Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧାନ କିଣାରେ ବର୍ଷକୁ ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି ସଂଗ୍ରହ କରୁଛି ବିଜେଡି

Odisha

ଧାନ କିଣାରେ ବର୍ଷକୁ ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି ସଂଗ୍ରହ କରୁଛି ବିଜେଡି

Jitendra Dash
Browse all articles by Jitendra Dash
·2 years ago·3 min read
ଧାନ କିଣାରେ ବର୍ଷକୁ ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି ସଂଗ୍ରହ କରୁଛି ବିଜେଡି

ଅର୍ଗସ ବ୍ୟୁରୋ : ଧାନକିଣାରେ ଏକ ବଡ ସିଣ୍ଡକେଟ୍ କାମ କରୁଛି । ରାଜ୍ୟ ସରକାରଙ୍କ କୃଷି, ଯୋଗାଣ ଏବଂ ସମବାୟ ବିଭାଗର ମିଳିତ ମଧୁଚନ୍ଦ୍ରିକାରେ ସାମିଲ ଅଛି ମିଲର୍ସ । ଧାନ କିଣାରେ ବର୍ଷକୁ ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି ସଂଗ୍ରହ କରୁଛି ବିଜେଡି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ବାସ୍ତବରେ ରାଜ୍ୟର ଚାଷୀକୁଳର କାଳ ସାଜିଛି ଶାସକ ବିଜେଡି । ଓଡିଶାର ଚାଷୀଙ୍କର କୌଣସି ଅର୍ଥନୈତିକ ଉନ୍ନତି ହୋଇନାହିଁ । ବିଜେଡିର ୨୪ ବର୍ଷର ଶାସନରେ ଚାଷୀଙ୍କ ମୁଣ୍ଡ ପିଛା ଆୟ ମାତ୍ର ୨୭ ଟଙ୍କା ବଢିଛି । ବିଜେଡି ଶାସନକୁ ଆସିବା ସମୟରେ ଚାଷୀଙ୍କ ଆୟ ଥିଲା ମାତ୍ର ୫୦୮୫ ଟଙ୍କା, ଏବେ ୨୪ ବର୍ଷ ପରେ ଏହା ବୃଦ୍ଧି ପାଇ ମାତ୍ର ୫୧୧୨ ଟଙ୍କାକୁ ପହଁଚିଛି । ଓଡିଶାରେ ଚାଷୀଙ୍କ ଆୟ ସର୍ବଭାରତୀୟ ସ୍ତରର ଆୟଠାରୁ ସବୁଠାରୁ କମ୍ ଏବଂ ବ୍ୟୟରେ ମଧ୍ୟ କମ୍ । ଏହା ଓଡିଶାର ଚାଷୀଙ୍କୁ ବିଜେଡି ସରକାରର ସବୁଠୁ ବଡ ଉପହାର କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ଧାନ କଟା କାର୍ଯ୍ୟ ଆରମ୍ଭ ହୋଇସାରିଛି । ବିଶେଷ ଭାବେ ପଶ୍ଚିମ ଓଡିଶାରେ ଏହି କାର୍ଯ୍ୟ ବହୁ ଜୋର ଧରିଛି । ମହା ଆଡମ୍ବରରେ ଲଘୁ କ୍ରୀୟା ସଦୃଶ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଓ ଅବ୍ୟବସ୍ଥିତ ମଣ୍ଡି ବ୍ୟବସ୍ଥା । ଘୋଷଣା ସର୍ବସ୍ୱ ବିଜେଡି ସରକାର ଆଜି ପର୍ଯ୍ୟନ୍ତ ସୁବ୍ୟବସ୍ଥିତ ମଣ୍ଡି କାର୍ଯ୍ୟକାରୀ କରିବାରେ ଅକ୍ଷମ ବୋଲି ପ୍ରମାଣିତ ହୋଇଛି । କଟନୀ ଛଟନୀର ଶିକାର ହେଉଥିବା ଚାଷୀକୁଳ ଆଜି ବି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ବାହାର ରାଜ୍ୟର ବେପାରୀଙ୍କ କବ୍‌ଜାରେ ଚାଷୀକୁଳ । ଗତ କାଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟ ସରକାରଙ୍କ ଅସହାୟତାକୁ ସ୍ୱୀକାର ମଧ୍ୟ କରିଛନ୍ତି । ମାନ୍ୟବର ରାଜ୍ୟପାଳ କାଲି ସମ୍ବଲପୁର ଯାଇଥିଲେ ଚାଷୀମାନେ ଆସି ତାଙ୍କୁ ଶୋଷଣ ହେଉଛନ୍ତି ବୋଲି ଫେରାଦ୍ ଦେଲେ କିନ୍ତୁ ତାର ପ୍ରତି ଉତରରେ ମନ୍ତ୍ରୀ ଅତନୁ ସବ୍ୟସଚୀ କହିଲେ ଯେ, ‘ସୀମା ସିଲ୍ କରିଦେବୁ ଆଉ କେହି ପ୍ରବେଶ କରିପାରିବେନାହିଁ’ । ପଡୋଶୀ ରାଜ୍ୟରେ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୩୦୦୦ ଟଙ୍କା ଦିଆଯାଉଥିବାବେଳେ ଓଡିଶାରେ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ୨୧୮୩ ଟଙ୍କା ପାଇବାରୁ ବଂଚିତ ଚାଷୀକୁଳ । ଚାଷୀକୁଳ ବାଧ୍ୟ ହୋଇ ଧାନ କ୍ୱିଂଟାଲକୁ ୧୫୦୦ – ୧୬୦୦ ଟଙ୍କାରେ ବିକ୍ରୀ କରୁଛି । ସୁତୁଲି, ଅଖା, ପରିବହନ ପାଇଁ ଆସୁଥିବା ଟଙ୍କାକୁ ବିଜେଡିର ନେତା ଓ ମନ୍ତ୍ରୀ ମିଳିମିଶି ଖାଇଯାଉଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସମସ୍ତ ଚାଷୀଙ୍କର ସମସ୍ତ ଧାନ ଓଡିଶା ସରକାର କ୍ରୟ କରିବେ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତି ନିଆଗଲା । ପୁଣି ଜଳସେଚିତ ଓ ଅଣଜଳସେଚିତ କଥା କହି ଆଉ ଗୋଟିଏ କ୍ରାଇଟେରିଆ ଗ୍ରହଣ କରିଲେ । ଏହା ଦ୍ୱାରା ବଳକା ଧାନ ବିକ୍ରୀ ହୋଇନପାରି ପଡି ରହୁଛି ଏବଂ ଚାଷୀକୁଳ ବ୍ୟାପକ କ୍ଷତି ସହୁଛନ୍ତି । ଭୁବନେଶ୍ୱରରୁ ଟୋକନ ଇସ୍ୟୁ କରାଯାଉଥିବା କାରଣରୁ ବହୁ ସଂଖ୍ୟାରେ ଭୁତ ହିତାଧିକାରୀ ଲାଭବାନ ହେଉଛନ୍ତି । ମିଲରଙ୍କ ଜରିଆରେ ଦଳୀୟ ପାଂଠି ସଗ୍ରହ କରିବାରେ ଏହା ସହାୟକ ହେଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ମାନ୍ୟବର ହାଇକୋର୍ଟଙ୍କ ରାୟ ଅନୁଯାୟୀ ଏଫସିଆଇ ଧାନ କିଣିବା କଥା । କିନ୍ତୁ ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ଜୋରଜବରଦସ୍ତ ଜାବୁଡି ଧରିଛନ୍ତି । ଏହା ପଛରେ ଦଳୀୟ ପାଂଠି ସଂଗ୍ରହ କରିବା ମୂଳ ଲକ୍ଷ୍ୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବହୁ ଚାଷୀ ଶୋଷଣର ଶିକାର ହେଲେଣି, ଆଉ ଚାଷୀଙ୍କୁ ଶିକାର ହେବାକୁ ଦିଆଯିବନାହିଁ । ବିଜେଡି ସରକାରର ଚାଷୀମାରଣ ନୀତି ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଅବସରରେ ଅନ୍ୟତମ ରାଜ୍ୟ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।

Sponsored
bjp leader manoj mohapatra press meet | Argus English