଦେଇଥିବା ବେଳେ ସ୍ଥାନୀୟ ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ଚାଷୀଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଦଳୀୟ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ଅଭିଯୋଗ କରିଥିବା ବେଳେ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ଓ କଂଗ୍ରେସ l
ଅଧିକ ପଢନ୍ତୁ: ଜଳ ଅଭାବରୁ ମରିବାକୁ ବସିଲାଣି ଧାନ ଫସଲ
📱 Get Argus News App
✨
ସେପଟେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ୧୦ଜଣିଆ ଟିମ ଆତ୍ମହତ୍ୟା କରିଥିବା ଚାଷୀ ଗୋବିନ୍ଦ ସାହୁଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତି ପୂରଣ ସହ ତାଙ୍କ ସ୍ତ୍ରୀଙ୍କୁ ବିଧବା ଭତ୍ତା ଯୋଗାଇ ଦେବାକୁ ଦାବି କରିଛନ୍ତି l
ଓଡିଶା ଖବର ଆହୁରି ପଢନ୍ତୁ