'ଆଦିବାସୀଙ୍କ ଅଭିଶାପରେ ବିଜେଡ଼ି ସରକାର ଜଳି ପୋଡ଼ି ଛାରଖାର ହୋଇଯିବେ'

ଭୁବନେଶ୍ୱର: ଆର୍ଟିକିଲ 244(1) ଅନୁସାରେ ଆଦିବାସୀଙ୍କ ଜମି ଅଣଆଦିବାସୀମାନଙ୍କୁ ବିକ୍ରି କରାଯାଇପାରିବ ନାହିଁ । କିନ୍ତୁ ରାଜ୍ୟ ସରକାର ଏହାକୁ ଉଲଂଘନ କରି ଆଦିବାସୀ ବିରୋଧୀ ହୋଇଯାଇଛନ୍ତି । ଆଦିବାସୀଙ୍କ ଜମି ସୁରକ୍ଷିତ ନାହିଁ । ଶିଳ୍ପ ଏବଂ ଖଣି ଉତ୍ତୋଳନ ନାଁରେ ଆଦିବାସୀଙ୍କ ଜମିକୁ ହଡ଼ପ କରି ନିଆଯାଉଛି ବୋଲି ଅଭିଯୋଗ କରିଛି ବିଜେପି ।
ବିଜେପି ମୋସନ ଆଣିଥିଲା । ସରକାର ଯଦି କ୍ୟାବିନେଟ୍ ନିଷ୍ପତି ନକରନ୍ତି ପ୍ରତ୍ୟାହାର, ଜମି ହରାଇ ଅନୁସୂଚିତ ଜନଜାତି ଛାରଖାର ହୋଇଯିବେ । ଗୃହର ସମସ୍ତ କାର୍ଯ୍ୟକୁ ବନ୍ଦ କରି ଏହି ପ୍ରସଙ୍ଗକୁ ସ୍ଵତନ୍ତ୍ର ଭାବେ ଆଲୋଚନା କରିବା ପାଇଁ ବିଜେପି ପ୍ରସ୍ତାବ ଦେଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଛନ୍ତି ।
ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତିକୁ ବିଜେପି ବିରୋଧ କରୁଛି । ଏହା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି । କିନ୍ତୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରୁଛି । କିଛି ଦିନ ପାଇଁ ସ୍ଥଗିତ କରି ସରକାର ପୁଣି ଲାଗୁ କରିବେ ବୋଲି ଆଶଙ୍କା କରିଛି ବିଜେପି । ଏଥିରେ ରାଜ୍ୟ ସରକାରଙ୍କର ବଡ ଚକ୍ରାନ୍ତ ଏବଂ ଷଡ଼ଯନ୍ତ୍ର ଅଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ବିଚାର ନକଲେ ଆଗାମୀ ଦିନରେ ଆଦିବାସୀମାନେ ଭୂମିହୀନ ଓ କାଙ୍ଗାଳ ହୋଇଯିବେ । ସେମାନଙ୍କ ଜୀବନ ଜୀବିକା ଠପ୍ ହୋଇଯିବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
📱 Get Argus News App
✨ସେପଟେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଛି । କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଆଦିବାସୀ ମାରଣ ନୀତି । ଆଦିବାସୀଙ୍କ ଜମି ବନ୍ଧକ ରଖି ଋଣ ଆଣିବା ନିଷ୍ପତିକୁ କଂଗ୍ରେସ ସ୍ବାଗତ କରୁଛି । କିନ୍ତୁ ବିକ୍ରି କରିବା ପାଇଁ ହୋଇଥିବା ନିଷ୍ପତିକୁ ବିରୋଧ କରୁଛି ଦଳ । ଆଦିବାସୀଙ୍କ ଜମି କିଣିବା ପାଇଁ ଆନ୍ଧ୍ରରୁ ଦଲାଲ ମାନେ ଆସୁଛନ୍ତି । ଶହ ଶହ ଏକର ଜମି କୋରାପୁଟ ଜିଲ୍ଲାରେ ମାଡ଼ି ବସିଛନ୍ତି । ଏହାକୁ କଂଗ୍ରେସ ବିରୋଧ କରୁଛି । କେନ୍ଦ୍ର ସରକାର କଂଗ୍ରେସ ଶାସନ ସମୟରେ ପେଶା ଆଇନ ପ୍ରଣୟନ କରିଥିଲେ । କିନ୍ତୁ ଓଡ଼ିଶା ସରକାର ପେଶା ଆଇନ ଲାଗୁ କରୁନାହାନ୍ତି । ଯଦି ଆଦିବାସୀଙ୍କ ପାଇଁ ଦରଦ ଅଛି ତେବେ ପେଶା ଆଇନ ଲାଗୁ କରନ୍ତୁ ରାଜ୍ୟ ସରକାର ।
ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଆଦିବାସୀ ଜମି ହସ୍ତାନ୍ତର ନେଇ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଯେମିତି matured ହେବା କଥା ସେମିତି ହୋଇ ନାହିଁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି କୁ ସ୍ଥଗିତ ରଖିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...