|
logo
Live

Argus News - ଗଞ୍ଜାମ ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ଧାନ ଜମି ଫାଟି ଆଁ କରିଛି

Odisha

ଗଞ୍ଜାମ ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ଧାନ ଜମି ଫାଟି ଆଁ କରିଛି

Ritu Das
Browse all articles by Ritu Das
·2 years ago·2 min read
ଗଞ୍ଜାମ ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ଧାନ ଜମି ଫାଟି ଆଁ କରିଛି

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ଦେଖାଦେଲାଣି ଏବେ ମରୁଡି ପରିସ୍ଥିତି। ପରିସ୍ଥିତି ଏମିତି ହେଲାଣି ଯେ ଧାନକ୍ଷେତରେ ଗାଈ,ମଇଁଷି ଚରୁଥିବା ଦେଖିବାକୁ ମିଳିଲାଣି। ବର୍ଷା ଉପରେ ନିର୍ଭର କରୁଥିବା ଗଞ୍ଜାମର ଚାଷଜମି ବର୍ଷା ନ ହେବାରୁ ଜିଲ୍ଲାରେ ହାହାକାର ପରିସ୍ଥିତି। ଯୁଆଡେ ଦେଖିବେ ଧାନଜମି ଫାଟି ଆଁ କରିଛି। 

ଏଦୃଶ୍ୟ ହେଉଛି ଗଞ୍ଜାମ ପାତ୍ରପୁର ବ୍ଲକର ଖାରିଆଗୁଡାର। ଚଳିତବର୍ଷ ବର୍ଷାର ପରିମାଣ ବହୁତ କମ। ଚାଷ ଜମିକୁ ଆଦୌ ପାଣି ଆସୁନି। ଡ୍ୟାମ ସମ୍ପୁର୍ଣ୍ଣ ଭାବେ ଶୁଖିଲା। ଉଠାଜଳ ସେଚନର ବ୍ୟବସ୍ଥା ନାହିଁ। ଧାନ ଚାଷ କରିଥିବା ଚାଷୀ ହଇରାଣ ହେଉଛନ୍ତି। ଧାର କରଜ କରି ଚାଷ କରିଛନ୍ତି। ଏମିତି ଯଦି ଫସଲ ଉଜୁଡିଯାଏ ତାହାଲେ ସେମାନେ କରିବେ କଣ। କେମିତି ଋଣ ଶୁଝିବେ। ସେ ନେଇ ଚିନ୍ତାରେ। ତେବେ ଏହାର କୌଣସି ସ୍ଥାୟୀ ପ୍ରତିକାର ସରକାରଙ୍କ ତରଫରୁ କରାଯାଉ ନାହିଁ।  ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଖାରିଆଗୁଡା, ସୁରଙ୍ଗୀ, ମନ୍ଦରଡ଼ା ସମେତ ପାତ୍ରପୁର ଭଳି ଏମିତି ଅନେକ ପଞ୍ଚାୟତରେ  ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। କେବଳ ଯେ ପାତ୍ରପୁରରେ ଏଭଳି ମରୁଡିର ଚିତ୍ର ତାହା ନୁହେଁ ସାରା ଗଞ୍ଜାମ ଜିଲ୍ଲାରେ ଏଭଳି ମରୁଡ଼ିର ସଙ୍ଗିନ ଚିତ୍ର ଦେଖିବାକୁ ମିଳିଛି। 

ବଡ଼କଥା ହେଉଛି,ଗଞ୍ଜାମ ଜିଲ୍ଲାରେ ବର୍ଷା ଜଳକୁ ସଂରକ୍ଷଣ କରିବାକୁ କୌଣସି ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର। ଋଷିକୁଲ୍ୟା, ବଡ଼ନଦୀ, ମହେନ୍ଦ୍ରତନେୟା, ବାହୁଦା ଭଳି ଏମିତି ଅନେକ ପ୍ରମୁଖ ନଦୀ ରହିଥିବା ବେଳେ ଯେତିକି ବି ବର୍ଷା ଜଳ ନଦୀରେ ପ୍ରଭାବିତ ହେଉଛି ସବୁ କିଛି ସମୁଦ୍ର ଗର୍ଭକୁ ଚାଲିଯାଉଛି। ଏପଟେ ଗଚ୍ଛିତ ଥିବା ଜଳଭଣ୍ଡାର ଜଳସ୍ତର ଚଳିତ ବର୍ଷ ବହୁତ କମ୍।  ଜିଲ୍ଲାର ଡ୍ୟାମଗୁଡ଼ିକରେ ପାଣି ନାହିଁ ଫଳରେ କେନାଲରେ ପାଣି ଛାଡ଼ିବାରେ ସମସ୍ୟା ସୃଷ୍ଟି ହେଉଛି। ଭାଗବଣ୍ଟା କରି ପାଣି ଛଡ଼ାଯାଉଛି। ହେଲେ ତାହା ଚାଷ ପାଇଁ ପର୍ଯ୍ୟାପ୍ତ ହୋଇପାରୁନାହିଁ। ଜିଲ୍ଲାରେ ଥିବା ୭ଟି ଡ୍ୟାମରେ ଜଳସ୍ତର ବିଶେଷ ମାତ୍ରାରେ ହ୍ରାସ ପାଇଛି। ଜିଲ୍ଲାର ୪ଟି ଚ୍ୟାମ୍‌ରେ ୫୦ ପ୍ରତିଶତରୁ କମ୍ ପାଣି ରହିଛି। ଆଗକୁ ବର୍ଷା ନହେଲେ ସ୍ଥିତି ସଙ୍ଗୀନ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ବଡ଼କଥା ହେଉଛି ଜିଲ୍ଲାର ଚାଷିଜମିକୁ ରାଜ୍ୟ ସରକାର ଗ୍ରାଉଣ୍ଡଜିରୋରେ ଅନୁଧ୍ୟାନ କରିବାକୁ ଦାବି ହୋଇଛି। ଉଭୟ ବିଜେପି ଏବଂ ଜିଲ୍ଲା ଚାଷୀ ସଂଗଠନ ମରୁଡି ଘୋଷଣା ସହ ଆର୍ଥିକ ସହାୟତା କରିବାକୁ ଦାବି କରିଛନ୍ତି। ନଚେତ ଆଗକୁ ଜିଲ୍ଲାରେ ବ୍ଲକଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ କାର୍ଯ୍ୟଳୟ ଯାଏ ବଡ଼ ଧରଣର ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ତେବେ ଆଗକୁ ରାଜ୍ୟ ସରକାର ଚାଷୀଙ୍କ ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Sponsored
ଗଞ୍ଜାମ ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ଧାନ ଜମି ଫାଟି ଆଁ କରିଛି | Argus English