ଦଳିତ, ବଞ୍ଚିତ, ଶୋଷିତ ଜନନାୟକ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତରତ୍ନ

ଅର୍ଗସ ବ୍ୟୁରୋ : ଜନ୍ମ ଶତବାର୍ଷିକୀରେ ଜନନାୟକଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ । ମୃତ୍ୟୁର ୩୫ ବର୍ଷ ପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ଜନନାୟକଙ୍କ ଜୟନ୍ତୀ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଭବନର ଘୋଷଣାକୁ ନେଇ ବିହାର ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ । କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଘୋଷଣା ହେବା ପରେ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସ ପୋଷ୍ଟରେ ମହାନ୍ ଜନନାୟକ କର୍ପୂରୀ ଠାକୁରଜୀଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ମନୋନୟନ କରାଯାଇଥିବାରୁ ସେ ବହୁତ ଖୁସି ବୋଲି ଉଲ୍ଲେଖ କରିଛନ୍ତି । ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଘୋଷଣାକୁ ସ୍ବାଗତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଜେଡିୟୁ, ବିଏସପି ଦଳ ପକ୍ଷରୁ ମଧ୍ୟ ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ।
୧୯୮୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କର୍ପୂରୀ ଠାକୁର ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ । ୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ୨ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଜନତାଙ୍କ ସେବା କରିବାକୁ ସୁଯୋଗ ପାଇଥିଲେ କର୍ପୂରୀ ଠାକୁର । ଏହାପୂର୍ବରୁ ୧୯୬୭ ମାର୍ଚ୍ଚ ୫ରୁ ୧୯୬୮ ଜାନୁଆରୀ ୩୧ ପର୍ଯ୍ୟନ୍ତ ସେ ବିହାରର ଉପ-ମୁଖ୍ୟମନ୍ତ୍ରୀ ପଦ ସହ ରାଜ୍ୟର ଶିକ୍ଷା ବିଭାଗ ଭାର ସମ୍ଭାାଳିଥିଲେ । ସମାଜରେ ସମ୍ମାନର ସହ ବଞ୍ଚିବା ସହ ସରକାରୀ ଚାକିରିରେ ପଛୁଆ ବର୍ଗଙ୍କୁ ପ୍ରତିନିଧିତ୍ୱର ସୁଯୋଗ ଦେବାପାଇଁ ଜୀବନବ୍ୟାପୀ ସଂଘର୍ଷ ତାଙ୍କୁ ଜନନାୟକ ଭାବେ ଜନତାଙ୍କ ନିକଟତର କରିଥିଲା ।
ଅଧିକ ପଢନ୍ତୁ : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ
📱 Get Argus News App
✨୧୯୭୮ ମସିହାରେ ବିହାରରେ ସରକାରୀ ଚାକିରିରେ ପଛୁଆ ବର୍ଗଙ୍କ ପାଇଁ ୨୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ଚର୍ଚ୍ଚାକୁ ଆସିଥିଲେ କର୍ପୁରୀ ଠାକୁର । ତାଙ୍କର ଏହି ପଦକ୍ଷେପ 90 ଦଶକରେ ମଣ୍ଡଳ କମିଶନଙ୍କ ସୁପାରିସ ପାଇଁ ଆଧାର ପାଲଟିଥିଲା । କର୍ପୂରୀ ଠାକୁର ଶିକ୍ଷାମନ୍ତ୍ରୀ ଥିବା ବେଳେ ବିଦ୍ୟାର୍ଥୀଙ୍କ ଫିସ୍କୁ ବନ୍ଦ କରି ଦେଇ ଥିଲେ । ଇଂରାଜୀ ଭାଷା ଅନିବାର୍ଯ୍ୟତାକୁ ମଧ୍ୟ ଶେଷ କରିଥିଲେ । କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ଭୂ ସଂସ୍କାରରେ ମଧ୍ୟ ତାଙ୍କର ବଡ଼ ଯୋଗଦାନ ରହିଥିଲା । ଜମିଦାରଙ୍କଠାରୁ ଜମି ଆଣି ଭୂମିହୀନ ଦଳିତଙ୍କ ମଧ୍ୟରେ ଆବଣ୍ଟନ କରିବା ପରି ପଦକ୍ଷେପ ନେଇଥିଲେ କର୍ପୁରୀ । ଦେଶ ସ୍ୱାଧୀନ ହେବା ପରେ ଗାଁ ସ୍କୁଲ୍ରେ ଶିକ୍ଷକତା କରୁଥିବା କର୍ପୂରୀ ଠାକୁର ୧୯୫୨ ମସିହାରେ ପ୍ରଥମଥର ସୋସିଆଲିଷ୍ଟ ପାର୍ଟି ଟିକେଟ୍ରେ ନିର୍ବାଚନ ଲଢ଼ି ତାଜପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଅବହେଳିତଙ୍କ ଉନ୍ନତି ପାଇଁ ଜୀବନବ୍ୟାପୀ ପ୍ରୟାସ ସହ ସାମାଜିକ ନ୍ୟାୟ ଓ ସଶକ୍ତୀକରଣରେ କର୍ପୂରୀ ଠାକୁରଙ୍କ ଭୂମିକା ଆଜି ବିହାରରେ ଦଳିତ, ବଞ୍ଚିତ, ଶୋଷିତଙ୍କୁ ମୁଣ୍ଡଟେକି ବଞ୍ଚିବାକୁ ଶକ୍ତି ଯୋଗାଇଛି । ଭାରତୀୟ ରାଜନୀତିରେ ନିସ୍ବାର୍ଥ ଜନସେବାର ସ୍ପଷ୍ଟ ଛାପ ଛାଡ଼ିଯାଇଥିବା ଜନନାୟକଙ୍କୁ ଦେଶର ୪୯ ତମ ଭାରତ ରତ୍ନ ସମ୍ମାନ ପ୍ରଦାନ ଘୋଷଣା, ଦେଶବାସୀଙ୍କୁ ପ୍ରେରଣା ଯୋଗାଇଛି ।