ବସୁଧା ଯୋଜନା ଫେଲ, ପିଇବା ପାଣି ପାଇଁ ନାହିଁ କୌଣସି ବ୍ୟବସ୍ଥା

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଅପହଞ୍ଚ ବସୁଧା ଯୋଜନା। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମେଡିପୁଟଗାଁରେ ଜଳ ସଂକଟ। ଗାଁରେ ହଜାରେରୁ ଉର୍ଦ୍ଧ୍ଵ ପରିବାର ବସଵାସ କରୁଥିବାବେଳେ ପିଇବା ପାଣି ପାଇଁ ନାହିଁ କୌଣସି ବ୍ୟବସ୍ଥା। ଗାଁରେ ଦୁଇଟି ନଳକୂପ ଅଛି ସତ, ହେଲେ ଏହି ପାଣି ପିଇବା ଯୋଗ୍ୟ ନୁହେଁ। ଦୁଇ ବର୍ଷ ହେବ ଗାଁରେ ବସୁଧା ଜଳ ପ୍ରକଳ୍ପରେ ଏକ ଟାଙ୍କି ବସାଯାଇଥିଲା । ଯାହା ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଏହା ଛଡା ଦୁଇଟି ସୋଲାର ଜଳ ପ୍ରକଳ୍ପ ବି ଅଛି କିନ୍ତୁ କୌଣସି ଟି ଚଳନ୍ତି ଅବସ୍ଥାରେ ନାହିଁ। ବାଧ୍ୟ ହୋଇ ଲୋକେ ଚୁଆ ପାଣି ଉପରେ ହିଁ ନିର୍ଭର କରୁଛନ୍ତି। ଗାଁର ୧୩ନଂ ୱାର୍ଡର ୨୩୦ ପରିବାର ଚୁଆ ପାଣି ବ୍ୟବହାର କରନ୍ତି।
ତେବେ ଏହି ଦୂଷିତ ଜଳ ବ୍ୟବହାର କରି ଅନେକ ଲୋକେ ଝାଡାବାନ୍ତିର ଶିକାର ହେଉଛନ୍ତି। ଉମ୍ବେଲ ପଞ୍ଚାୟତର ମେଡ଼ିପୁଟ ଗ୍ରାମରେ ଝାଡା ବାନ୍ତି ବ୍ୟାପିଛି। ଗ୍ରାମର 30ରୁ ଉର୍ଦ୍ଧ୍ବ ରୋଗୀ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏଯାଏଁ ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ପାଣି ପାଇଁ ଏଭଳି ପରସ୍ଥିତି ଉପୁଜି ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଦୀର୍ଘ 25ବର୍ଷର ସରକାରରେ ଅବହେଳିତ ଲମତାପୁଟ ଅଞ୍ଚଳବାସୀ। ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଜେପି ସରକାରଙ୍କୁ ନିବେଦନ କରିଛନ୍ତି ଗାଁ ଲୋକେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: