Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୭ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ

Odisha

୨୭ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ

Ritu Das
Browse all articles by Ritu Das
·2 years ago·3 min read
୨୭ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ

ଅର୍ଗସ ବ୍ୟୁରୋ: ଗୋଟିଏ ରାଜ୍ୟରେ କ୍ରମାଗତ ୨୪ ବର୍ଷ ଧରି ଗୋଟିଏ ଦଳର ଶାସନ। ଭାରତୀୟ ରାଜନୀତିରେ ଏହି ବିରଳ ସଫଳତାର ଅଧିକାରୀ ହୋଇପାରିଛି ବିଜୁ ଜନତା ଦଳ। ଗୋଟିଏ ପରେ ଗୋଟିଏ ଲଗାତାର 5ଟି ନିର୍ବାଚନରେ ବିରୋଧୀଙ୍କୁ ମାତ୍ ଦେଇ କ୍ଷମତା ଗାଦିରେ ବସିଆସିଛି ବିଜେଡି। ଓଡ଼ିଶାବାସୀ ୨୪ବର୍ଷ ଧରି ନବୀନଙ୍କ ହାତରେ ଦେଇଆସିଛନ୍ତି ନିରଙ୍କୁଶ କ୍ଷମତା। ଇଏ କିଛି କମ୍ କଥା ନୁହେଁ। ଅଢେଇ ଦଶନ୍ଧି କିଛି କମ୍ ସମୟ ନୁହେଁ। ଆଜି ବିଜୁ ଜନତା ଦଳ ପାଳନ କରୁଛି ୨୭ତମ ପ୍ରତିଷ୍ଠା ଦିବସ। ରାଜ୍ୟବ୍ୟାପୀ ଧୁମଧାମରେ ଏହି ଦିନକୁ ପାଳନ କରୁଛନ୍ତି ଦଳର ନେତା ଓ କର୍ମୀ। ଏହା ସ୍ବାଭାବିକ। 2024 ବିଧାନସଭା ନିର୍ବାଚନରେ ଦଳର ପୂର୍ବ ସଫଳତାକୁ କାଟି ରେକର୍ଡ ଆସନ ଦଖଲ ନେଇ ଦାବି କରୁଛନ୍ତି ବିଜେଡି ନେତା। ଏଥିରେ ବି ଅସ୍ବାଭାବିକତା କିଛି ନାହିଁ। କିନ୍ତୁ ଓଡ଼ିଶାବାସୀ ୨୪ ବର୍ଷ ଧରି ଯେଉଁ ଏକତରଫା ସମର୍ଥନ ବିଜେଡିକୁ ଦେଇଆସିଛନ୍ତି ତା ପ୍ରତିବଦଳରେ ରାଜ୍ୟବାସୀଙ୍କୁ କଣ ଦେଇଛି ବିଜେଡି ?

କାରଣ ୨୪ ବର୍ଷ କିଛି କମ ସମୟ ନୁହେଁ। ବିଭିନ୍ନ ବିକାଶ ସୂଚକାଙ୍କରେ ଦେଶରେ ଓଡ଼ିଶା ସ୍ଥାନ ଆଜି କେଉଁଠି ? ସାମଗ୍ରୀକ ଘରୋଇ ଉତ୍ପାଦ ବା ଜିଏସଡିପି ଦୃଷ୍ଟିରୁ ଓଡ଼ିଶା ଦେଶର ୧୪ ତମ ରାଜ୍ୟ। ମୁଣ୍ଡପିଛା ଆୟ ଦୃଷ୍ଟିରୁ ଦେଶରେ ୧୮ ତମ ସ୍ଥାନରେ ଓଡ଼ିଶା। ନୀତି ଆୟୋଗର ବାର୍ଷିକ ହେଲଥ୍ ଇଣ୍ଡେକ୍ସରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ଓଡ଼ିଶା ୨୦ଟି ବଡ଼ ରାଜ୍ୟ ମଧ୍ୟରୁ ୧୭ ତମ ସ୍ଥାନରେ। ଓଡ଼ିଶାରେ କୃଷକଙ୍କ ଆୟ ଦେଶର ଦ୍ବିତୀୟ ସର୍ବନିମ୍ନ। ରାଜ୍ୟର 25 ଜିଲ୍ଲାର ୩୪୬୩ ଗାଁରେ ନାହିଁ ଶୁଦ୍ଧ ପାଣିର ବ୍ୟବସ୍ଥା। ଓଡ଼ିଶାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମାତ୍ର ୩୧ ପ୍ରତିଶତ ପରିବାର ପାଖରେ ପହଁଚୁଛି ବିଶୁଦ୍ଧ ପାଣି। ରାଜ୍ୟରେ ସ୍କୁଲ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କ ହାର ଦେଶରେ ସର୍ବାଧିକ। ସେହିପରି ସମସ୍ତଙ୍କ ମୁଣ୍ଡରେ ପକ୍କାଘର ଟାର୍ଗେଟରୁ ଓଡ଼ିଶା ଏବେବି ବହୁ ଦୂରରେ।

ଏହା ନୁହେଁଯେ ଓଡ଼ିଶାକୁ ବିକାଶ ଦୌଡ଼ରେ ଆଗୁକୁ ନେବାରେ ରାଜ୍ୟ ସରକାରଙ୍କ ପାଖରେ ସମ୍ବଳ ଅଭାବ ରହିଛି।  ଅମାପ ଖଣିଜ ସମ୍ପଦ ସାଙ୍ଗକୁ, ସୁଦୀର୍ଘ ବେଳାଭୁମି, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ପର୍ଯ୍ୟଟନ କ୍ଷେତ୍ର, ଐତିହ୍ୟ, କଳା ଭାସ୍କର୍ଯ୍ୟ କେଉଁଥିରେ ଅଭାବ ନାହିଁ ଓଡ଼ିଶାରେ। ତା ସତ୍ତ୍ବେ ଓଡ଼ିଶାର ଅର୍ଥନୀତି ସର୍ବାଧିକ ଖଣି ରାଜସ୍ବ ଉପରେ ନିର୍ଭରଶୀଳ। ଯାହା ବିଜେଡି ସରକାରଙ୍କ ପୁରୁଷାର୍ଥରୁ ନୁହେଁ ବରଂ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାର ଭୂମିତଳେ ଗଚ୍ଛିତ ହୋଇ ରହିଛି। ଆଉ ସମ୍ବଳର ସଦବିନିଯୋଗ ହୋଇପାରୁ ନ ଥିବାରୁ ଓଡ଼ିଶାର ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବେରୋଜଗାରୀ। ରାଜ୍ୟରେ ବେକାରୀ ସମସ୍ୟା ଅତି ଉତ୍କଟ। ଜୁଲାଇରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ପିଏଲଏଫଏସ ରିପୋର୍ଟରେ ସାମ୍ନାକୁ ଆସିଥିଲା ସଂଘାତିକ ତଥ୍ୟ। ଭାରତୀୟ ସ୍ତରରେ ସହରାଞ୍ଚଳରେ ବେକାରୀ ହାର ୧୭.୩  ହୋଇଥିବା ବେଳେ ଓଡ଼ିଶାରେ ଏହା ୨୦.୯। ଓଡ଼ିଶାରେ ପୁରୁଷ ବେକାରୀ ହାର ୧୬.୯ ହୋଇଥିବା ବେଳେ ଭାରତରେ ଏହା ୧୫.୫ । ଓଡ଼ିଶାରେ ମହିଳା ବେକାରୀ ହାର ୩୧.୯  ଥିବାବେଳେ ସର୍ବଭାରତୀୟ ସ୍ତରରେ ଏହା ୨୨.୯। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରୋଜଗାର ଅଭାବରୁ ବାହର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ଓଡ଼ିଆ। ଲକ୍ଷ ଲକ୍ଷ ଓଡ଼ିଆ ଭିଟାମାଟି ଛାଡି ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଉଛନ୍ତି। କରୋନା ସମୟରେ ଓଡ଼ିଶାକୁ ପ୍ରାୟ ୭ ଲକ୍ଷ ଶ୍ରମିକ ବାହାର ରାଜ୍ୟରୁ ଫେରିଥିଲେ ବୋଲି କୁହାଯାଇଥିଲା। ତେବେ ପ୍ରକୃତ ସଂଖ୍ୟା ଏହାଠାରୁ ଢେର ଅଧିକ। 

ଏଭଳି ସ୍ଥତିରେ ବିଜେଡିର ୨୭ ବର୍ଷ ପୂରଣ ଅବସରରେ ଉତ୍ସବ ପାଳନର ବେଳ ନା ଆତ୍ମସମୀକ୍ଷାର ବେଳ। ୨୭ ବର୍ଷ ତଳେ ଯେଉଁ ପ୍ରତିବଦ୍ଧତା ସହ ଏକ ଆଞ୍ଚଳିକ ଦଳ ଭାବେ ବିଜେଡିର ପ୍ରତିଷ୍ଠା ହୋଇଥିଲା। ଆଜି ତାହା ପୂରଣ କରିବାରେ କେତେଦୂର ସମର୍ଥ ହୋଇପାରିଛି ଦଳ। ଯେଉଁ ଓଡ଼ିଆ ସ୍ବାଭିମାନକୁ ଶୀର୍ଷରେ ପହଞ୍ଚାଇକୁ ପ୍ରତିଶ୍ରୁତି ଦେଇଥିଲା ବିଜେଡି ସେହି ଓଡ଼ିଆ ସ୍ବାଭିମାନକୁ ଆଜି କେଉଁଠି ପହଞ୍ଚାଇଛି ପ୍ରତିଷ୍ଠା ଦିବସରେ ତାର ସମୀକ୍ଷା କରିବ କି ବିଜେଡି ?

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Biju Janata Dal | Argus English