ବଲାଙ୍ଗୀର ଜିଲ୍ଲାରେ ରାଜ୍ୟରେ ସର୍ବାଧିକ ୨୬ ହଜାର ୧୫୧ ଦାଦନ

ଭୁବନେଶ୍ୱର: ସରକାରୀ ଖାତାରେ ଦାଦନ ସଂଖ୍ୟା ୪୦ ହଜାର ୮୮ । ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ । ରାଜ୍ୟରୁ ୪୦ ହଜାର ୮୮ ଜଣ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଛନ୍ତି । ଲାଇସେନ୍ସ ପ୍ରାପ୍ତ ୬୨୬ ଜଣ ଠିକାଦାର ଜରିଆରେ ଏହି ଶ୍ରମିକମାନେ ବାହାରକୁ ଯାଇଛନ୍ତି । ତେବେ ରାଜ୍ୟରେ ସର୍ବାଧିକ ୨୬ ହଜାର ୧୫୧ ଦାଦନ ବଲାଙ୍ଗୀର ଜିଲ୍ଲାରେ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ୧୪୬୭ ଜଣ ଦାଦନ ବାହାର ରାଜ୍ୟକୁ ଯାଇଛନ୍ତି । ସେହିପରି ନୂଆପଡାରେ ୮୨୦୫ ଦାଦନ ଅଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ ।
ସେପଟେ ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବି ହୁଲସ୍ତୁଲ୍ ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ଚାଲିପାରିଲାନି ଗୃହ । ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ବିରୋଧୀ ହଙ୍ଗାମା କରିଥିବା ଦେଖିବାକୁ ମିଳିଥିଲା । ଆଦିବାସୀଙ୍କ ଜମି କିଣା ବିକା ନେଇ କ୍ୟାବିନେଟରେ ଆସିଥିବା ପ୍ରସ୍ତାବ ବିରୋଧରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଗୃହ ଚାଲି ନପାରିବାରୁ ଅପରାହ୍ନ 4ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ସେପଟେ ବିଧାନସଭା ବାହାରେ ବି ବିଜେପି ପ୍ରତିବାଦ କରିଛି । ପ୍ରସ୍ତାବକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।
'ଆଦିବାସୀଙ୍କ ଅଭିଶାପରେ ବିଜେଡ଼ି ସରକାର ଜଳି ପୋଡ଼ି ଛାରଖାର ହୋଇଯିବେ'