Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟ ସରକାର ମୁଣ୍ଡ ଜାମିନ୍‌ରେ, ବିଦ୍ୟୁତ୍ ସଂସ୍କାରର ଫାଇଦା ନେଉଛି ତାମିଲନାଡୁ

Odisha

ରାଜ୍ୟ ସରକାର ମୁଣ୍ଡ ଜାମିନ୍‌ରେ, ବିଦ୍ୟୁତ୍ ସଂସ୍କାରର ଫାଇଦା ନେଉଛି ତାମିଲନାଡୁ

Jitendra Dash
Browse all articles by Jitendra Dash
·2 years ago·3 min read
ରାଜ୍ୟ ସରକାର ମୁଣ୍ଡ ଜାମିନ୍‌ରେ, ବିଦ୍ୟୁତ୍ ସଂସ୍କାରର ଫାଇଦା ନେଉଛି ତାମିଲନାଡୁ

ଅର୍ଗସ ବ୍ୟୁରୋ : ସାରା ଦେଶରେ ଓଡ଼ିଶା ସବୁଠାରୁ ମହଙ୍ଗା ରାଜ୍ୟ । ଗତ ଅକ୍ଟୋବର ମାସ ଭାରତର ମୁଦ୍ରାସ୍ଥିତି ୪.୮୭ପ୍ରତିଶତ ଥିଲାବେଳେ ଓଡ଼ିଶାରେ ତାହା ଥିଲା ୬.୪୭ । ସାଧାରଣ ଓଡ଼ିଆ ପରିବାରର ମାସିକ ବଜେଟ୍‌ରେ ବିଦ୍ୟୁତ ଦେୟ ଏକ ପ୍ରମୁଖ ଅଂଶ ଗ୍ରହଣ କରିଥାଏ । ଦେଶର ପାୱାର ଫାଇନାନ୍ସ କର୍‌ପୋରେସନ୍‌ର ତଥ୍ୟ ଅନୁଯାୟୀ ଓଡିଆ ବିଦ୍ୟୁତ ଗ୍ରାହକ ୟୁନିଟ୍ ପ୍ରତି ଭାରତର ବିଦ୍ୟୁତ ଗ୍ରାହକ ଅପେକ୍ଷା ପ୍ରତି ୟୁନିଟ୍ ୮୦ପଇସା ଅଧିକ ପ୍ରଦାନ କରିଥାଏ । ବିଦ୍ୟୁତ ଉତ୍ପାଦନ କଂଚାମାଲ କୋଇଲାରେ ଭରପୁର ଓଡ଼ିଶାରେ ଏହି ଉଚ୍ଚଦରର ବିଦ୍ୟୁତ ଶୁଳ୍କ ବିଜେଡି ସରକାରଙ୍କ ଭ୍ରଷ୍ଟାଚାର ଓ କୁପରିଚାଳନା କାରଣରୁ ସମ୍ଭବ ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ନାଭେଲି ଲିଗ୍‌ନାଇଟ୍ କରପୋରେସନ୍ ସୁନ୍ଦରଗଡ ଜିଲ୍ଲା ତଲାବିରାଠାରେ ୩୨ଶହ ମେଗାୱାଟର ଏକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରୁଛି । କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରଣାଳୟର ସଂଶୋଧିତ ନୀତି ୨୦୨୧ ଅନୁଯାୟୀ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ରାଜ୍ୟ ସଂପୃକ୍ତ ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦିତ ବିଦ୍ୟୁତ୍‌ର ୫୦ପ୍ରତିଶତ ସେହି ରାଜ୍ୟ ପାଇବ । ତଦ୍‌ନୁଯାୟୀ ତଲାବିରା ବିଦ୍ୟୁତ୍ କେନ୍ଦ୍ରରୁ ଓଡ଼ିଶାର ହକ୍ ହେଉଛି ୧୬ଶହ ମେଗାୱାଟ କିନ୍ତୁ ସମସ୍ତ ଆଇନ କାନୁନକୁ ମାଡି ମକଚି ରାଜ୍ୟ ସରକାର ମାତ୍ର ୮ଶହ ମେଗାୱାଟରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟପକ୍ଷରେ ତାମିଲନାଡୁକୁ ଯୋଗାଇ ଦିଆଯାଉଛି ୧୫ଶହ ମେଗାୱାଟ ଶସ୍ତା ବିଦ୍ୟୁତ । ଓଡ଼ିଶାରେ ଜଳିବ ୧୫ନିୟୁତ୍ ଟନ୍‌ରୁ ଅଧିକ କୋଇଲା । ପ୍ରଦୂଷଣରେ ଜଳିବେ ଓଡ଼ିଶାବାସୀ । ଅଥଚ୍‌ ଏହାର ଫାଇଦାନେବ ତାମିଲନାଡୁ । ଏଭଳି ରାଜ୍ୟ ସ୍ୱାର୍ଥ ବିରୋଧୀ ଚ୍ୟୁକ୍ତିର ତର୍ଜମା ଓ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ ଧାରା ୮୬(୧)(ଖ) ଓ (ଘ) ଅନୁଯାୟୀ ବିଦ୍ୟୁତ୍ ନିୟାମକ ଆୟୋଗକୁ ଅଧିକାର ପ୍ରଦାନ କରିଛି । କିନ୍ତୁ କେଉଁ ଏକ ଅଜଣା କାରଣରୁ ଆୟୋଗ ସନ୍ଦେହଜନକ ନିରବତା ଅବଲମ୍ବନ କରୁଛି । ଏକ ତାମିଲନାଡୁ ଦମ୍ପତିର ରାଜ୍ୟର ଶାସନ ମୁଖ୍ୟ ଓ ପ୍ରଶାସନିକ ବ୍ୟବସ୍ଥାକୁ ମୁଣ୍ଡ ଜାମିନ ରଖି ଏହି “ରାନ୍‌ସମ୍‌” ଆଦାୟ କରୁଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଜାତିୟ ବିଦ୍ୟୁତ୍ ମୂଲ୍ୟନୀତି ୨୦୦୬ ଅନୁଯାୟୀ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ସମ୍ପୃକ୍ତ ରାଜ୍ୟର ନିୟାମକ ଆୟୋଗ ନିକଟରୁ ଏକ ଦୀର୍ଘ ସୂତ୍ରୀ ବ୍ୟବସାୟୀକ ଯୋଜନା ଅନୁମୋଦିତ କରିବା ଆବଶ୍ୟକ । ଏହି ଯୋଜନା ଅନୁଯାୟୀ ଆୟୋଗ ବହୁବର୍ଷିୟ ବିଦ୍ୟୁତ ଶୁଳ୍କ ନିଦ୍ଧାରଣ କରିଥାଏ । କିନ୍ତୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଏପରି ବ୍ୟବସାୟିକ ଯୋଜନା ଦାଖଲ କରିବା ପାଇଁ ବେସରକାରୀ ବିତରଣକାରୀ ସଂସ୍ଥାକୁ ଆକଟ କରୁନାହିଁ । ଏହି ବ୍ୟବସାୟୀକ ଯୋଜନା ଆୟୋଗ ଅନୁମୋଦନ କଲେ ବିଦ୍ୟୁତ୍‌ର ଖାଉଟି ମୂଲ୍ୟ ବୃଦ୍ଧି ଘଟେ ନାହିଁ । ୨୦୦୩-୦୪ରୁ ୨୦୦୭-୦୮ମଧ୍ୟରେ ଏହା ଦେଖିବାକୁ ମିଳିଥିଲା । କିନ୍ତୁ ୨୦୦୮-୧୩ରେ ଏହି ବ୍ୟବସାୟୀକ ଯୋଜନା ଦାଖଲ ହେଲା ନାହିଁ । ବିଦ୍ୟୁତ୍ ମୂଲ୍ୟ ୭୦ପ୍ରତିଶତ ବୃଦ୍ଧି ପାଇ ଖୁଚୁରା ମୂଲ୍ୟ ୟୁନିଟ୍ ପ୍ରତି ୨ଟଙ୍କା ବଢ଼ିଥିଲା । ସେହି କାରଣରୁ ୨୦୧୩-୨୩ରେ ବିଦ୍ୟୁତ୍ ମୂଲ୍ୟ ୨୦ପ୍ରତିଶତ ବୃଦ୍ଧି ପାଇଁ ଖୁଚୁରା ମୂଲ୍ୟ ୟୁନିଟ୍ ପ୍ରତି ୯୦ପଇସା ବଢ଼ିଥିଲା । ଚଳିତବର୍ଷ ୨୦୨୪-୨୮ ପାଇଁ କୌଣସି ବ୍ୟବସାୟୀ ଯୋଜନା ଅନୁମୋଦନ ହୋଇନାହିଁ ।  ତେଣୁ ଆଗାମୀ ଦିନରେ ବିଦ୍ୟୁତ ଶୁଳ୍କ ବଢ଼ିବାର ଶ୍ରୀ ପଣ୍ଡା ଆଶଙ୍କା ପ୍ରକାଶ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଫାରାକ୍କା, କାହାଲାଗାଁଓ, ମୁଜାଫରପୁର, ନବିନଗର ଓ ଓପିଜିସିଠାରୁ ଗୋଟିଏ ଟର୍ଚ୍ଚ ବତି ଜଳିବା ପାଇଁ ଆବଶ୍ୟକ ବିଦ୍ୟୁତ୍ ନଆଣି ମଧ୍ୟ ପୂର୍ବ ଚ୍ୟୁକ୍ତି ଅନୁଯାୟୀ ଓଡ଼ିଶା ବାହାରର ବିଦ୍ୟୁତ କେନ୍ଦ୍ର ଗୁଡିକୁ ନବୀନ ସରକାର ସ୍ଥାୟୀ ଦେୟ ହିସାବରେ ୧୨୫୦କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ଏହି ଅର୍ଥ ରାଜ୍ୟର ସାଧାରଣ ଖାଉଟିଙ୍କ ମୁଣ୍ଡରେ ଲଦି ଦିଆଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ରାଜ୍ୟ ସରକାର ଭିତିଭୂମି ସଜାଡିବା ପାଇଁ ୫ବର୍ଷରେ ୨୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବାର ହିସାବ, ଭୁବନେଶ୍ୱର ଭୂତଳ ତାର ବିଛାଇବା ପାଇଁ ୨ହଜାର କୋଟି ଟଙ୍କା ବ୍ୟୟ କରିଥିବାର ଦାବି ଏବଂ ସମସ୍ତ ସର୍ତ ଓ ଚ୍ୟୁକ୍ତିକୁ ଖିଲାପ କରି ବେଦାନ୍ତକୁ ବାର୍ଷିକ ୧୨୫୦କୋଟି ଟଙ୍କାର ମୁନାଫା ଟେକିଦେବା ପଛରେ ବ୍ୟାପକ ଭ୍ରଷ୍ଟାଚାରର ସୁରାକ ମିଳୁଛି । ପୂର୍ବରୁ ଆୟୋଗ ନିଦ୍ଦେଶକୁ ଅବମାନନା କରି ଗ୍ରାହକଙ୍କଠାରୁ ଆଦାୟ ହୋଇଥିବା ବେଆଇନ ୫ହଜାର କୋଟି ଟଙ୍କା ସମୁଳ ସୁଧ ସହିତ ଜନସାଧାରଣଙ୍କୁ ଫେରାଇବା ପାଇଁ “କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ” ଧାରା ୬୨(୬) ବ୍ୟବସ୍ଥା ଅଛି । ତେଣୁ ଏହି ଅର୍ଥ ଓଡ଼ିଶାବାସୀଙ୍କୁ ଅବିଳମ୍ବେ ଫେରାଇବା ଦାବି କରି ସମଗ୍ର ରାଜ୍ୟରେ ଚାଲିଥିବା “ଜନ ଆକ୍ରୋଶ” ଆନ୍ଦୋଳନ “ବିଦ୍ୟୁତ୍ ବିଭ୍ରାଟ” ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ । 
   

   

Sponsored
bjp press meet | Argus English