ରାଜଧାନୀରେ ଦୁଇଦିନିଆ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ

ଅର୍ଗସ ବ୍ୟୁରୋ: ଭଳିକିଭଳି ଫୁଲରେ ଝଲସୁଛି ଏକାମ୍ର କାନନ। ଲାଲ୍, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ବିଦେଶୀ ଫୁଲ କରୁଛି ଲୋକଙ୍କୁ ଆକର୍ଷିତ । ଲୋକଙ୍କ ମଧ୍ୟରେ ଫୁଲ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ଆଜି ଏକାମ୍ରକାନନରେ ଉଦ୍ଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ।ଯେଉଁଠି ଏକାସାଙ୍ଗରେ ପାଇବେ ୫୦୦ ରୁ ଉର୍ଦ୍ଧ କିସମର ଦେଶୀ ବିଦେଶୀ ଫୁଲ।
ଫୁଲ ପ୍ରକୃତିର ଏକ ସୁନ୍ଦର ଅବଦାନ, ଏମିତି ଏକ ନିଆରା ଫୁଲ ବଗିଚା ଚାଲନ୍ତୁ ବୁଲି ଆସିବା ।
ଏହା ହେଉଛି ରିଜିଓନାଲ ପ୍ଲାଣ୍ଟ ରିଶୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋଶିଏସନ ପକ୍ଷରୁ ଭୁବନେଶ୍ବର ଏକାମ୍ର କାନନ ପାର୍କରେ ଆୟୋଜିତ ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ।ଗୋଲାପ, ଡାଲିଆ, ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ, ଗ୍ଲାଡିଓଲି, ଆନ୍ଥୁରିୟମ, ସାଲଭିଆର ଅପୂର୍ବ ସମ୍ଭାରର ଏକ ସୁନ୍ଦର ମନଲୋଭା ବଗିଚା ଦେଖିବାକୁ ମିଳିଛି ଫୁଲତ୍ସବରେ। ଭଳିକିଭଳି ଫୁଲରେ ଝଲସି ଉଠିଛି ଏକାମ୍ର କାନନ। ଫୁଲର ବାସ୍ନାରେ ମହକି ଉଠୁଛି ସାରା ପରିବେଶ। ଛୋଟ ଠାରୁ ବଡ ସମସ୍ତେ ଫୁଲର ପ୍ରେମରେ ହଜିଯାଇଥିଲେ ଘଡିଏ ପାଇଁ । କିଏ ଗୋଲାପ ବଗିଚା ପାଖରେ ଠିଆ ହୋଇ ମନଭରି ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା ତ ଆଉ କିଏ ଫୁଲ ସହ ଫଟୋ ଉଠାଇବାରେ ବ୍ୟସ୍ତ। ସାଧାରଣ ଫୁଲ ଠୁ ନେଇ ବିଦେଶର ଅନେକ ନାମୀଦାମୀ ଫୁଲ ଗୋଟିଏ ଜାଗାରେ ମିଳୁଥିବାରୁ ବେଶ ଖୁସି ଦର୍ଶକ ।
ଅନ୍ୟପଟେ ଏହି ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଆସନ୍ତାକାଲି ଯାଏଁ ଚାଲିବ। ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ମିଳିତ ସହଯୋଗରେ ଆୟୋଜିତ ଏହି ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ଆଇଏଫଏସ ଦେବୀଦତ୍ତ ବିଶ୍ବାଳ।
📱 Get Argus News App
✨ଏ ବର୍ଷ ପ୍ରଦର୍ଶନୀରେ ନୂଆ ଆକର୍ଷଣ ରହିଛି ସ୍ଵତନ୍ତ୍ର ବୋନସାଇ, ଅର୍କିଡ, ସକୁଲେଣ୍ଟ ପ୍ରଦର୍ଶନୀ। ପୁଷ୍ପ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ରହିଛି ପ୍ଲାଣ୍ଟ ବଜାର। ୧୯ଟି ନର୍ସରୀ ଓ ବଗିଚା ଉପକରଣ ବ୍ୟବସାୟୀ ୪୪ ଟି ଷ୍ଟଲ ଜରିଆରେ ସେମାନଙ୍କ ଚାରା, ମଞ୍ଜି, କଲମୀକରା ଡାଳ, ବଲବ୍ ଆଦିର ପସରା ଖୋଲିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର