କଣ୍ଟ୍ରୋଲ ଦୋକାନ ଆଗରେ ନବୀନଙ୍କ ବ୍ୟାନର ଲାଗିବାକୁ ନେଇ ଅସନ୍ତୋଷ

ଅର୍ଗସ ବ୍ୟୁରୋ: କେନ୍ଦ୍ର ଚାଉଳରେ ନବୀନ ବ୍ରାଣ୍ଡକୁ ନେଇ ତେଜୁଛି ବିରୋଧର ସ୍ବର । ସାରା ରାଜ୍ୟରେ କଣ୍ଟ୍ରୋଲ ଦୋକାନ ଆଗରେ ନବୀନଙ୍କ ବ୍ୟାନର ଲାଗିବାକୁ ନେଇ ଅସନ୍ତୋଷ । ମୋରଡ଼ା, ବଡ଼ମ୍ବା, ନିଆଳି ପରେ ଏବେ କୋଟପାଡ଼ରେ ବିରୋଧ । ମୁର୍ତ୍ତାହାଣ୍ଡି ଏବଂ ଚାନ୍ଦୀଲି ପଞ୍ଚାୟତରେ ଚାଉଳ କେନ୍ଦ୍ର ଆଗରେ ନବୀନଙ୍କ ବ୍ୟାନର୍ ଲାଗିଥିଲା । ଏହାକୁ ବିରୋଧ କରି ବିଜେପି ପକ୍ଷରୁ ନବୀନଙ୍କ ଫଟୋ ଲାଗିଥିବା ବ୍ୟାନରକୁ ବାହାର କରାଯାଇଛି । ଏହା ପୂର୍ବରୁ ନିଆଳି ବ୍ଲକ୍ ଜଲାରପୁର ପଞ୍ଚାୟତରେ ବି କଣ୍ଟ୍ରୋଲ ଦୋକାନରୁ ନବୀନଙ୍କ ବ୍ୟାନର ଲୋକେ ହଟାଇଥିଲେ, ଯେଉଁଥିରେ ଲେଖାଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଚାଉଳ ବଣ୍ଟନ ଅବଧିକୁ 5ବର୍ଷ ବଢାଇ ଦିଆଯାଇଛି ।
ଏହାର କିଛି ଦିନ ତଳେ ମୟୂରଭଞ୍ଜ ଶୁଳିଆପଦାରେ ମଧ୍ୟ କଣ୍ଟ୍ରୋଲ ଦୋକାନ ଆଗରେ ରାଜ୍ୟ ସରକାରଙ୍କ ଯୋଜନାର ବ୍ୟାନର୍ ଲାଗିବାକୁ କରାଯାଇଥିଲା ବିରୋଧ । କଷ୍ଠା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ ବିଜେପି ସମର୍ଥକ । ସେହିପରି କଟକ ବଡ଼ମ୍ବା ବାଙ୍ଗରସିଂହା କଣ୍ଟ୍ରୋଲ ଦୋକାନରେ ମଧ୍ୟ ନବୀନଙ୍କ ବ୍ୟାନର ଲଗାଯିବାକୁ ଲୋକେ କରିଥିଲେ ବିରୋଧ । କିଛି ଦିନ ପୂର୍ବେ କେନ୍ଦ୍ର ଚାଉଳରେ ନବୀନ ବ୍ରାଣ୍ଡ ଲଗାଇବାକୁ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଥିଲେ ପ୍ରଚାର ସର୍ବସ୍ବ ପାଲଟିଛନ୍ତି ଓଡ଼ିଶା ସରକାର। ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
