Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଛତିଶଗଡ଼ରେ ବାବାଙ୍କ ମନ୍ଦିର କିନ୍ତୁ ପୂଜକ ଓଡିଶାର

Odisha

ଛତିଶଗଡ଼ରେ ବାବାଙ୍କ ମନ୍ଦିର କିନ୍ତୁ ପୂଜକ ଓଡିଶାର

Ritu Das
Browse all articles by Ritu Das
·2 years ago·3 min read
ଛତିଶଗଡ଼ରେ ବାବାଙ୍କ ମନ୍ଦିର କିନ୍ତୁ ପୂଜକ ଓଡିଶାର

ଅର୍ଗସ ବ୍ୟୁରୋ: ଆସନ୍ତୁ ଆମେ ବୁଲେଇ ନେବୁ କାର୍ତ୍ତିକ ମାସରେ ଏକ ସୁନ୍ଦର ଶୈବପୀଠ। ଓଡିଶା ଏବଂ ଛତିଶଗଡ଼ ସୀମାନ୍ତରେ ଥିବା ଏକ ଘଞ୍ଚ ଜଙ୍ଗଲ ମଧ୍ୟ୍ୟରେ ରହିଛି ଏକ ସୁନ୍ଦର ଶିବ ମନ୍ଦିର। ମନ୍ଦିରଟି ଛତିଶଗଡ଼ରେ ରହିଛି କିନ୍ତୁ ପୂଜକ ଓଡିଶାର ଏବଂ ପୂଜା ପଦ୍ଧତି, ପରମ୍ପରା, ରୀତିନୀତି ସବୁ ଓଡ଼ିଆଙ୍କ ଢଙ୍ଗରେ ହୁଏ। ଆଉ ମନ୍ଦିରଟି "ଦେଓଡା" ମନ୍ଦିର ଭାବରେ ଉଭୟ ରାଜ୍ୟର ଲୋକ ଜାଣନ୍ତି ଏବଂ ମନ୍ଦିରରେ ପୂଜା ପାଆନ୍ତି " ବାବା ଝାଡ଼େଶ୍ୱର। ଏହି ସ୍ଥାନକୁ ଯିଏ ବି ଥରେ ଆସିଛି ସିଏ ବାରମ୍ବାର ଏହି ସ୍ଥାନରେ ଆସିବାକୁ ମନବଳାଇ ଥାଏ। ଏହି ସ୍ଥାନକୁ ଦେଖିଲେ ଏମିତି ଲାଗେ ଯେମିତି ପ୍ରକୃତି ରାଣୀ ତାର ସମସ୍ତ ସୌନ୍ଦର୍ଯ୍ୟକୁ ଏହି ସ୍ଥାନରେ ହିଁ ଠୁଳ କରିଦେଇଛି। ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ୱାସ ରହିଛି ବର୍ଷର ଯେଉଁ ଦିନ ବି ବାବା ଝାଡ଼େଶ୍ୱରଙ୍କୁ ଜଳ ଅର୍ପଣ କରିଲେ ତାହାର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି ସ୍ଥାନରେ ପ୍ରତିଦିନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଶିବ ରାତ୍ରି, କାର୍ତ୍ତିକ ସୋମବାର ଏବଂ ଶ୍ରାବଣ ସୋମବାରରେ ବୋଲବୋମ ଭକ୍ତ ମାନେ ବହୁ ଦୂରଦୂରାନ୍ତରୁ ଆସି ବୋଲବମ ବସ୍ତ୍ର ପିନ୍ଧି ଶିବଙ୍କୁ ଜଳ ଅର୍ପଣ କରିବାର ଦେଖିବାକୁ ମିଳିଥାଏ।

ଏହି ମନ୍ଦିରର ଇତିହାସ ବହୁତ ପୁରୁଣା ଏବଂ ବହୁ ବର୍ଷ ହେଲା ଏହି ଘଞ୍ଚ ଜଙ୍ଗଲ ମଧ୍ୟରେ ଶିବ ଶମ୍ଭୁ ପୂଜା ପାଇ ଆସୁଛନ୍ତି। ଆପଣ ମାନେ କାହାଣୀରେ କିମ୍ୱା ଏମିତିରେ ବି ଶୁଣି ଥିବେ  ଆଳୁ ଖୋଳୁ ଖୋଳୁ ମହାଦେବ। ଏହି ମନ୍ଦିରର  ଇତିହାସ ମଧ୍ୟ ସେହି ଭଳି, ବହୁତ ବର୍ଷ ପୂର୍ବରୁ ଅର୍ଥାତ ରାଜା ରାଜୁତି କାଳରୁ ଏକ ବୃଦ୍ଧାଦମ୍ପତି ଜଙ୍ଗଲ ମଧ୍ୟକୁ କନ୍ଦା ଆଣିବା ନିମନ୍ତେ ଯାଇଥିଲେ। କନ୍ଦା ମାନେ ବୁଝିପାରିଲେ ତ ମାନେ ଶାବଳ ଅର୍ଥାତ ଲୁହାରେ ନିର୍ମିତ ଏକ ଅସ୍ତ୍ର ଯାହାକୁ ମାଟି ଖୋଳିବାକୁ ବ୍ୟବହାର କରାଯାଏ। ଶାବଳ ଦ୍ୱାରା ଖୋଳୁ ଖୋଳୁ ହଠାତ ମାଟିରୁ ରକ୍ତ ବାହାରି ଥିଲା। ବୃଦ୍ଧ ଦମ୍ପତି ଏହା ଦେଖି ଭୟଭୀତ ହୋଇ ଘରକୁ ଫେରି ଯାଇଥିଲେ। ସେହି ଦିନ ହିଁ ରାତ୍ର ସମୟରେ ପ୍ରଭୁ ଶିବ ଶମ୍ଭୁ ସ୍ୱପ୍ନରେ ଆସିଥିଲେ ଏବଂ କହିଥିଲେ ତମେ ମୋ ପାଖକୁ ଆସି ମାରିକି ଚାଲିଗଲ ଆଜିଠାରୁ  ତମେ ମାନେ ମୋତେ ପୂଜା କରିବ କିନ୍ତୁ ଏହି ବୃଦ୍ଧା ଦମ୍ପତି କହିଲେ ପ୍ରଭୁ ଆମକୁ କ୍ଷମା କର ଆମେ ତ ପୂଜା ପଦ୍ଧତି ଜାଣିନୁ କେମିତି ପୂଜା କରିବୁ। କିନ୍ତୁ ପ୍ରଭୁ ଶିବ ଶମ୍ଭୁ  କହିଥିଲେ ମୁଁ ଜାଣିନି ଆଜି ଠାରୁ ତମେ ହିଁ ପୂଜା କରିବ। ଏତିକି କହି ପ୍ରଭୁ ଉଭାନ ହୋଇଯାଇଥିଲେ। ପର ଦିନ ସକାଳେ ଏହି ବୃଦ୍ଧା ଦମ୍ପତି ଏ ସମସ୍ତ ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ। 

ପରେ ସମସ୍ତ ଗ୍ରାମବାସୀ ମିଶି ସେହି ସ୍ଥାନକୁ ଯାଇଥିଲେ ଓ ସେହି ସ୍ଥାନଟିକୁ ଖୋଳି କି ଦେଖିଲେ ସେହି ସ୍ଥାନଟି ଘଞ୍ଚ ଏବଂ ବୁଦାଲଟାରେ ପରିପୂର୍ଣ୍ଣ ଥିଲା ଏବଂ ସେଠାରେ ଏକ ଲିଙ୍ଗକୁ ଦେଖିଥିଲେ। ସେହି ସ୍ଥାନରେ  ଶିବ ଶମ୍ଭୁଙ୍କ ଆବିର୍ଭାବ ହୋଇଥିଲେ ବୋଲି ଜଣାଯାଏ। ସେହି ଦିନ ଠାରୁ ସେହି ବୃଦ୍ଧା ଦମ୍ପତି ସେହି ସ୍ଥାନରେ ପୂଜା କରିବାର ଆରମ୍ଭ କରିଥିଲେ। (ଝାଡ଼ - ଅର୍ଥାତ ଗଛ,ପତ୍ର, ଆଉ ବୁଦାକୁ ହିନ୍ଦିରେ ଝାଡ଼ ବୋଲି କୁହାଯାଏ ) ପ୍ରଭୁ ଶିବ ଶମ୍ଭୁ "ଝାଡ" ମଧ୍ୟରେ  ପୂଜା ପାଉଥିବାରୁ ସମସ୍ତେ ଶିବ ଶମ୍ଭୁଙ୍କୁ "ବାବା ଝାଡ଼େଶ୍ୱର "ନାମରେ ପୂଜା କରିଆସୁଛନ୍ତି ଆଉ ଆଜି ପର୍ଯ୍ୟନ୍ତ ସେହି ବୃଦ୍ଧା ଦମ୍ପତିଙ୍କ ବଂଶଜ ମାନେ ହିଁ ମନ୍ଦିରରେ ପୂଜା କରନ୍ତି ।
ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ୱାସ ରହିଛି ଯେ ଯିଏ ବି ଏଠାକୁ ଆସି ଶିବ ଶମ୍ଭୁଙ୍କୁ  କିଛି ମାଗିଥାଏ ନିଶ୍ଚିତ ତାହାର ମନସ୍କାମନା ପୂରଣ ହୋଇଥାଏ। ବର୍ଷସାରା ଓଡିଶା, ଛତିଶଗଡ଼ ତଥା ଭାରତ ବର୍ଷର ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ମନ୍ଦିରଟି ଛତିଶଗଡ଼ରେ ରହିଛି କିନ୍ତୁ ଓଡିଶାର ପୂଜକ ପ୍ରତିଦିନ ପୂଜା କରନ୍ତି, ସେଥିପାଇଁ ତ କୁହାଯାଏ ରାଜ୍ୟ ଦୁଇଟି କିନ୍ତୁ ମନ୍ଦିର ଗୋଟିଏ ଏବଂ ଭଗବାନ ବି ଗୋଟିଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
 

Sponsored
Baba's temple is | Argus English