|
logo
Live

Argus News - ରାଜ୍ୟ ସରକାରଙ୍କୁ ଅନିଲ ବିଶ୍ୱାଳଙ୍କ ଟାର୍ଗେଟ

Odisha

ରାଜ୍ୟ ସରକାରଙ୍କୁ ଅନିଲ ବିଶ୍ୱାଳଙ୍କ ଟାର୍ଗେଟ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ରାଜ୍ୟ ସରକାରଙ୍କୁ ଅନିଲ ବିଶ୍ୱାଳଙ୍କ ଟାର୍ଗେଟ

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କୁ ସିଧା ସିଧା ଟାର୍ଗେଟ କଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ। ରାଜ୍ୟ ସରକାର ଏକ ଘରୋଇ ଶିକ୍ଷାନୁଷ୍ଠାନ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିବା ସହ ମୁଖ୍ୟମନ୍ତ୍ରୀ ଏହାର ସ୍ଥାପନା ପାଇଁ ଭିତିପ୍ରସ୍ତର ସ୍ଥାପନା କରିଛନ୍ତି । ବିଜେଡି ସରକାର ଗୋଟିଏ ପଟରେ ଘରୋଇ ବିଶ୍ୱବିଦ୍ୟାଳୟ ସହିତ ଏମଓୟୁ କରି ଘରୋଇ ଶିକ୍ଷାନୁଷ୍ଠାନ ସ୍ଥାପନା କରିବା ପାଇଁ ଆଗଭର ହେଉଛନ୍ତି କିନ୍ତୁ ଅପରପଟେ କେନ୍ଦ୍ର ସରକାରଙ୍କ ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କର ବିକାଶ ପାଇଁ ଥିବା ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ଯଥା ପିଏମିଶ୍ରୀ, ପିଏମଉଶା, ମେରିଟି ଆଦିକୁ ଲାଗୁ କରିବା ପାଇଁ ଚାହୁଁ ନାହାନ୍ତି କି ସେଥିପାଇଁ ଉଦ୍ଦିଷ୍ଟ ଏମଓୟୁ ସ୍ୱାକ୍ଷର କରୁନାହାନ୍ତି । ଓଡିଶାରେ ସରକାରୀ ଶିକ୍ଷାନୁଷ୍ଠାନକୁ ନଷ୍ଟ କରିବା ପାଇଁ ସରକାରୀ ସ୍ତରରେ ଷଡଯନ୍ତ୍ର ଚାଲିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଅନିଲ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର କାହିଁକି ଏକ ରାଜ୍ୟ ବାହାରର ଘରୋଇ ଶିକ୍ଷାନୁଷ୍ଠାନକୁ ୩୦୦ କୋଟି ଟଙ୍କାର ଅନୁଦାନ ଦେବେ? ସେହି ଶିକ୍ଷାନୁଷ୍ଠାନର କୋର୍ସ ଫି ଏତେ ଅଧିକ ଯେ ସାଧାରଣ ପରିବାରର ଓଡିଆ ପିଲା ସେଥିରେ ନାମ ଲେଖାଇ ପାରିବେ ନାହିଁ । ଯେହେତୁ ସେହି ଶିକ୍ଷାନୁଷ୍ଠାନ ସରକାରଙ୍କଠାରୁ ଅନେକ ସୁବିଧା ସୁଯୋଗ ପାଉଛି ତେଣୁ ସେଠାରେ ୩୦% ଆସନରେ ଓଡିଆ ପିଲାଙ୍କୁ ମାଗଣାରେ ପଢାଯିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ୍ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଯୁଗାନ୍ତକାରୀ ଯୋଜନା ପିଏମ ସ୍କୁଲ ଫର ରାଇଜିଙ୍ଗ ଇଣ୍ଡିଆକୁ ଓଡିଶାରେ ଲାଗୁ କରାଇ ଦେଉନାହାନ୍ତି । ବାରମ୍ବାର କେନ୍ଦ୍ର ଶୀକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ମଧ୍ୟ ରାଜ୍ୟ ସରକାର ଏହାକୁ କାହିଁକି ଲାଗୁ କରିବା ପାଇଁ ଚାହୁଁ ନାହାନ୍ତି । ଯଦି ଏହି ଯୋଜନା ଲାଗୁ ନହୁଏ ତାହେଲେ ଓଡିଶା ୧୬୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହରାଇବ । ଏଥିପାଇଁ ଦାୟୀ କିଏ ରହିବ? ଏହା ଓଡିଶାର ସରକାରୀ ସ୍କୁଲରେ ପଢୁଥିବା ଗରିବ ପିଲାମାନଙ୍କ ସହିତ ପ୍ରତାରଣା । ରାଜ୍ୟ ସରକାରଙ୍କ ହିନ ରାଜନୀତି ପାଇଁ ଓଡିଶାର ଛାତ୍ରଛାତ୍ରୀମାନଙ୍କ ଅଧୀକାରରୁ ସେମାନେ ବଂଚିତ ହେଉଛନ୍ତି , ଗୁଣାତ୍ମକ ଶୀକ୍ଷାରୁ ବଂଚିତ ହେଉଛନ୍ତି । ରାଜ୍ୟ ସରକାରଙ୍କ ଏହି ମନୋଭାବ ପଛର କାରଣ କଣ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାଳେ କେନ୍ଦ୍ରୀୟ ଯୋଜନା ଲାଗୁ ହେଲେ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାର ଗର୍ବ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଆହୁରି ବଢିବ ସେହି ଭୟ ଘାରିଛି କି ବିଜୁ ଜନତା ଦଳକୁ ବୋଲି ଅନିଲ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ୬୨ ହଜାର ସ୍କୁଲ ଅଛି । ସେଥିରୁ ୫ଟି ସ୍କୁଲ ଯୋଜନାରେ ମାତ୍ର ୬୦୦୦ ସ୍କୁଲ ନିଆଯାଇଛି । ବାକି ୫୮ ହଜାର ସ୍କୁଲ ଅବସ୍ଥା ନକହିଲେ ଭଲ । ଯେଉଁ ୫୮ ହଜାର ସ୍କୁଲକୁ ସରକାର ୫ଟି ଉପକ୍ରମରେ ସାମିଲ କରିନାହାନ୍ତି ସେଥିରୁ ମାତ୍ର ୮୦୦ ସ୍କୁଲକୁ ପିଏମଶ୍ରୀ ଯୋଜନାରେ ସାମିଲ କରିବାରେ ଅସୁବିଧା  କଣ ଅଛି ? ଏବଂ ଯେଉଁ ୬୦୦୦ ସ୍କୁଲକୁ ସ୍ମାର୍ଟ ସ୍କୁଲ ବୋଲି ସରକାର ଘୋଷଣା କରିଛନ୍ତି, ସେଥିରେ ମଧ୍ୟ ଦୁର୍ନିତି ହୋଇଛି । ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନକୁ ନଷ୍ଟ କରିବା ପାଇଁ ଏକ ରିତିମତ ଷଡଯନ୍ତ୍ର ଚାଲିଛି । ସେଥିପାଇଁ ସରକାରୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସବୁଠାରେ ସରକାର ଜାଣିଶୁଣି ଅବ୍ୟବସ୍ଥା ସୃଷ୍ଟି କରୁଛନ୍ତି ।

 

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
ରାଜ୍ୟ ସରକାରଙ୍କୁ ଅନିଲ ବିଶ୍ୱାଳଙ୍କ ଟାର୍ଗେଟ | Argus English