ଅମର କହିଲେ, ଜଗନ୍ନାଥ ଯିଏ ନବୀନ ସିଏ !

Key Points
- ବିଜେଡି ନେତାଙ୍କ ଖରାପ ହେଲାଣି କି ମୁଣ୍ଡ ?
- କହୁଛନ୍ତି ଜଗନ୍ନାଥ ଯିଏ ନବୀନ ସିଏ
- ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଅର୍ଗସ ବ୍ୟୁରୋ: ବିଜେଡି ନେତାଙ୍କ ମୁଣ୍ଡ ଖରାପ ହୋଇଗଲାଣି । କେତେବେଳେ କଣ କହିଦେଉଛନ୍ତି ତାହା ନିଜେ ବି ଜାଣିପାରୁନାହାନ୍ତି । କ୍ଷମତା ଲୋଭରେ ଅନ୍ଧ ହୋଇ ନବୀନଙ୍କୁ ଯେମିତି ଭାବରେ ପ୍ରଶଂସା କରୁଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା । କାରଣ ଖୋଲା ମଂଚରେ, ସମସ୍ତଙ୍କ ସାମ୍ନାରେ ନବୀନଙ୍କୁ ପ୍ରଶଂସା କରି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଜଗନ୍ନାଥ ହେଉଛନ୍ତି ନବୀନ ପଟ୍ଟନାୟକ । ଆଉ ଅମରଙ୍କ ଏମିତି ଟିପ୍ପଣୀ ପରେ ବିଜେଡି ନେତାଙ୍କୁ ନେଇ ଚର୍ଚ୍ଚା ବଢୁଛି ।
ସଭାମଂଚରେ ପୂରା ସ୍ପଷ୍ଟ ଭାବରେ ଅମର କହିଛନ୍ତି, ନବୀନ ହେଉଛନ୍ତି ସ୍ଵୟଂ ଜଗନ୍ନାଥ । ହେଲେ କାହିଁକି ଜଗନ୍ନାଥଙ୍କ ସହ ନବୀନଙ୍କୁ ତୁଳନା କଲେ ଅମର ? ବିଶ୍ଵ ନିଅନ୍ତାଙ୍କୁ ବିଜେଡି ସୁପ୍ରିମୋଙ୍କ ସହ ତୁଳନା କରିବାର ଦୁଷ୍ଟତା ଅମର କଲେ କେମିତି ? ଏମିତି ଭୁଲ ହେଲା କେମିତି ? ପୂର୍ବରୁ ଶ୍ରୀମନ୍ଦିର ଭିତରକୁ କାମିୟା ଯାନିଙ୍କୁ ପ୍ରବେଶ କରାଇ ବିଜେଡି ଚର୍ଚ୍ଚାରେ ଥିବାବେଳେ ଏବେ ପୁଣି ସ୍ଵୟଂ ଜଗନ୍ନାଥ ହିଁ ନବୀନ ବାବୁ କହି ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି ଅମର ।
ବିଜେଡି ନେତାଙ୍କ ବିବାଦୀୟ ବୟାନ । ଏଥର ଜଗନ୍ନାଥଙ୍କୁ ବି ଛାଡିଲେନି । ତୁଳନା ତ କଲେ କଲେ ସିଏ ପୁଣି ନବୀନଙ୍କ ସହ । ଭୋଟ୍ ଓ କ୍ଷମତା ଅକ୍ତିଆର କରି ରଖିବାକୁ ବିଜେଡି ନେତାଏ ସବୁ ସୀମା ପାର କରିଦେଲେଣି । ସ୍ଥାନ, କାଳ ଓ ପାତ୍ର କିଛି ଦେଖୁନାହାନ୍ତି । ମନରେ ବୋଧହୁଏ କେବଳ ଗୋଟିଏ ଆକାଂକ୍ଷା ଓ ଅଭିଳାଷ କେମିତି ଶୀର୍ଷସ୍ତରର ନେତାଏ ଖୁସି ହେବେ ? ଆଉ ପଦପଦବୀ ଦେବେ । ହେଲେ ସେହି ପଦବୀ ଆଶାରେ କେତେ ବଡ଼ ଭୁଲ କରିଦେଲେ ଅମର ତାହା ନିଶ୍ଚୟ ପଶ୍ଚାତାପର ବିଷୟ ।
ମୋଟ ଉପରେ ଶ୍ରୀମନ୍ଦିରରେ କିଏ ଗୋମାଂସ ଖିଆ ଲୋକଙ୍କୁ ପୁରେଇଲାଣି ତ ଆଉ କିଏ କହିଲାଣି ନବୀନ ବାବୁ ଖୋଦ୍ ଜଗନ୍ନାଥ । ତେବେ ଭୋଟ ପାଇଁ ସାଢେ ଚାରିକୋଟି ଓଡ଼ିଆଙ୍କ ଭାବନା ସହ ବିଜେଡି ନେତାଙ୍କୁ ଖେଳିବାକୁ ଅଧିକାର କିଏ ଦେଲା ତାହାର ଉତ୍ତର ଏବେ ଦିଅନ୍ତୁ ନବୀନ ବାବୁ ।