ଭୋଗରାଇ ବିଜେଡିରେ ବିଦ୍ରୋହ

ଅର୍ଗସ ବ୍ୟୁରୋ : ନିର୍ବାଚନ ସମୟ ଯେତେ ପାଖରେ ଆସୁଛି, ବିଜେଡ଼ିରେ କନ୍ଦଳ ସେତେ ଘନଉଛି । ଆଉ ଭୋଗରାଇ ବିଜେଡିର ରାଜନୀତି ପାଣି ପାଗ ଏବେ ଗୋଳେଇ ଘାଣ୍ଟି ହେବାର ଲାଗିଛି । ପଞ୍ଚାୟତ ନିର୍ବାଚନରୁ ବିଜେଡିର ଗୋଷ୍ଠୀ କନ୍ଦଳ ଥଣ୍ଡା ରହିଥିବା ବେଳେ ଏବେ କିନ୍ତୁ ତାହା କୁହୁଳିବାରେ ଲାଗିଛି । କାରଣ ଆଗକୁ ଆସୁଛୁ ୨୪ ନିର୍ବାଚନ । ବାଲେଶ୍ୱର ଜିଲ୍ଲାର ଭୋଗରାଇ ହେଉଛି ଏକ ବୃହତ ବିଧାନସଭା କ୍ଷେତ୍ର ।
ଏଠାରେ ବିଜେଡି ନେତା ଅନନ୍ତ ଦାସ ଦୀର୍ଘ ୨୦ ବର୍ଷ ଧରି ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିବା ବେଳେ, ଏବେ ବୟସ କାରଣ ଯୋଗୁଁ ଟିକେଟ ରେସରୁ ବାଦ ପଡିଛନ୍ତି । ଯେଉଁଥି ପାଇଁ ଏବେ ନୂଆ ଚେହେରା ଖୋଜୁଛି ଦଳ । ହେଲେ ପଞ୍ଚାୟତ ନିର୍ବାଚନ ବେଳେ ବଡ଼ ପୁଅକୁ ସିଆରୋଇଁ ପଞ୍ଚାୟତରେ ସମିତି ସଭ୍ୟ ପ୍ରାଥୀ କରି ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ହାତେଇବା ପାଇଁ ପ୍ରୟାସ କରିଥିଲା । କିନ୍ତୁ ତାହା ମଉଳି ଯାଇଥିଲା । ଏବେ କିନ୍ତୁ ମଝିଆଁ ପୁଅ ଅଭିଜିତ ଦାସଙ୍କ ପାଇଁ ଟିକେଟ ଲବି କରୁଥିବାର ନଜିର ଆସୁଛି । ହେଲେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଦଳୀୟ କର୍ମୀ । ଏହାକୁ ବିରୋଧ କରି ବିଜେଡିର ଗୋଷ୍ଠୀ କନ୍ଦଳ ଆଜି ପଦାରେ ପଡି ହାଟରେ ଗଡୁଛି । ବିଧାୟକଙ୍କ ବିରୋଧରେ ଆଜି ପ୍ରାୟ ୫୦୦ରୁ ଉର୍ଦ୍ଧ କର୍ମୀ ବାହାରି ସାମ୍ବାଦିକ ସମ୍ମଳିନୀ କରି ବିଧାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି ।
📱 Get Argus News App
✨ଦୀର୍ଘ ୨୦ ବର୍ଷ ଧରି ବିଜେଡିର ଗଡ଼ ଥିବା ଭୋଗରାଇ ବିଧାନସଭାର ପାଣି ପାଗ ସମ୍ପୂର୍ଣ୍ଣ ବଦଳି ଯାଇଛି । ବିଧାୟକଙ୍କ ପୁତ୍ର ପାର୍ଥିତ୍ୱକୁ ବିରୋଧ ସହିତ ନୂତନ ପାର୍ଥୀ ଦେବା ପାଇଁ ୩୨ନମ୍ବର ଜୋନର ବିଜେଡି କର୍ମୀ ଦାବି କରିଛନ୍ତି । ଯାହାକୁ ନେଇ ରାଜନୀତି ପାଣି ପାଗ ଏବେ ସରଗରମ ରହିଛି । ଯଦି ବିଧାୟକ ପୁଅଙ୍କୁ ଟିକେଟ ମିଳେ ତାହେଲେ ନିର୍ବାଚନ ପ୍ରତ୍ୟାଖ୍ୟାନ କରାଯିବ ବୋଲି ବିଜେଡ଼ି କର୍ମୀ ମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ଦେଖିବାକୁ ଭୋଗରାଇ ବିଜେଡ଼ି ବିବାଦ ଆଗକୁ କୋଉ ରୂପ ନୋଇଛି । ଆଉ ଦଳ କାହାକୁ ଟିକେଟ ଦେଉଛି ।