ବାଲଟି ଧରି ଧାରଣା , ଛାତ୍ରଛାତ୍ରୀଙ୍କ ସହ ସାମିଲ ହେଲେ ବିଧାୟିକା

ସୁନ୍ଦରଗଡ଼ : ହାତରେ ବହି ବଦଳରେ ବାଲଟି। ସୁନ୍ଦରଗଡ଼ କଲେଜ ଗେଟରେ ତାଲା ପକାଇ ଧାରଣାରେ ଛାତ୍ରୀ। ଇରାବତୀ ଛାତ୍ରୀ ନିବାସକୁ ୫ ମାସ ହେଲା ନିୟମିତ ଆସୁନି ପାଣି। ସ୍ନାନ ଶୌଚ କଥା ଛାଡ଼, ପାନୀୟ ଜଳର ବି ସମସ୍ୟା ଲାଗି ରହିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ। ପ୍ରାୟ ୩ ଶହ ଛାତ୍ରୀ ଧାରଣାରେ ବସିଥିବାବେଳେ ସ୍ଥାନୀୟ ବିଧାୟିକା କୁସୁମ ଟେଟେ ବି ସେମାନଙ୍କ ସହ ସାମିଲ ହୋଇଛନ୍ତି।ପିଲାଙ୍କ ସହ ବାଲଟି ଧରି ତଳେ ବସିଛନ୍ତି ବିଧାୟିକା। କଲେଜ ଅଧ୍ୟକ୍ଷ, ବିଭାଗୀୟ କର୍ତ୍ତୃପକ୍ଷ ଆସି ବୁଝାସୁଝା କରିଥିଲେ ବି ପାଣି ସମସ୍ୟା ସମାଧାନ ନହେବା ଯାଏ ଧାରଣାରୁ ହଟିବୁ ନାହିଁ ବୋଲି ଛାତ୍ରୀମାନେ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ : ଗାଁର ସମସ୍ୟାକୁ ନେଇ ତାତିଲେ ଲୋକେ
ଛାତ୍ରୀ ନିବାସରେ ୩୨୦ ଛାତ୍ରୀ ଥିବାବେଳେ ଗୋଟିଏ ମାତ୍ର ଗଭୀର ନଳକୂପ ଓ ଗୋଟିଏ ମୋଟର ଲାଗିଛି। ଯାହା ଏତେ ପିଲାଙ୍କୁ ଆବଶ୍ୟକ ମୁତାବକ ପାଣି ଯୋଗାଇ ପାରୁ ନଥିବା, ଅନେକ ସମୟରେ ଆଦୌ ପାଣି ଆସୁ ନଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀମାନେ ଅନେକଥର ଛାତ୍ରୀ ନିବାସ ଅଧୀକ୍ଷକ, କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ ବି ସମସ୍ୟା ଦୂର ନହେବାରୁ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। କଲେଜ ପ୍ରଶାସନ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବହୁବାର ଜଣାଇଥିଲେ। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଆଜି ଛାତ୍ରୀ ନିବାସରେ ଆଦୌ ପାଣି ନ ଆସିବାରୁ ତାତି ଉଠିଛନ୍ତି ଛାତ୍ରୀମାନେ। ଛାତ୍ରୀ ନିବାସରୁ ବାଲଟ, ମଗ୍ ଧରି କଲେଜ ସମ୍ମୁଖକୁ ଆସି ଧାରଣା ଦେଇଛନ୍ତି।