ମହାନଦୀ ଜଳରାଶି ରୁ ୭ଟି ନାଗ ମୂର୍ତ୍ତି ଉଦ୍ଧାର

ନୟାଗଡ: ମହାନଦୀ ଜଳରାଶିରୁ ବାହାରିଲା ନାଗ ମୂର୍ତ୍ତି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ନିକଟ ମହାନଦୀରୁ ୭ ଗୋଟି ନାଗ ମୂର୍ତ୍ତି ଉଦ୍ଧାର କରାଯାଇଛି ।
ବଡି ଭୋରୁ ପଦ୍ମାବତୀ ଗ୍ରାମର ତ୍ରିନାଥ ରଣା ନାମକ ବ୍ୟକ୍ତି ନିକଟରେ ଥିବା ମାଙ୍କଡଖିଆ ପାହଡ ନିକଟସ୍ଥ ମହାନଦୀ ଘାଟତୁଠକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ପାଣିରେ ତାଙ୍କ ଗୋଡ଼ରେ ଏକ ବିରାଟକାୟ ନାଗ ମୂର୍ତ୍ତି ବାଜିଥିଲା । ପାଣି ଭିତରେ ନାଗ ମୂର୍ତ୍ତିଟିକୁ ଜୀବନ୍ତ ନାଗ ସାପ ଭାବି ଜୋରରେ ପାଟିକରିଥିଲେ । ତାଙ୍କ ପାଟି ଶୁଣି ଗ୍ରାମର କିଛି ଯୁବକ ତ୍ରିନାଥଙ୍କ ପାଖକୁ ଯାଇଥିଲେ । ପରେ ପାଣି ଭିତରେ ନାଗ ମୂର୍ତ୍ତି ପଡ଼ି ରହିଥିବା ଦେଖିବାକୁ ମିଳିଥିଲା ।
ଏହାପରେ ଗ୍ରାମବାସୀ ମହାନଦୀର ଗଭୀର ଜଳରାଶିରେ ବୁଡି 7 ଟି ଗୋଟା ଏବଂ ଆଉ ଗୋଟେ ଅଧା ଭାଙ୍ଗି ଯାଇଥିବା ନାଗ ମୂର୍ତ୍ତି ଉଦ୍ଧାର କରିଥିଲେ । ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ମହିଳା ଓ ପୁରୁଷ ମାନଙ୍କ ଭିଡ ଲାଗିଥିଲା । ଗ୍ରାମବାସୀ କୁହନ୍ତି ସେଠାରେ 10 ରୁ 15 ଫୁଟ୍ ଉଚ୍ଚର ପାଣି ରହିଛି । ଆହୁରି କିଛି ଥାଇପାରେ ବୋଲି ଆଶା କରାଯାଉଛି।
📱 Get Argus News App
✨ଗ୍ରାମବାସୀ ନାଗ ମୂର୍ତ୍ତି ଗୁଡ଼ିକୁ ଆଣି ପଦ୍ମାବତୀ ଗ୍ରାମର ବଉଳାକ୍ଷେତ୍ର ଜଗନ୍ନାଥ ମନ୍ଦିର ନିକଟରେ ରଖିଛନ୍ତି । ପୂର୍ବରୁ ପଦ୍ମାବତୀ ଗ୍ରାମର ମହାନଦୀ ଗଭୀର ଜଳରାଶିରେ ଏକ ମନ୍ଦିର ଦୃଶ୍ୟମାନ ହେଇଥିଲା । ସେହି ମନ୍ଦିରଟି ଗୋପୀନାଥ ମନ୍ଦିର ବୋଲି ଜଣାପଡିଥିଲା । ବର୍ତ୍ତମାନ ଏହି ନାଗ ମୂର୍ତ୍ତି ଗୁଡ଼ିକୁ ଉଦ୍ଧାର କରାଯାଇଥିବାରୁ ଗ୍ରାମବାସୀମାନେ ନଦୀ ଗର୍ଭରେ ଆହୁରି ଅନେକ ଜିନିଷ ରହିଥିବା ଅନୁମାନ କରୁଛନ୍ତି । ସେଥିପାଇଁ ମହାନଦୀର ଏହି ଅଞ୍ଚଳକୁ ଭଲ ଭାବରେ ଅନୁସନ୍ଧାନ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଗ୍ରାମବାସୀ ।