ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବନାଗ୍ନି ପ୍ରତିରୋଧ ନେଇ ସମନ୍ବୟ ବୈଠକ

ଅର୍ଗସ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟ ଓ ଏହାର ଆଖପାଖ ଅଞ୍ଚଳରେ ବନାଗ୍ନିକୁ ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପନିର୍ଦ୍ଦେଶକ ସାଇ କିରଣ, ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ଓ ଆରକ୍ଷୀ ଅଧିକ୍ଷକ ଏସ୍ .ସୁଶ୍ରୀ ଉପସ୍ଥିତ ରହି ବନାଗ୍ନି ରୋକିବା ଦିଗରେ ଆଲୋଚନା କରିଥିଲେ।
ଜଙ୍ଗଲ ବଞ୍ଚାଇ ରଖିବା ପାଇଁ ବନବାସୀଙ୍କ ଜୀବନଜୀବିକାରେ ଉନ୍ନତି ଆଣି ଜଙ୍ଗଲକୁ ସୁରକ୍ଷା ଦେବାରେ ସେମାନଙ୍କ ସହଯୋଗ ରହିବା ଏବଂ ଖରାଦିନେ ଶିମିଳିପାଳକୁ ବନାଗ୍ନି ରୋକିବାରେ ଏକ କମିଟି ଗଠନ କରାଯାଇ ଜିଲ୍ଲାସ୍ତରୀୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ନିଆଁ ଦାଉରୁ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବାପାଇଁ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି ।ସେହିପରି ବନବିଭାଗ ପକ୍ଷରୁ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ତାଲିମଦେଇ ସଜାଗ ରଖାଯିବା ସହ ଜଙ୍ଗଲ ଅଞ୍ଚଳର ଅଧିବାସୀ, ବନବାସୀ, ସାମାଜିକ ସଙ୍ଗଠନ ଏବଂ ପରିବେଶବିତଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ପ୍ରତି ବ୍ଲକ ଓ ପଞ୍ଚାୟତସ୍ତରରେ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହିତ ହାତୀ ଦ୍ବାରା କ୍ଷୟକ୍ଷତି ଶିଘ୍ର ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଆଲୋଚନା କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର